ମୋଦିଙ୍କ ଲକ୍ଷପତି ଯୋଜନା! ବିମୁଦ୍ରାକରଣ ପ୍ରତିଯୋଗିତାରେ ଭାଗ ନିଅନ୍ତୁ, ୨ ଲକ୍ଷ ଟଙ୍କା ଜିତନ୍ତୁ

127

କନକ ବ୍ୟୁରୋ : ବିମୁଦ୍ରାୟନକୁ ଇତି ମଧ୍ୟରେ ଏକ ବର୍ଷ ପୂରି ସାରିଛି । ଗତବର୍ଷ ନଭେମ୍ବର ୮ ତାରିଖରେ ମୋଦି ସରକାର ବିମୁଦ୍ରାକରଣର ଘୋଷଣା କରିଥିଲେ । ପ୍ରଚଳିତ ପୁରୁଣା ୫୦୦ ଓ ୧୦୦୦ ଟଙ୍କାର ନୋଟକୁ ଅଚଳ ଘୋଷଣା କରିଥିଲେ ମୋଦି ।ସେତେବେଳେ ମୋଦି ସରକାରଙ୍କ ଏହି ନିଷ୍ପତିକୁ କିଛି ଲୋକ ବିରୋଧ କରିଥିବା ବେଳେ କିଛି ଲୋକ ସମର୍ଥନ ମଧ୍ୟ କରିଥିଲେ । କଳାଧନକୁ ବାହାର କରିବା, ଜାଲ ନୋଟ, ଆତଙ୍କବାଦ ଓ ମାଓବାଦକୁ ପ୍ରତିହତ କରିବା, ଦୁର୍ନୀତି ଉପରେ ଲଗାମ ଲଗାଇବା ପାଇଁ ନୋଟବନ୍ଦୀର ଆବଶ୍ୟକତା ରହିଛି ବୋଲି ମୋଦି ସେତେବେଳେ ସଫେଇ ଦେଇଥିଲେ । ବିମୁଦ୍ରାୟନକୁ ବିରୋଧୀ ଦଳ ପ୍ରବଳ ମାତ୍ରାରେ ବିରୋଧ କରିଥିଲେ । ତେବେ ଏହାର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହାକୁ ବେଶ ଧୁମଧାମରେ ପାଳନ କରୁଛନ୍ତି ମୋଦି ସରକାର । ନୋଟବନ୍ଦୀ ମୋଦି ସରକାରଙ୍କ ପାଇଁ ଏକ ବଡ ଉପଲବ୍ଧି ବୋଲି ଚାରିଆଡେ ପ୍ରଚାର କରାଯାଉଛି ।

noteban3_1510051722ନୋଟବନ୍ଦୀର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ମୋଦି ସରକାର ସାଧାରଣ ଲୋକଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରିଛନ୍ତି । ଏହି ପ୍ରତିଯୋଗିତାର ବିଜେତାଙ୍କୁ ୨ ଲକ୍ଷ ଟଙ୍କା ପୁରସ୍କାର ମିଳିବ । ଏହାଛଡା ଅନ୍ୟ ପୁରସ୍କାର ସ୍ୱରୂପ ଦ୍ୱିତୀୟ ସ୍ଥାନରେ ଥିବା ପ୍ରତିଯୋଗୀଙ୍କୁ ଏକ ଲକ୍ଷ ଟଙ୍କା, ତୃତୀୟ ସ୍ଥାନରେ ଥିବା ପ୍ରତିଯୋଗୀଙ୍କୁ ୫୦ ହଜାର ଟଙ୍କା ଓ ସାନ୍ତ୍ୱନାମୂଳକ ପୁରସ୍କାର ସ୍ୱରୂପ ୫ ଜଣଙ୍କୁ ୨୫ ହଜାର ଲେଖାଏଁ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି ମୋଦି ସରକାର । ସବୁ ବର୍ଗର ଲୋକ ଏହି ପ୍ରତିଯୋଗିତାରେ ଭାଗ ନେଇ ପାରିବେ । ଏଥିପାଇଁ ଆପଣଙ୍କୁ http://mygov.in ଲିଙ୍କରେ ଆପ୍ଲାଇ କରିବାକୁ ପଡିବ । ଏହି ଲିଙ୍କରେ କ୍ଲିକ କରିବା ପରେ ପୁନଶ୍ଚ ଅନ୍ୟ ଏକ ଲିଙ୍କ https://www.mygov.in/task/combating-corruption-battling-black-money-competitions/  କ୍ଲିକ କରିବାକୁ ପଡିବ  ।

ଏହି ପ୍ରତିଯୋଗିତାଟି ମୁଖ୍ୟତଃ ୪ଟି ବିଭାଗରେ କରାଯିବ । ପ୍ରତି ବିଭାଗର ପ୍ରତିଯୋଗିତା ପାଇଁ ଭିନ୍ନ ଭିନ୍ନ ନିୟମ ରହିଛି ।

ପ୍ରବନ୍ଧ ପ୍ରତିଯୋଗିତା : ଏହି ପ୍ରତିଯୋଗିତାର ପ୍ରଥମ ବିଭାଗ ହେଉଛି ପ୍ରବନ୍ଧ । ଯଦି ଆପଣ ପ୍ରବନ୍ଧ ପ୍ରତିଯୋଗିତାରେ ଭାଗ ନେବାକୁ ଇଚ୍ଛୁକ ଥାଆନ୍ତି ତେବେ ବିମୁଦ୍ରାୟନ ଦ୍ୱାରା ସାଧାରଣ ଲୋକଙ୍କର କଣ ଫାଇଦା ହୋଇଛି ସେ ବିଷୟରେ ୧୨୦୦ ଶବ୍ଦରେ ଏକ ପ୍ରବନ୍ଧ ଲେଖିବାକୁ ପଡିବ । ଏହାଛଡା କଳାଧନ ଓ ଦୁର୍ନୀତି ବିରୋଧରେ ଲଢେଇରେ ବିମୁଦ୍ରାକରଣ କଣ ପ୍ରଭାବ ପକାଇଛି ତାହା ଉପରେ କିଛି ଲେଖିବାକୁ ପଡିବ । ଏସବୁ ବାଦ୍ ଦୁର୍ନୀତି ଓ କଳାଧନ ବିରୋଧରେ ଲଢେଇକୁ ଆହୁରି କିପରି ସଫଳ କରାଯିବ ସେ ନେଇ ସରକାରଙ୍କୁ ମତାମତ ଦେଇପାରିବେ । ପ୍ରବନ୍ଧଟି ଲେଖିବା ପରେ ଏହାକୁ ପିଡିଏଫ ଫର୍ମାଟରେ ସେଭ କରି ମାଇଁ ଗଭ ଡଟ ଇନ ସାଇଟରେ ଲଗଇନ କରି ପ୍ରତିଯୋଗିତାରେ ଭାଗ ନେଇ ପାରିବେ ।

ଚିତ୍ରାଙ୍କନ : ପ୍ରବନ୍ଧ ପ୍ରତିଯୋଗିତା ପରି ଆଉ ଏକ ପ୍ରତିଯୋଗିତା ହେଉଛି ଚିତ୍ରାଙ୍କନ ପ୍ରତିଯୋଗିତା । ଏଥିରେ ଭାଗ ନେବାକୁ ଇଚ୍ଛୁକ ଥିବା ପ୍ରତିଯୋଗୀଙ୍କ ପାଇଁ କିଛି ନିୟମ ରହିଛି । କଳାଧନ ଓ ଦୁର୍ନୀତି ବିରୋଧ ଲଢେଇରେ ସରକାରଙ୍କ ଯୋଗଦାନକୁ ବିଭିନ୍ନ କିଏଟିଭ ଓ କାର୍ଟୁନ ଚିତ୍ର ପ୍ରସ୍ତୁତ କରିବା ଆବଶ୍ୟକ ।ଏହି ଚିତ୍ର ଗୁଡିକୁ ୪ ଏମବି ଫାଇଲର ସାଇଜ କରି ମାଇଁ ଗଭ ଡଟ ଇନ ସାଇଟରେ ଅପଲୋଡ କରି ପ୍ରତିଯୋଗିତରେ ଭାଗ ନେଇ ପାରିବେ ।

