ଆସନ୍ତା ୧୫ରେ ମୋଦି ନବୀନ ଲଢେଇ ! ବଲାଙ୍ଗୀରରେ ସମାବେଶ କରିବେ ମୋଦି, ଭୁବନେଶ୍ୱରରେ ବିଜେଡିର କୃଷି ଓଡିଶା କାର୍ଯ୍ୟକ୍ରମ

243

କନକ ବ୍ୟୁରୋ : ଆସନ୍ତା ୧୫ ତାରିଖରେ ପୁଣି ହେବ ମୋଦି-ନବୀନ ଲଢେଇ । ମୋଦି ଆସିବେ ବଲାଙ୍ଗୀର । ଆଉ ମୋଦିଙ୍କ କାର୍ଯ୍ୟକ୍ରମକୁ କାଉଁଟର କରି ଭୁବନେଶ୍ୱରରେ ସମାନ୍ତରାଳ କୃଷକ କାର୍ଯ୍ୟକ୍ରମର ଆୟୋଜନ କରିଛି ବିଜେଡି । ବଲାଙ୍ଗୀରରେ ନରେନ୍ଦ୍ର ମୋଦି ଗର୍ଜିବାବେଳେ ଭୁବନେଶ୍ୱର ବରମୁଣ୍ଡା ପଡିଆରେ କୃଷକ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୫ରୁ ୧୯ ଜାନୁୟାରୀ ଯାଏଁ ବରମୁଣ୍ଡା ପଡିଆରେ କୃଷି ଓଡିଶା ନାଁରେ ଏହି କାର୍ଯ୍ୟକ୍ରମ ହେବ । ସୁଦୃଶ୍ୟ ପ୍ରଦର୍ଶନୀ ସହ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ।

ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୫ ତାରିଖ ସକାଳ ସାଢ଼େ ୬ଟାରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ହେଲିକପ୍ଟର ଯୋଗେ ବଲାଙ୍ଗିର ଯିବେ । ୧୦ଟା ୪୦ରେ ବଲାଙ୍ଗିର ରେଳ ଷ୍ଟେସନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ସେଠାରୁ ପ୍ରଧାନମନ୍ତ୍ରୀ ହେଲିକପ୍ଟର ଯୋଗେ ପଥରଚେପା ଯାଇ ଏକ ସାଧାରଣ ସଭାକୁ ସମ୍ବୋଧନ କରିବେ । ଏହି କାର୍ଯ୍ୟକ୍ରମର ସମୟ ୧୧ଟା ୪୫ ମିନିଟ ରହିଛି । ପଥରଚେପାରେ ସାଢ଼େ ୧୨ଟାରେ ସଭା ସରିବା ପରେ ପ୍ରଧାନମନ୍ତ୍ରୀ ସେଠାରୁ ଝାରସୁଗୁଡ଼ା ଯିବେ । ଝାରସୁଗୁଡ଼ାରୁ ସେ ଅପରାହ୍ନ ୧.୪୫ ମିନିଟରେ କେରଳର ତିରୁଅନନ୍ତପୁରମ୍ ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ନରେନ୍ଦ୍ର ମୋଦି ଖୋର୍ଧା ଓ ବାରିପଦାରେ ସମାବେଶର ଆୟୋଜନ କରିସାରିଛନ୍ତି ।