ନିର୍ବାଚନୀ ବର୍ଷରେ ବଢିଲା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ : କ୍ୱିଂଟାଲ ପିଛା ଏମଏସପି ୨ଶହ ଟଙ୍କା ବୃଦ୍ଧି କଲା କେନ୍ଦ୍ର

34

କନକ ବ୍ୟୁରୋ : ଚାଷୀଙ୍କ ଆୟ ଦୁଇ ଗୁଣା ଓ ଉତ୍ପାଦନ ଖର୍ଚ୍ଚର ଦେଢ ଗୁଣା ଲାଭ ନେଇ ଘୋଷଣା କରିଥିବା ମୋଦି ସରକାର, ଆଜି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । କ୍ୱିଂଟାଲ ପିଛା ଧାନର ଏମଏସପି ୧୫ଶହ ୫୦ ଟଙ୍କାରୁ ବଢାଇ ୧୭ଶହ ୫୦ ଟଙ୍କା କରିଛନ୍ତି । ୨୦୧୪ରେ କ୍ଷମତାକୁ ଆସିବା ପରଠାରୁ ଧାନ ମୂଲ୍ୟରେ ୪୪୦ଟଙ୍କା ବୃଦ୍ଧି କରିଥିବା ଦାବି କରିଛି ବିଜେପି, ଯାହା ୟୁପିଏ ସରକାର ୧୦ ବର୍ଷର ଶାସନଠାରୁ ଢେର୍ ଅଧିକ । ଏପଟେ ୨୯ଶହ ୩୦ ଟଙ୍କା ଦାବି କରୁଥିବା ବିଜେଡି, କେନ୍ଦ୍ରର ଏହି ଘୋଷଣାରେ ଅସନ୍ତୋଷ ପ୍ରକାଶ କରିଛି । ଘୋଷଣା ସର୍ବସ୍ୱ ମୋଦି ସରକାରଙ୍କୁ ନିର୍ବାଚନୀ ବର୍ଷରେ ଲୋକ୍ ଉଚିତ ଜବାବ ଦେବେ ବୋଲି ଦଳ କହିଛି ।

MSP

 

ନିର୍ବାଚନୀ ବର୍ଷକୁ ଆଖିରେ ରଖି ସାଧାରଣ ଧାନର ସର୍ବନିମ୍ନ ସହାୟକ ମୂଲ୍ୟରେ ୨୦୦ ଟଙ୍କା ବୃଦ୍ଧି କରିଛିି କେନ୍ଦ୍ର । ଅର୍ଥାତ ଧାନ କ୍ୱିଂଟାଲ ପିଛା ଏମଏସପି ୧୫୫୦ରୁ ବଢି ୧୭୫୦ ଟଙ୍କା ହୋଇଛି । ସ୍ୱାମୀ ନାଥନ କମିଟି ରିପୋର୍ଟ ଆଧାରରେ ଚାଷୀଙ୍କ ଉତ୍ପାଦନ ଖର୍ଚ୍ଚର ଦେଢଗୁଣା କରିବାକୁ ପ୍ରତିଶ୍ରୁତି ଦେଇଥିବା ମୋଦି ସରକାର କ୍ଷମତାରେ ରହିବାର ୪ବର୍ଷ ପରେ ପ୍ରତିଶ୍ରୁତି ପୂରଣ କରିଥିବା କହିଛିି ବିଜେପି । ହେଲେ କ୍ୱିଂଟାଲ ପିଛା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବାକୁ ଓଡିଶା ଦାବି କରିଆସୁଥିବାରୁ କେନ୍ଦ୍ରର ଏହି ଘୋଷଣା ବିଜେଡିକୁ ସନ୍ତୁଷ୍ଟ କରିପାରି ନାହିଁ । ଦଳ କହିଛି…

