ଜବରଦଖଲରେ ନବରଙ୍ଗପୁର ଭାଷ୍କେଲ ଡ୍ୟାମ୍ । ପାଣି ଶୋଷୁଛନ୍ତି ଛତିଶଗଡ ଚାଷୀ

ତଳମୁଣ୍ଡେ ଜଳକର ଦେଇ ସୁଦ୍ଧା ପଡିଆପଡିଛି ଉମରକୋଟ୍ ଚାଷ ଜମି

70

କନକ ବ୍ୟୁରୋ: ଚାଷୀ ଓ ଚାଷର ଉନ୍ନତି ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି । ହେଲେ କୃଷି ପ୍ରଧାନ ନବରଙ୍ଗପୁର ଚାଷୀ ଏବେ ଦୁର୍ଦ୍ଦିନରେ ଦିନ କାଟୁଛି । କେନାଲରେ ପାଣି ଆସୁନଥିବାରୁ ଉମରକୋଟ ଅଂଚଳରେ ରବି ଫସଲ ବନ୍ଦ ରହିଛି । ପାଣି ଅଭାବ ନେଇ ବିଭାଗୀୟ ଅଧିକାରୀଙ୍କ କହିବା କଥା, ଭାଷ୍କେଲ ଡ୍ୟାମରେ ଜଳସ୍ତର କମି ଯାଇଛି । ତେଣୁ କେନାଲରେ ପାଣି ଆସୁନାହିଁ ।

ଛତିଶଗଡ ଚାଷୀଙ୍କ କବଜାରେ ନବରଙ୍ଗପୁର ଭାଷ୍କେଲ ଡ୍ୟାମ୍ । ଜଳଭଣ୍ଡାରରେ ଜଳ ଗଛିତ ହେବା ଆଗରୁ ଉପରମୁଣ୍ଡରୁ ହିଁ ଚାଲିଯାଉଛି, ଜବରଦଖଲକାରୀଙ୍କ ଜମିକୁ । ଆଉ ଡ୍ୟାମ୍ ଭିତରେ ଶହ ଶହ ହେକ୍ଟର ଜମିରେ ମକ୍କା ଓ ବିଭିନ୍ନ ପ୍ରକାର ପନିପରିବା ଚାଷ କରାଯାଉଛି । ଉମରକୋଟର ମେରୁଦଣ୍ଡ ଭାଷ୍କେଲ ଡ୍ୟାମ୍ ଜମିକୁ ଜବରଦଖଲ କରି ଚାଷ କରୁଛନ୍ତି ଛତିଶଗଡ ଚାଷୀ । ମଟର ଲଗାଇ ଡ୍ୟାମର ଉପରମୁଣ୍ଡରୁ ପାଣି ଶୋଷୁଛନ୍ତି । ବିନା ସାର ଓ ଖତରେ ଭଲ ଫସଲ ହେଉଛି, ତେଣୁ ଛତିଶଗଡ ଛାଡି ଏଠାରେ ଚାଷ କରି ଦୁଇ ପଇସା ରୋଜଗାର କରୁଥିବା କହିଛନ୍ତି ଚାଷୀ ।

ଏ ହେଉଛି ଉମରକୋଟର କେନାଲର ଚିତ୍ର । କେନାଲ ଶୁଖିଲା ପଡିଥିବା ବେଳେ ରବି ଫସଲ କରିନପାରି ଚିନ୍ତାରେ ପଡିଛନ୍ତି ଚାଷୀ । ପାଣି ଅଭାବରୁ ଚାଷ ହୋଇପାରୁନଥିଲେ ସୁଦ୍ଧା ଜଳକର ଦେବାକୁ ପଡୁଥିବା କହିଛନ୍ତି ଚାଷୀ । ସେପଟେ ଡ୍ୟାମ୍ ଜମିକୁ ଛତିଶଗଡ ଚାଷୀ ଜବରଦଖଲ ଖବର ପ୍ରଶାସନ ପାଖରେ ଅଛି, ଖୁବଶୀଘ୍ର ଜବରଦଖଲ ହଟାଇବା ପାଇଁ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଉମରକୋଟ ତହସିଲଦାର ।

ଭାଷ୍କେଲ ଡ୍ୟାମର ଉପମୁଣ୍ଡକୁ ଛତିଶଗଡ ଚାଷୀ ଜବରଦଖଲ କରି ଚାଷ କରୁଥିବା ବେଳେ ତଳମୁଣ୍ଡରେ ଥିବା ଉମରକୋଟ ଚାଷୀ ପାଣି ନପାଇ ମଧ୍ୟ ଜଳକର ବାନ୍ଧୁଛନ୍ତି । ତେବେ ପ୍ରଶାସନର କେବେ ନିଦ ଭାଙ୍ଗିବ ଆଉ ଡ୍ୟାମର ତଳ ମୁଣ୍ଡରେ ପାଣି ମାଡିବ ତାର ହିସାବ ସମୟ ହିଁ କରିବ ।