ମାଓବାଦୀଙ୍କ ପାଖରେ ରହିଛି କଳାଟଙ୍କାର ଭଣ୍ଡାର ! ଏସଆଇଟି ଦେଲା ସାଂଘାତିକ ରିପୋର୍ଟ

37

କନକ ବ୍ୟୁରୋ : ମାଓବାଦୀଙ୍କ ପାଖରେ ରହିଛି ବିପୁଳ କଳାଟଙ୍କା। ତାହାକୁ ବ୍ୟବହାର କରି ସେମାନେ ଅସ୍ତ୍ରଶସ୍ତ୍ର କିଣିବା ସହ ଅନେକ ବେଆଇନ କାରବାର କରୁଛନ୍ତି। ଦେଶରେ କଳା ଟଙ୍କା କାରବାର ସଂପର୍କରେ ତଦନ୍ତ କରୁଥିବା ସ୍ପେସାଲ୍ ଇନଭେଷ୍ଟିଗେସନ୍ ଟିମ୍ (ଏସଆଇଟି)ର ବୈଠକରେ ଆଜି ମାଓବାଦୀଙ୍କ କଳାଟଙ୍କା ପ୍ରସଂଗରେ ଆଲୋଚନା ହେବା ସହ ଏହାକୁ ଠାବ କରିବା ପାଇଁ ପଦକ୍ଷେପ ସଂପର୍କରେ ତର୍ଜମା କରାଯାଇଛି।

ଏସଆଇଟିର ବୈଠକ ପରେ ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ କହିଛନ୍ତି ଯେ, ନକ୍ସଲପନ୍ଥୀଙ୍କ ନିକଟରୁ କଳାଟଙ୍କା ଜବତ କରାଯିବା ଘଟଣା ହେଉଛି ନୂଆକଥା। ମାଲକାନଗିରି ଓ ଏହାର ଆଖପାଖ ଅଞ୍ଚଳରୁ କୋଟି କୋଟି ଟଙ୍କାର ନିଶାଦ୍ରବ୍ୟ ଦେଶର ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଉଥିବା ବେଳେ ଧରାପଡିଛି। ଓଡ଼ିଶାରୁ ଲକ୍ଷ୍ନୌ, ଦିଲ୍ଲୀ ଓ କୋଲକାତାକୁ ଚାଲାଣ କରାଯାଉଥିବା ନିଶାଦ୍ରବ୍ୟ ଡିଆରଆଇ ଦ୍ୱାରା ଧରା ପଡିଛି। ଏଥିସହିତ ନକ୍ସଲ ନେତାଙ୍କ କୋଟି କୋଟି ଟଙ୍କାର ସଂପତ୍ତି ଜବତ କରାଯାଇଛି। ନିଶାଦ୍ରବ୍ୟ କାରବାରରୁ ବିପୁଳ ଅର୍ଥ ନକ୍ସଲମାନେ ଅର୍ଜନ କରୁଛନ୍ତି। ଅର୍ଜିତ କଳାଧନ ବ୍ୟବହାର କରି ନକ୍ସଲପନ୍ଥୀମାନେ ସେମାନଙ୍କ ବେଆଇନ କାର୍ୟ୍ୟକଳାପ ବଢାଉଥିବା ଆଲୋଚନାରୁ ସ୍ପଷ୍ଟ ହୋଇଛି ବୋଲି ଜଷ୍ଟିସ ପଶାୟତ କହିଛନ୍ତି।

ଜଷ୍ଟିସ୍ ପଶାୟତଙ୍କ ଅଧ୍ୟକ୍ଷତାରେ କଟକ ତେଲେଙ୍ଗାବଜାରସ୍ଥିତ ତାଙ୍କ ବାସଭବନରେ ଅନୁଷ୍ଠିତ ଏହି ବୈଠକରେ ବେଆଇନ ଖଣି କାରବାର ପ୍ରସଂଗରେ ମଧ୍ୟ ଆଲୋଚନା ହୋଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏ କ୍ଷେତ୍ରରେ କି ପଦକ୍ଷେପ ଗ୍ରହଣ କରାଯାଇଛି, କେତେ ଟଙ୍କା ଆଦାୟ କରାଯାଇଛି, ଖଣି ବିଭାଗ କେତେ ଟଙ୍କା ଆଦାୟ କରିବ ଓ କାହା ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ, ସେ ସଂପର୍କରେ ଆଲୋଚନା କରାଯାଇଥିଲା। ସେହିଭଳି ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭାଇ, ସୁରବାବା ଓ ବାବା ସାରଥିଙ୍କ ସଂପତ୍ତି ବାଜ୍ୟାପ୍ତି ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା ବୋଲି ଜଷ୍ଟିସ ପଶାୟତ ସୂଚନା ଦେଇଛନ୍ତି। ଏମାନଙ୍କ ବିପୁଳ ସଂପତ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜବତ କରିଥିବା ବେଳେ ଏ ସଂପର୍କିତ ମାମଲା ଗୁଡିକର ଶୁଣାଣି ଏବେ ଚାଲିଛି।

ଶିକ୍ଷାନୁଷ୍ଠାନରେ କଳାଟଙ୍କା ପ୍ରସଂଗରେ ମଧ୍ୟ ବିଭିନ୍ନ ଏଜେନ୍ସି ସେମାନଙ୍କ ତଥ୍ୟ ଉପସ୍ଥାପନ କରିଥିଲେ। ଓଡ଼ିଶା ବାହାରେ ଏପରି ୬ଟି ଅନୁଷ୍ଠାନ ନିକଟରୁ ୭ଶହ କୋଟି ଟଙ୍କା ଟିକସ ଆଦାୟ କରାଯାଇଛି। ଏଥି ସହିତ ପ୍ରତିଦିନ ସୃଷ୍ଟି ହୋଇଥିବା କଳାଧନ ଉପରେ ଅଙ୍କୁଶ ଲଗାଇବାକୁ ଚେଷ୍ଟା କରାଯାଉଛି। ଜିଏସିଟି ଲାଗୁ ପରେ ସାନି ପରିସ୍ଥିତି ପ୍ରସଂଗରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା। ଜିଏସଟି ଆସିବା ପରେ ଚୋରା ଚାଲାଣ ହ୍ରାସ ପାଇଛି। ଟ୍ୟାକ୍ସ ଆଦାୟ କ୍ଷେତ୍ରରେ ସ୍ୱଚ୍ଛତା ଆସିଛି। ଲୋକମାନେ କେତେ ଟ୍ୟାକ୍ସ ଆଦାୟ ହେଉଛି ତାହା ଜାଣି ପାରୁଛନ୍ତି। ଦୁଇ ମାସ ତଳେ ଏସଆଇଟି ପକ୍ଷରୁ କଳାଧନ ପ୍ରସଂଗରେ ଷଷ୍ଠ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି ବୋଲି ଜଷ୍ଟିସ ପଶାୟତ ଏହି ଅବସରରେ ସୂଚନା ଦେଇଛନ୍ତି।