– ଧାନ କ୍ୱିଂଟାଲ ପିଛା ୨୦୪୩ ଟଙ୍କା ଖର୍ଚ୍ଚ କରୁଛି ଓଡିଶାର ଚାଷୀ

– ଏମଏସପି ୨୦୦ ଟଙ୍କା ବଢି କ୍ୱିଂଟାଲ ପିଛା ୧୭୫୦ ଟଙ୍କା ହେଲା

– ତେଣୁ ଧାନ କ୍ୱିଂଟାଲ ପିଛା ଓଡିଶା ଚାଷୀର କ୍ଷତି ପ୍ରାୟ ୩୦୦ ଟଙ୍କା

ଗତ ଆର୍ଥିକ ବର୍ଷରେ ଧାନ ଏମଏସପିରେ କେନ୍ଦ୍ର ମାତ୍ର ୮୦ ଟଙ୍କା ବୃଦ୍ଧି କରିବା ପରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏପରିକି ବିଧାନସଭାରେ ଏନେଇ ସମସ୍ତ ରାଜନୈତିକ ଦଳ ରିଜୋଲ୍ୟୁସନ ପାସ କରିଥିଲେ । ଧାନ କ୍ୱିଂଟାଲ ପିଛା ଏମଏସପି ୨୯୩୦ ଟଙ୍କା କରିବାକୁ କେନ୍ଦ୍ର ନିକଟରେ ଦାବି କରିବାକୁ ହୋଇଥିଲା ସହମତି ।

paddy price

ରାଜ୍ୟ ସରକାର ବାରମ୍ବାର ଅଭିଯୋଗ କରିଆସୁଛନ୍ତି ଯେ, ଧାନର ସର୍ବନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି ଲାଗି ଗଠିତ ହାଉସ କମିଟିକୁ ଭେଟିବା ପାଇଁ ସମୟ ଦେଇନଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ରୀୟ ଅବହେଳାର କଥା କହି ରାସ୍ତାରେ ପ୍ରତିବାଦ ବି କରିସାରିଛି ବିଜେଡି । ହେଲେ ବିଜେପି କହିଛି ମୋଦି ସରକାରଙ୍କ ଏହା ବଡ ଉପଲବ୍ଧି । ୟୁପିଏ ଅମଳରେ ଉପେକ୍ଷିତ ଚାଷୀ ଏନଡିଏ ଏମଳରେ ଲାଭବାନ ହୋଇଛନ୍ତି ।

କେନ୍ଦ୍ରରେ ମୋଦି ସରକାର କ୍ଷମତାକୁ ଆସିବା ପରେ ସାଧାରଣ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୪୪୦ ଟଙ୍କା ବଢିଛି ।
୨୦୧୩-୧୪- ୧୩୧୦
୨୦୧୪-୧୫- ୧୩୬୦
୨୦୧୫-୧୬- ୧୪୧୦
୨୦୧୬-୧୭- ୧୪୭୦
୨୦୧୭-୧୮- ୧୫୫୦
୨୦୧୮-୧୯- ୧୭୫୦

Source:

ଯାହା ୟୁପିଏ ସରକାରଙ୍କ ୧୦ ବର୍ଷ ଶାସନଠାରୁ ଢେର ଅଧିକ ବୋଲି ଦାବି କରିଛି ବିଜେପି । ହେଲେ ଭୌଗଳିକ ସ୍ଥିତି ଓ ପାଣିପାଗ ଦୃଷ୍ଟିରୁ ସବୁ ରାଜ୍ୟରେ ଚାଷୀଙ୍କ ଉତ୍ପାଦନ ଖର୍ଚ୍ଚ ସମାନ ହୋଇନଥିବାରୁ ଓଡିଶା ପରି ପ୍ରଦେଶ ପାଇଁ ଏମଏସପିରେ ୨୦୦ ଟଙ୍କ ବୃଦ୍ଧି ଆଶାଜନକ ନୁହେଁ ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି । ଯାହାକୁ ନେଇ ଆନ୍ଦୋଳନ ପାଇଁ ସଜବାଜ ହେଉଛି ବିଜେଡି ।