ଭିଆଇପିଙ୍କ ହେଲିକପ୍ଟର ନିଶା ! ମାଓ ଲଢେଇ ନାଁରେ ନେତା କରୁଛନ୍ତି ମଉଜ୍

31

କନକ ବ୍ୟୁରୋ : ମାଓଦମନ ପାଇଁ କେନ୍ଦ୍ର ଦେଇଥିବା ହେଲିକପ୍ଟରରେ ଆକାଶରେ ଉଡିବାର ସଉକ ପୁରା କରୁଛନ୍ତି ଆମ ନେତା ଓ ଅମଲା । ଏହି ତଥ୍ୟ ଆସିଛି ସିଏଜିଙ୍କ ରିପୋର୍ଟରୁ । ମାଓବାଦୀ ଦମନ ଅଭିଯାନ ପାଇଁ ଆସିଥିବା ହେଲିକପ୍ଟରରେ ଉଡୁଛନ୍ତି ମନ୍ତ୍ରୀ ଓ ସରକାରୀ ବାବୁ । ରାଜ୍ୟର ଉପାନ୍ତ ଅଂଚଳରେ ନିୟୋଜିତ ସୁରକ୍ଷା କର୍ମୀଙ୍କ ପାଇଁ କେନ୍ଦ୍ର ସରକାର ଦେଇଥିବା ହେଲିକପ୍ଟରକୁ ଅଧିକାଂଶ ବ୍ୟବହାର କରୁଛନ୍ତି ଅମଲା ଓ ନେତା । ଚିଫ ଆକାଉଟାଂଟ ଜେନେରାଲ ତାଙ୍କ ରିପୋର୍ଟରେ ଦେଇଛନ୍ତି ଏମିତି ସାଂଘାତିକ ସତ ।

ସିଏଜି ଦେଇଥିବା ତଥ୍ୟଅନୁସାରେ ସୁରକ୍ଷା କର୍ମୀଙ୍କ ପାଇଁ ଏହି ହେଲିକପ୍ଟର ଫେବୃଆରୀ ୨୦୧୩ ରୁ ସେପ୍ଟେମ୍ଭର ୨୦୧୫ ଭିତରେ ୩୪୧ଥର ଉଡାଣ ଭରିଥିବା ବେଳେ ୫୩ ଥର ସୁରକ୍ଷା କର୍ମୀଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟ କରିଛି । ଯାହାକି ସମୁଦାୟ ଉଡାଣର ମାତ୍ର ୧୪ ପ୍ରତିଶତ । ଯାହାକି ସୁରକ୍ଷା ସମ୍ଭନ୍ଧୀୟ ଖର୍ଚ୍ଚର ନିୟମାବଳୀକୁ ସମ୍ପୂର୍ଣ୍ଣ ଉଲ୍ଲଘଂନ କରୁଛି । ଏପରିକି ଏହାକୁ ମାଓ ଅଧ୍ୟୁଷିତ ଅଂଚଳରେ ଏହାକୁ ରଖାଯିବା ପରିବର୍ତ୍ତେ ଭୁବନେଶ୍ୱରରେ ରଖାଯାଉଥିବାରୁ ପ୍ରତି ଉଡାଣ ପିଛା ଦିନକୁ ପ୍ରାୟ ୧୨ ଲକ୍ଷ ଟଙ୍କା ଅଧିକ ଖର୍ଚ୍ଚ କରାଯାଉଛି ।

ସିଏଜିଙ୍କ ରିପୋର୍ଟ ଅନୁସାରେ ମାଓ ଲଢେଇରେ ବ୍ୟବହାର ପାଇଁ କେନ୍ଦ୍ରର ଅନୁମତି ମିଳିବା ପୂର୍ବରୁ ୨୦୧୧ରେ ଓଡିଶା ସରକାର ପୱନହଂସ କମ୍ପାନୀଠାରୁ ୨୮ସିଟ ବିଶିଷ୍ଟ ଏମଆଇ-୧୭୨ ହେଲିକପ୍ଟର ଆଣିଥିଲେ । କିନ୍ତୁ ୨୦୧୩ ପ୍ରଥମରୁ ଏହା ଖରାପ ହେବା ପରେ ମଧ୍ୟ ସରକାର ଚୁକ୍ତି ବାତିଲ ନକରି ଏକ ୮ ସିଟ ବିଶିଷ୍ଟ ହେଲିକପ୍ଟର ଆଣି କାମଚଳାଇଛନ୍ତି ।

ନିୟମ ଅନୁସାରେ ଏହି ହେଲିକପ୍ଟର କେବଳ ସୁରକ୍ଷା କର୍ମୀଙ୍କ ପରିବହନ, ଯୁଦ୍ଧାସ୍ତ୍ର ଓ ଖାଦ୍ୟସାମଗ୍ରୀ ପରିବହନ ଓ ଉଦ୍ଧାର କାର୍ଯ୍ୟରେ ବ୍ୟବହାର କରାଯାଇପାରିବ । ସିଏଜିଙ୍କ ତଥ୍ୟ ଅନୁସାରେ ରାଜ୍ୟରେ ମାଓ ହିଂସା କମିଥିଲେ ମଧ୍ୟ ୧୮ଟି ଜିଳ୍ଲାରେ ଏବେ ବି ମାଓବାଦୀଙ୍କ ଗତିବିଧି ରହିଛି । ତେଣୁ ଏହି ତଥ୍ୟ ଏବେ ମାଓଦମନ ପାଇଁ ସରକାରୀ ମାନସିକତା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି ।