ମନ୍ତ୍ରୀ ଜାଣୁ ନାହାନ୍ତି ବିଭାଗ କଥା ! ବଢ଼ିଲା ଖରାଛୁଟି, ଖବର ରଖିଲେନି ବିଭାଗୀୟ ମନ୍ତ୍ରୀ

4,614

କନକ ବ୍ୟୁରୋ: ମନ୍ତ୍ରୀଙ୍କ ପାଖରେ ନାହିଁ କି ବିଭାଗର ଖବର ? ନିଜ ବିଭାଗର ଖବର ରଖୁନାହାନ୍ତି କି ମନ୍ତ୍ରୀ ? ନିଜ ବିଭାଗରେ କେତେବେଳେ କଣ ହେଉଛି, କେଉଁ ପରିସ୍ଥିତିରେ କେଉଁ ନିଷ୍ପତ୍ତି ନିଆଯାଉଛି ତାହା କଣ ମନ୍ତ୍ରୀ ଜାଣୁନାହାନ୍ତି? ଖରା ଛୁଟି ବଢି଼ବା ନେଇ ବଡ ଖବର ଆସିବା ପରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀଙ୍କ ଉପରକୁ ଉଠିଛି ଆଙ୍ଗୁଠି ।

ନୂଆ ନୂଆ ମନ୍ତ୍ରୀପଦ ପାଇ ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ହୋଇଥିବା ସମୀର ଦାସଙ୍କ ସୂଚନା ଉପରେ ଉଠିଛି ପ୍ରଶ୍ନ । ନିଜ ବିଭାଗରେ ସ୍କୁଲ ଛୁଟି ବଢ଼େଇବା ନେଇ ବଡ ନିଷ୍ପତ୍ତି ନିଆ ଯାଉଛି ହେଲେ ମନ୍ତ୍ରୀଙ୍କ ପାଖରେ କଣ ଏବାବଦରେ ଟିକେ ବି ଖବର ନାହିଁ ? ପ୍ରବଳ ଖରା ଯୋଗୁଁ ଖରା ଛୁଟିକୁ ଆସନ୍ତା ୨୫ ଯାଏଁ ଘୁଞ୍ଚାଯାଇଛି । ରାଜ୍ୟର ସମସ୍ତ ସ୍କୁଲ ଆସନ୍ତାକାଲି ପରିବର୍ତ୍ତେ ଆସନ୍ତା ୨୬ ତାରିଖରେ ଖୋଲିବ । ସ୍କୁଲ ଛୁଟି ବଢିବା ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ପ୍ରଦୀପ୍ତ ମହାପାତ୍ର ଆଜି ସୂଚନା ଦେଇଥିବା ବେଳେ ମନ୍ତ୍ରୀ ସମୀରଙ୍କ ପାଖରେ କୌଣସି ସୂଚନା ନାହିଁ ।

ପୂର୍ବରୁ କନକ ନ୍ୟୁଜକୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଫୋନ ଯୋଗେ ସୂଚନା ଦେଇ କହିଥିଲେ, ଖରା ଛୁଟି ବଢିବାର ନାହିଁ । ପୂର୍ବ ନିର୍ଦ୍ଧାରିତ ଘୋଷଣା ଅନୁସାରେ ଆସନ୍ତାକାଲି ଠାରୁ ସ୍କୁଲ ଖୋଲିବ । ହେଲେ ଏହାର ମାତ୍ର କିଛି ଘଂଟା ଭିତରେ ସରକାରୀ ସ୍ତରରେ ଥିବା ତ୍ରୁଟି ବିଚ୍ୟୁତି ସାମ୍ନାକୁ ଆସିଛି । ମନ୍ତ୍ରୀଙ୍କ ତଥ୍ୟ ନୁହେଁ ବରଂ ସଚିବ କହିଛନ୍ତି ୨୫ ଯାଏଁ ସ୍କୁଲ ଛୁଟି ରହିବ, ୨୬ରେ ଖୋଲିବ ।

ନବୀନ ସରକାର ପଂଚମ ଥର ପାଇଁ ଆସିବା ପରେ ପ୍ରତି ମାସରେ ମନ୍ତ୍ରୀଙ୍କ ଠାରୁ ରିପୋର୍ଟ ତଲବ କରିଛନ୍ତି । ସମୀକ୍ଷା କରାଯିବା ସହ ବିଭାଗକୁ ଲୋକାଭିମୁଖୀ କରିବାକୁ ରୋଡମ୍ୟାପ ତିଆରି କରାଯିବ । ହେଲେ ସ୍କୁଲ ଛୁଟି ବୃଦ୍ଧି ସଂକ୍ରାନ୍ତୀୟ ଏକ ସାଧାରଣ ନିଷ୍ପତ୍ତି ମନ୍ତ୍ରୀ ଓ ସଚିବଙ୍କ ଭିତରେ ଥିବା ତାରତମ୍ୟକୁ ସାମ୍ନାକୁ ନେଇ ଆସିଛି ।