ମେ’୨୪ ଯାଏ କାଳବୈଶାଖୀ ଆଶଙ୍କା: ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବା ସମ୍ଭାବନା

37

କନକ ବ୍ୟୁରୋ: ମେ’ ୨୪ ଯାଏ ଉପକୂଳ ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଜାରି ରହିବ କାଳବୈଶାଖୀ । ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ହେବା ସହ ବର୍ଷା ହେବ । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ବି କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସମସ୍ତ ଜିଲ୍ଲାରେ ପାଣିପାଗ ଏଣିକି ଧୀରେ ଧୀରେ ପରିବର୍ତନ ହେବ। ଜୁନ୍ ୬ ବେଳକୁ ଓଡ଼ିଶାକୁ ମୌସୁମୀ ଛୁଇଁବାକୁ ଥିବାରୁ ଏହାପୂର୍ବରୁ ପ୍ରାକ୍ ମୌସୁମୀ ବର୍ଷା ମଧ୍ୟ ଆରମ୍ଭ ହେବ । ପ୍ରଥମେ ଦକ୍ଷିଣ ଓଡ଼ିଶାରେ ବର୍ଷା ଲାଗିରହିବ । ଏହାପରେ ଉପକୂଳ ଓଡ଼ିଶା ଓ ଉତ୍ତର ଓଡ଼ିଶାକୁ ମୌସୁମୀ ଛୁଇଁବ । ପଶ୍ଚିମ ଓଡ଼ିଶାରେ ବିଳମ୍ବରେ ମୌସୁମୀ ପହଞ୍ଚିବାର ସମ୍ଭାବନା ରହିଛି ।

ଗତ ୪୮ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଚାନ୍ଦବାଲିରେ ସର୍ବାଧିକ ୨୬.୬ ମିମି ବର୍ଷା ହୋଇଥିବା ବେଳେ ସମ୍ବଲପୁରରେ ୧୫, ହୀରାକୁଦ ଓ ଝାରସୁଗୁଡ଼ାରେ ୧୪.୨ ମିମି, ବାଲେଶ୍ୱରରେ ୧୨, ପାରାଦ୍ୱୀପରେ ୮ ମିମି ବର୍ଷା ହୋଇଛି। କେତେକ ସ୍ଥାନରେ ହାଲକା ବର୍ଷା ହୋଇଥିବା ଜଣାପଡ଼ିଛି। ପଶ୍ଚିମ ଓଡ଼ିଶାରେ ଏବେବି ତାତି ଅନୁଭୂତ ହୋଇଛି । ମାଲକାନଗିରିରେ ୪୨.୨, ବଲାଙ୍ଗୀରରେ ୪୨, ଟିଟିଲାଗଡ଼ରେ ୪୧ ଡିଗ୍ରି ରହିଥିଲା।