ଜଗୁନିଙ୍କୁ ଟାର୍ଗେଟ କଲା ମୁକ୍ତି ମଣ୍ଡପ : ଶଙ୍କରାଚାର୍ଯ୍ୟ ଓ ଗଜପତିଙ୍କ ଉପରେ ବୟାନ ନେଇ କ୍ଷମା ମାଗିବାକୁ ଦାବି

61

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ଟାର୍ଗେଟରେ ଜଗୁନି । ଶ୍ରୀଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ରଙ୍କ କ୍ଷମାପ୍ରାର୍ଥନା କରିବା ପାଇଁ ଦାବି କରିଛି ମୁକ୍ତି ମଣ୍ଡପ । କନକ ନ୍ୟୁଜକୁ ଏକ ସାକ୍ଷାତକାର ଦେବା ସମୟରେ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଶଙ୍କରାଚାର୍ଯ୍ୟ ଓ ଗଜପତିଙ୍କ ପ୍ରତି ଦେଇଥିବା ମନ୍ତବ୍ୟକୁ ନାପସନ୍ଦ କରିଛି ମୁକ୍ତି ମଣ୍ଡପ । ସେ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା କୌଣସି ମତରେ ଗ୍ରହଣୀୟ ନୁହେଁ ବୋଲି ପଣ୍ଡିତ ସଭା କହିଛି । ଏହା ସହ ଶ୍ରୀମନ୍ଦିର ନୀତିରେ ହେଉଥିବା ବିଶୃଙ୍ଖଳାକୁ ରୋକିବା ପାଇଁ ପ୍ରଶାସନକୁ ଦୃଢ ପଦକ୍ଷେପ ନେବା ପାଇଁ ଦାବି କରିଛି ମୁକ୍ତି ମଣ୍ଡପ । ଏଭଳି ପରିସ୍ଥିତି ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦଣ୍ଡବିଧାନ କରିବାକୁ ଦାବି ହୋଇଛି । ସ୍ନାନ ନୀତିରେ ଗତ କିଛି ବର୍ଷ ଧରି ବିଶୃଙ୍ଖଳିତ ହୋଇଛି, ସ୍ୱତ୍ୱଲିପି ଅନୁସାରେ ନୀତି ହେଉନଥିବା ଅଭିଯୋଗ କରିଛି ମୁକ୍ତିମଣ୍ଡପ । ଅନ୍ୟପଟେ ସେବାୟତ ମାନେ ଶ୍ରୀଜିଉଙ୍କ ପ୍ରତି ଯେଉଁଭଳି ବ୍ୟବହାର କରୁଛନ୍ତି ତାହା ଗ୍ରହଣୀୟ ନୁହେଁ । ଶ୍ରୀଜିଉଙ୍କ ବାହୁ ଧରି ଠିଆ ହେବା, ଆଉଜିବା, ଦୁଇ ବିଗ୍ରହ ମଝିରେ ଠିଆ ହେବା, ଠାକୁରଙ୍କ ପ୍ରଭା ଉପରେ ଠିଆ ହେବା କେବେ ବି ସ୍ପୃହଣୀୟ ନୁହେଁ । ଏଥି ପ୍ରତି ପ୍ରଶାସନ ଉଚିତ ପଦକ୍ଷେପ ନେବାକୁ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭା ଦାବି କରିଛି ।