download (2)ଭିଡିଓ କ୍ଲିପ : ଏବେ ଅଧିକାଂଶ ଲୋକ ଫୋନରେ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଅପଲୋଡ କରୁଛନ୍ତି । ତେବେ ଏହି ସୌକ ମାଧ୍ୟମରେ ଆପଣ ଲକ୍ଷପତି ମଧ୍ୟ ହୋଇପାରିବେ କଳାଧନ ଓ ଦୁର୍ନୀତି ବିରୋଧରେ ଲଢେଇରେ ସରକାର ସଫଳତା ହାସଲ କରିଛନ୍ତି କି ନାହିଁ ଏବଂ ଏହି ଲଢେଇକୁ ଆହୁରି କିପରି ଆଗକୁ ନିଆଯାଇପାରିବ ତାହା ଉପରେ ଏକ ଭିଡିଓ ପ୍ରସ୍ତୁତ କରି ୟୁଟ୍ୟୁବରେ ଅପଲୋଡ କରିବାକୁ ପଡିବ । ୟୁଟ୍ୟବ ଲିଙ୍କକୁ ମାଇଁ ଗଭ ଡଟ ଇନ ସାଇଟରେ ଅପଲୋଡ କରି ପାରିବେ । ସବୁ ଭିଡିଓ ମଧ୍ୟରୁ ଭଲ ଭିଡିଓକୁ ଚୟନ କରି ବିଜେତା ଘୋଷଣା କରାଯିବ । ତେବେ ଏହି ଭିଡିଓଟି ୫ ମିନିଟ ଅବଧିରୁ କମ ହେବା ଆବଶ୍ୟକ । ନଚେତ ଆପଣ ପ୍ରତିଯୋଗିତାରୁ ବାଦ ପଡିବେ ।

କବିତା : ଅନେକ ଲୋକ କବିତା ଲେଖିବାକୁ ପସନ୍ଦ କରିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ଏହି ପ୍ରତିଯୋଗିତାରେ କବିତାକୁ ମଧ୍ୟ ସାମିଲ କରାଯାଇଛି । କଳାଧନ ଓ ଦୁର୍ନୀତିକୁ ରୋକିବାକୁ ସରକାର ନେଇଥିବା ବିଭିନ୍ନ ପଦକ୍ଷେପକୁ କବିତା ମାଧ୍ୟମରେ ବର୍ଣ୍ଣନା କରି ଏହାକୁ ଏକ ନୂଆ ରୂପ ଦେଇ ପାରିବେ । ଏହି କବିତାକୁ ପିଡିଏଫ ଫାଇଲରେ ସେଭ କରି ମାଇଁ ଗଭ ଡଟ ଇନ ସାଇଟରେ ଅପଲୋଡ କରିପାରିବେ । ତେବେ କବିତା ଲେଖିବା ପାଇର୍ କିଛି ନିଦ୍ଦିଷ୍ଟ ନିୟମ ରହିଛି । କବିତାଟି କେବଳ ଇଂରାଜୀ ଓ ହିନ୍ଦୀ ଭାଷାରେ ଳେଖା ହୋଇଥିବା ଆବଶ୍ୟକ । ଠିକ୍ ସେହିଭଳି କବିତାଟି ନିଜସ୍ୱ ହୋଇଥିବା ଆବଶ୍ୟକ । ଅନ୍ୟ କାହା କବିତା ଅପଲୋଡ କଲେ ଆପଣ ପ୍ରତିଯୋଗିତାରୁ ବାଦ ପଡିବେ ।
ଏହି ପ୍ରତିଯୋଗିତାରେ ଭାଗ ନେବାକୁ ହେଲେ ଆପଣଙ୍କୁ ୩୦ ନଭେମ୍ବର ପୂର୍ବରୁ ପ୍ରସ୍ତୁତ କରିଥିବା ଭିଡିଓ କ୍ଲିପ, ପ୍ରବନ୍ଧ, ଚିତ୍ରାଙ୍କନ ଓ କବିତାକୁ ମାଇଁ ଗଭ ଡଟ ଇନ ସାଇଟରେ ଅପଲୋଡ କରିବାକୁ ପଡିବ । ପ୍ରତିଯୋଗିତାରେ ଭାଗ ନେବା ପାଇଁ ଶେଷ ତାରିଖ ହେଉଛି ୩୦ ନଭେମ୍ବର ୨୦୧୭ ।