ରାଜଧାନୀରେ ଦୁଗ୍ଧ ବନ୍ୟା :ଓମଫେଡ୍ ର ଟାଳଟୁଳ ନୀତି ପ୍ରତିବାଦରେ ବିଧାନସଭା ଆଗରେ କ୍ଷୀର ଢାଳିଲେ ଚାଷୀ

32

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ରାଜଧାନୀ ରାଜରାସ୍ତାରେ କ୍ଷୀରର ସୁଅ । ଢଳାଚାଲିଛି କେନ୍ କେନ୍ କ୍ଷୀର । ଜଣକ ପରେ ଜଣେ ରାସ୍ତା ଉପରେ କ୍ଷୀର ଢାଳିଚାଲିଛନ୍ତି । ସରକାର ବିରୋଧୀ ନାରା ବି ଦିଆଚାଲିଛି । ସରକାରଙ୍କ ଚାଷୀ ମାରଣ ନୀତି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ଓଡିଶା ଦୁଗ୍ଧ ଚାଷୀ ମହାସଂଘ । ଚାଷୀଙ୍କ ଏଭଳି  ଆନ୍ଦୋଳନ ପଛରେ ରହିଛି ଏକ ବଡ କାରଣ । ସାରା ରାଜ୍ୟରେ କ୍ଷୀର ସଂଗ୍ରହ କମାଇ ଦେଇଛି ସରକାରୀ ଦୁଗ୍ଧ ଉତ୍ପାଦନ କମ୍ପାନୀ ଓମଫେଡ୍ । ଏପ୍ରିଲ ୧ ତାରିଖରୁ ୩୦ ପ୍ରତିଶତ କ୍ଷୀର ସଂଗ୍ରହ କମାଇ ଦେଇଛି ସଂସ୍ଥା । ଫଳରେ ସାରା ରାଜ୍ୟରେ ଦୁଗ୍ଧ ଚାଷୀଙ୍କ ମୁଣ୍ଡରେ ଯେମିତି ଚଡକ ପଡିଛି । ପ୍ରତିଦିନ ଚାଷୀଙ୍କ ପ୍ରାୟ ୨ ଲକ୍ଷ ଲିଟର କ୍ଷୀର ଫେରାଇ ଦିଆଯାଉଥିବା ଅଭିଯୋଗ ହେଉଛି । କ୍ଷୀର ବିକ୍ରି କରିବାକୁ ଆଣିଥିବା ଚାଷୀ ରାସ୍ତାରେ ଢାଳିଦେଇ ଯିବାକୁ ବାଧ୍ୟ ହେଉଛନ୍ତି । ଏଭଳି ସ୍ଥିତିରେ ଉଚିତ ମୂଲ୍ୟ ଦାବି କରିଛନ୍ତି ଚାଷୀ ।