ମଧ୍ୟପ୍ରଦେଶର ଯୁବରାଜ ମହାବୀର ସାତକୋଶିଆର ମହାରାଜ ହୋଇପାରିଲାନି ।

କାହ୍ନା ଅଭୟାରଣ୍ୟରେ ଥିଲେ ହୁଏତ ମହାବଳୀ ଭଳି ମହାବୀର ନିଶ ଫୁଲାଇ ବୁଲୁଥାନ୍ତା, ନିଜ ସାଙ୍ଗ ସାଥୀ ଆଉ ପ୍ରିୟଜନଙ୍କ ସହ । ମାତ୍ର ମଧ୍ୟପ୍ରଦେଶରୁ ନେଇଆସି ଏକାକୀ କରି ତାକୁ ସାତକୋଶିଆରେ ଛାଡିଥିବା ରାଜ୍ୟ ସରକାର ତାକୁ ବଂଚାଇ ପାରିଲେ ନାହିଁ । ମହାବଳ ଯଦି ମଣିଷ ହୋଇଥାନ୍ତା, ଆଜି ତାର ହତ୍ୟାକାରୀ କିଏ ତାକୁ ଖୋଜା ପଡିଥାନ୍ତା । ହେଲେ ସେ’ତ ବାଘଟିଏ, ନା ସେ କିଛି କାହିପାରୁଥିଲା, ନା ତାର କିଛି କ୍ଷୋଭ ଥିଲା । ତା ମୃତ୍ୟୁରେ ଏତେ ହଲାପଟା ବି ଜଙ୍ଗଲ ବିଭାଗ କରିବ, ଏଥିରେ ଢେର ସନ୍ଦେହ ରହିଛି ।

270

ଚାରି ମାସ ତଳେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଓଡିଶା ଚର୍ଚ୍ଚାର କେନ୍ଦ୍ରକୁ ଆସିଲା ଯେତେବେଳେ ଦେଶରେ ପ୍ରଥମ ଥର ପାଇଁ ରାଜ୍ୟ ସୀମା ଡିଆଁଇ ମହାବଳ ମହାବୀରକୁ ଓଡିଶାର ସାତକୋଶିଆ ଅଣାଯାଇଥିଲା । ମନ୍ତ୍ରୀ, ଅଧିକାରୀ ବାଘ ବଂଶ ବୃଦ୍ଧି କ୍ଷେତ୍ରରେ ଯୁଗାନ୍ତକାରୀ ପଦକ୍ଷେପ କହି ପ୍ରଶଂସା ସାଉଟିଥିଲେ । ହେଲେ ସାତକୋଶିଆରେ ୫ ମାସ ବି ପୂରଣ କରିପାରିଲାନି ମହାବୀର । କୋର ଏରିଆରେ ମିଳିଲା ମହାବଳ ମହାବୀରର ମୃତଦେହ । ଏବେ ଅପବାଦ ବି ବିଭାଗର ମୁଣ୍ଡ ଉପରକୁ ଆସିଲା ।

MAHAVIR
ବାଘକୁ ମାରିଲା କିଏ? ହୁଏତ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିବ ଶିକାରୀର ଶିକାର ବନିଲା ନା ଭିନ୍ନ କିଛି କାରଣ ରହିଲା । ହେଲେ ବନ ବିଭାଗ କିନ୍ତୁ ଏହି ହତ୍ୟାର ଅପବାଦରୁ ମୁକୁଳି ପାରିବ ନାହିଁ । ବିନା କୈାଣସି ପ୍ରସ୍ତୁତି ଆଉ ବ୍ୟବସ୍ଥା ବିନା ନିଆଯାଇଥିବା ଏହି ପଦକ୍ଷେପ ଶେଷରେ ସାତକୋଶିଆର ସ୍ୱପ୍ନକୁ ବି ମାରିଦେଇଛି ।


ରାଜ୍ୟ ସରକାର କଣ ଜବାବ ରଖିବେ? ଏନଟିସିଏ ଅଧିକାରୀଙ୍କ ପ୍ରଶ୍ନର କଣ ଉତ୍ତର ଦେବେ? ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟ ଅଧିକାରୀଙ୍କୁ କଣ ବୁଝାଇବେ? ଓଡିଶା ଆଣି ମହାବୀରକୁ ଜଙ୍ଗଲର ମହାରାଜା କରି ରଖିବା ବଦଳରେ ଶିକାରୀଙ୍କ ଶିକାର ହେବାକୁ କାହିଁକି ଛାଡିଲା ବନ ବିଭାଗ? ମହାବୀରର ମୃତ୍ୟୁ ପାଇଁ ବିଭାଗୀୟ ଅଧିକାରୀ ମଧ୍ୟ ସମ ପରିମାଣରେ ଦାୟୀ କାହିଁକି ହେବେନାହିଁ?


