ଓଡିଶାରେ କ୍ଷୀର ଏଟିଏମ୍ : ମିଲ୍କ ଏଟିଏମ କାର୍ଡକୁ ସ୍ୱାଇପ କଲେ ବାହାରୁଛି କ୍ଷୀର

ସମ୍ବଲପୁର ସାକ୍ଷୀପଡାରେ ଗ୍ରାହକଙ୍କୁ ସେବା ଯୋଗାଇ ଦେଉଛନ୍ତି ଯୁବ ବ୍ୟବସାୟୀ ଅଶ୍ୱନୀ ନାୟକ

216

କନକ ବ୍ୟୁରୋ : ସମ୍ବଲପୁରର ପ୍ରଥମ କ୍ଷୀର ଏଟିଏମ୍ । ଏଟିଏମ କାର୍ଡ ଭଳି ମିଲ୍କ ଏଟିଏମ କାର୍ଡକୁ ସ୍ୱାଇପ କଲେ ବାହାରୁଛି କ୍ଷୀର । ସହରର ଯୁବ ବ୍ୟବସାୟୀ ଅଶ୍ୱିନୀ କୁମାର ନାୟକ ପ୍ରତିଷ୍ଠା କରିଛନ୍ତି ଏହି ଏଟିଏମ୍ । ଆଉ ଏହା ଶୁଦ୍ଧ ଗାଈ କ୍ଷୀର ବୋଲି ଦାବି କରୁଛନ୍ତି ବ୍ୟବସାୟୀ । ପ୍ରତ୍ୟେକ ଦିନ ଏହି ମେସିନ ଦ୍ୱାରା ଅଶ୍ୱିନୀ ୭୫ ଲିଟର କ୍ଷୀର ବିକ୍ରି କରୁଛନ୍ତି । ସମ୍ବଲପୁରର ସାକ୍ଷୀପଡାରେ ଆରମ୍ଭ ହୋଇଛି ଏହି ଏଟିଏମ । ଅଶ୍ୱିନୀ ଜଣେ ଆଇଟି ପ୍ରଫେସନାଲ ହୋଇଥିବାବେଳେ ନିଜ ସାଙ୍ଗ ସହିତ ମେସିନ ବାବଦରେ ଆଲୋଚନା କରି ଦିଲ୍ଲୀରେ ତିଆରି କରିଛନ୍ତି ଏହି ମିଲ୍କ ଏଟିଏମ୍ । ଅଶ୍ୱିନୀ ନିଜେ ନିଜ ଫାର୍ମ ହାଉସରେ ଥିବା ୩୦ରୁ ଅଧିକ ଗାଈ କ୍ଷୀର ସଂଗ୍ରହ କଲା ପରେ କ୍ଷୀରକୁ ସମ୍ବଲପୁର ଆଣି ମେସିନରେ ଢାଳିଥାନ୍ତି ।

ମେସିନ ତାକୁ ୪ ଡିଗ୍ରୀରେ ଥଣ୍ଡା ରଖିଥାଏ । ଆଉ ଗ୍ରାହକ ମିଲ୍କ ଏଟିଏମ କାର୍ଡ ସ୍ୱାଇପ କରିବା ପରେ କ୍ଷୀର ଆପେ ଆପେ ଆସିଥାଏ । ମେସିନରେ ୨୫୦ ଗ୍ରାମରୁ ଧରି ୫ ଲିଟର ଯାଏଁ କ୍ଷୀର ବାହାରିବାର ବଟମ ଉପଲବ୍ଧ ରହିଛି । ମେସିନକୁ ପ୍ରତ୍ୟେକ ଦିନ ଗରମ ପାଣିରେ ଧୁଆଯିବା ସହ ହାଇଜେନିକ ପଦ୍ଧତିକୁ ଗୁରୁତ୍ୱ ଦିଆଯାଏ । ଏପରିକି ଗ୍ରାହକଙ୍କ କାର୍ଡରେ କେତେ ଟଙ୍କା ବାଲନ୍ସ ଅଛି ତାହା ମେସିନ ମଧ୍ୟ ଗ୍ରାହକଙ୍କୁ ସୂଚନା ଦେଇଥାଏ । କ୍ଷୀରକୁ ନେଇ ଗ୍ରାହକମାନେ ବି ଖୁସିଥିବା ଜଣାଯାଇଛି । ଗ୍ରାହକଙ୍କ କହିବା କଥା ହେଲା କ୍ଷୀରର ମାନ ଉଚ୍ଚକୋଟ୍ଟୀର ଥିବାବେଳେ ଓଜନ ମଧ୍ୟ ଠିକ୍ ରହୁଛି ।