କନକ ବ୍ୟୁରୋ : ଜୀବନକୁ ବାଜି ଲଗାଇ ସାନ ଭଉଣୀର ଜୀବନ ବଞ୍ଚାଇଲା ବଡ଼ ଭଉଣୀ । ୨୫ ଫୁଟର ଗଭୀର କୂଅକୁ ଡ଼େଇଁ ସାନ ଭଉଣୀର ଜୀବନ ବଞ୍ଚାଇଛି ବଡ଼ ଭଉଣୀ । ସୁବର୍ଣ୍ଣପୁର ଜିଲ୍ଲାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ସୁବର୍ଣ୍ଣପୁର ଜିଲ୍ଲାର ଠାରୁ ୭ କିମି ଦୂର ବଡ଼ଭଇଁରୋ ପଞ୍ଚାୟତ କେନ୍ଦୁମୁଣ୍ଡା ନିବାସୀ ଲକ୍ଷ୍ମୀଚରଣ ବାଘଙ୍କ ୩ ବର୍ଷର ଝିଅ ମିଲି ତା’ର ବଡ଼ ଭଉଣୀ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ଝିଲି ବାଘ ଓ ଝିଲିଙ୍କ ସାଙ୍ଗ ରୀତାଞ୍ଜଳି ବଗର୍ତ୍ତୀ ଘର ସମ୍ମୁଖ ବଗିଚାରେ ଖେଳୁଥିଲେ। ଏହି ସମୟରେ ଏକ ଖୋଲା କୂଅରେ ମିଲି ପଡ଼ି ଯାଇଥିଲା। ମିଲି କୂଅରେ ପଡ଼ିଯିବା ଦେଖି ବଡ଼ ଭଉଣୀ ଝିଲି ସଙ୍ଗେ ସଙ୍ଗେ ତାର ସାଙ୍ଗ ରୀତାଞ୍ଜଳିକୁ ଶୀଘ୍ର ଘର ଲୋକଙ୍କୁ ଡାକି ଆଣିବାକୁ କହି ଉପସ୍ଥିତ ବୁଦ୍ଧି ଖଙ୍କାଇ ନିଜେ କୂଅକୁ ଡେଇଁ ପଡ଼ିଥିଲା।
Kanak News is now on WhatsApp
Join and get latest news updates delivered to you via WhatsApp
କୂଅରେ ଝିଲିର ବେକ ପର୍ୟ୍ୟନ୍ତ ପାଣି ଥିବା ସତ୍ତ୍ୱେ ସେ ନିଜ ଛୋଟ ଭଉଣୀକୁ ଟେକି ଧରିଥିଲା। ଖବର ପାଇ ପରିବାର ଲୋକଙ୍କ ସହ ଗ୍ରାମବାସୀ ସେଠାରେ ପହଞ୍ଚି ଦଉଡ଼ି ସାହାଯ୍ୟରେ ୨ ଭଉଣୀଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣା ପରେ ସାହସୀ ଝିଅ ଝିଲିଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି।