ହକି ବିଶ୍ୱକପ ପାଇଁ ଆପଣ କେତେ ପ୍ରସ୍ତୁତ ? ସରକାରଙ୍କ ନୂଆ ଅଭିଯାନ

86

କନକ ବ୍ୟୁରୋ: ହକି ପୁରୁଷ ବିଶ୍ୱକପ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି । ହକି କ୍ୟାଲେଣ୍ଡରରେ ସର୍ବବୃହତ ଖେଳ ‘ଓଡିଶା ହକି ପୁରୁଷ ବିଶ୍ୱକପ’ ଆୟୋଜନକୁ ଆଉ ମାତ୍ର ରହିଲା ୯୦ ଦିନର ବ୍ୟବଧାନ । ଆସନ୍ତା ନଭେମ୍ବର ୨୮ ତାରିଖରୁ ଡିସେମ୍ବର ୧୬ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଖେଲାଯିବ ଏହି କ୍ରୀଡା ମହାକୁମ୍ଭ । ମୋଟ୍ ୧୬ଟି ଦେଶର ଖେଳାଳୀ ତାଙ୍କ ଷ୍ଟିକ୍ ର ଯାଦୁକରୀ ପ୍ରଦର୍ଶନରେ ୩ ସପ୍ତାହ ଧରି ହକିପ୍ରେମୀଙ୍କୁ ବାନ୍ଧୀ ରଖିବେ । ତେବେ ଏହି କ୍ରୀଡା ମହାକୁମ୍ଭକୁ ସଫଳ କରାଇବା ଏବଂ ବିଶ୍ୱବାସୀଙ୍କ କେନ୍ଦ୍ର ଆକର୍ଷଣ କରିବା ପାଇଁ ଅଣ୍ଟା ଭିଡିଛନ୍ତି ଆୟୋଜକ ଓଡିଶା ସରକାର ।

ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳିଙ୍ଗ ଷ୍ଟାଡିୟମରେ ‘ହାର୍ଟବିଟ୍ସ ଫର ହକି’ ନାମକ ଏକ କ୍ୟାମ୍ପେନ ଅଭିଯାନର ଶୁଭାରମ୍ଭ କରିଛନ୍ତି । ତେବେ ଏହି କ୍ରୀଡାର ଅଧିକ ପ୍ରଚାର ପ୍ରଚାର ପାଇଁ ପାଖାପାଖି ୧୭ଟି ସହରରେ କ୍ୟାମ୍ପେନ ଆରମ୍ଭ ହେବ । ସାରା ଭାରତରେ ହୃଦୟସ୍ପନ୍ଦନ ସୃଷ୍ଟି କରିବା ପାଇଁ ରୋଡ ସୋ, ଜାତୀୟ ଦଳ ପାଇଁ ବିଶ୍ୱକପ ଜର୍ସି ଉନ୍ମୋଚନ, ବିଶ୍ୱକପ ମ୍ୟୁଜିକ୍ ଭିଡ଼ିଓ ଉନ୍ମୋଚନ କରାଯାଇଛି । ହାର୍ଟ ବିଟ୍ ଫର ହକି ଗାଡ଼ି ଜଳନ୍ଧର, ଲକ୍ଷ୍ନୌ, ରାଞ୍ଚି, ଦିଲ୍ଲୀ, ଚେନ୍ନାଇ ପରିଭ୍ରମଣ କରିବ। ସେହିପରି ଚଣ୍ଡିଗଡ଼, ବେଙ୍ଗାଲୁରୁ, ମୁମ୍ବାଇ, ଭୋପାଳ, ରାଉରକେଲା, ଇମ୍ପାଲରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରା ଯାଇଥିବା ହକି ଷ୍ଟିକ୍କୁ ପ୍ରଦର୍ଶିତ କରାଯିବ । ଅଣ୍ଟା ହକି ଷ୍ଟିକ୍ ର ମଜା ଉଠାଇବ ସାରା ବିଶ୍ୱ, ଷ୍ଟିକ୍ କହିବ କଥା ଆଉ ଝୁମିବ ସାରା ଇଣ୍ଡିଆ ।

ଜାତୀୟ କ୍ରୀଡ଼ା ଦିବସରେ କଳିଙ୍ଗ ଷ୍ଟାଡ଼ିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩୬୦ ଡିଗ୍ରୀ ଅଭିଯାନ ହାର୍ଟ ବିଟ୍ସ ଫର୍ ହକି କାର୍ୟ୍ୟକ୍ରମ ଉଦଘାଟନ କରିଛନ୍ତି। ହାର୍ଟ ବିଟ୍ସ ଫର୍ ହକି ଅଭିଯାନ ମାଧ୍ୟମରେ ସଙ୍ଗୀତ, ମନୋରଞ୍ଜନ, ଫେସନ, ଶୁଦ୍ଧ କ୍ରୀଡ଼ା ଓ ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହେବ। ଜାତୀୟ ଦଳକୁ ନେଇ ପ୍ରସ୍ତୁତ ଡିଜିଟାଲ ଅଭିଯାନ ଉନ୍ମୋଚିତ ହେବ। ଭାରତକୁ ପୁଣି ଥରେ ବିଶ୍ୱବିଜୟୀ କରାଇବା ଏବଂ ବିଶ୍ୱସ୍ତରରେ ଓଡିଶାର ନାଁକୁ ବଜାୟ ରଖିବା ପାଇଁ ଏହି ଅଭିଯାନର ଉଦ୍ଦେଶ୍ୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ପୂର୍ବରୁ ୨୦୧୭ ଏସିଆନ ଆଥଲେଟିକ୍ ଚାମ୍ପିୟନସିପ୍ ଏବଂ ହକି ୱାର୍ଲ୍ଡ ଲିଗ୍ ଫାଇନାଲ ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ ସରକାରଙ୍କୁ ପ୍ରଂଶସା ମିଳିଥିଲା । ତେବେ ବିଶ୍ୱର ସର୍ବବୃହତ ଟୁର୍ଣ୍ଣାମେଣ୍ଟ ଯେଉଁଥିରେ ୧୬ଟି ଦେଶ ଚମ୍ପିୟାନ ହେବାପାଇଁ ରଣନୀତି କରିବେ ତାହାକୁ ଅପେକ୍ଷା କରିଛି ସାରା ବିଶ୍ୱ ।