ବାଘକୁ ନେଇ ସାତକୋଶିଆରେ ଏକ ବଡ ଧରଣର ଅସନ୍ତୋଷ ଥିଲା । ଦୁଇଟି ଦିଗକୁ ନେଇ ବିତର୍କ କରାଯାଇପାରେ । ଜଙ୍ଗଲରେ ମଣିଷ ରହିବେ ନା ବାଘ ରହିବେ । ହେଲେ ବଡ କଥା ହେଉଛି, ରାଜ୍ୟ ଜଙ୍ଗଲ ବିଭାଗ କେତେ ପ୍ରସ୍ତୁତ ଥିଲା ବାଘକୁ ସୁରକ୍ଷା ଦେବା ନେଇ । ସାତକୋଶିଆରେ ବାଘ ବଂଶ ବଢାଇବା ପାଇଁ ରାଜ୍ୟ ସରକାର ସିନା କାଗଜ କଲମରେ ପ୍ରସ୍ତୁତି କରିଦେଲେ, ହେଲେ ସ୍ଥାନୀୟ ଅଂଚଳରେ ସେତେଟା ପ୍ରସ୍ତୁତି ନଥିଲା, ଯାହା ଲୋକ ମାନଙ୍କୁ ବିଶ୍ୱାସରେ ନେଇ କରାଯିବାର ଆବଶ୍ୟକତା ଥିଲା । ତରବରିଆ ନିଷ୍ପତ୍ତି ଶେଷରେ ଗୋଟିଏ ବାଘର ଜୀବନ ନେଇଗଲା କି?


ବାଘକୁ ଛାଡିବା ଆଗରୁ ରାଜ୍ୟ ସରକାର ସାତକୋଶିଆ ବାବଦରେ କଣ ଅନୁଧ୍ୟାନ କରିନଥିଲେ । କିଭଳି ଏହି ଅଂଚଳ ବାଘଶୂନ୍ୟ ହୋଇଗଲା? ୨୦୦୪ରେ ୧୧ଟି ବାଘ ଥିବା ନେଇ କୁହାଯାଉଥିବା ବେଳେ ୨୦୧୬ ବେଳକୁ ଏହା ୨କୁ ଖସି ଆସିଥିଲା । ଶିକାରୀଙ୍କ ଚଳପ୍ରଚଳ ହେଉ ଅବା ମାଓବାଦୀଙ୍କ ରହଣୀ ସ୍ଥଳ । କିଭଳି ବାଘ ସଂଖ୍ୟା କମିଥିଲେ, ଏହାର ନିରାକରଣ ବଦଳରେ ତରବରିଆ ଭାବେ ବାଘକୁ ଆଣି ଜଙ୍ଗଲ ଭିତରେ ଛାଡିଦେବା ଯୋଗୁଁ ହିଁ ଏଭଳି ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି ।

tiger
ପ୍ରଥମରୁ ହିଁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଥିଲା, ବାଘ ସେମାନଙ୍କ ଦୈନନ୍ଦିନ ଚଳଣୀକୁ ପ୍ରଭାବିତ କରିବ । ମହାବୀର ପରେ ଯେତେବେଳେ ସୁନ୍ଦରୀ ସାତକୋଶିଆ ଆସିଥିଲା, ସେତେବେଳ ଏହି ଅସନ୍ତୋଷ ଉଗ୍ରରୂପ ଧାରଣ କରିଥିଲା । ସାତକୋଶିଆର କୋର ଏରିଆରୁ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ବଫର ଏରିଆରେ ଲୋକେ ରହୁଥଲେ । ଆଉ ଗୋପାଳନ ଏମାନଙ୍କର ଏକ ମୁଖ୍ୟ ଧାରା ଥିଲା । ବାଘ ଭଳି ହିଂସ୍ର ଜନ୍ତୁଙ୍କର ଆକ୍ରମଣର ଆଶଙ୍କା ରହୁଥିବାରୁ, ଲୋକେ ମାରିଦେବାର ଧମକ ମଧ୍ୟ ଦେଇଥିଲେ । ହେଲେ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ନଦେବାରୁ ଶେଷରେ ରାଜ୍ୟ ସରକାରଙ୍କର ପ୍ରୋଜେକ୍ଟ ଟାଇଗର ଅଧାରେ ବନ୍ଦ ହୋଇଯାଇଛି ।


ଗୋଟିଏ ପଟେ ସୁନ୍ଦରୀ ଧରାପଡି ରାଇଗୁଡା ଜଙ୍ଗଲର ଆବଦ୍ଧ ଅଂଚଳରେ ରହିଛି ଆଉ ଅନ୍ୟପଟେ ମହାବଳ ମହାବୀରର ମୃତ୍ୟୁ ହୋଇଛି । ଏଭଳି ସ୍ଥିତିରେ ରାଜ୍ୟ ସରକାର ଯେଉଁ ଅପବାଦ ମୁଣ୍ଡାଇଲେ ଏବଂ ବାଘକୁ ସୁରକ୍ଷା ଦେଇ ପାରୁନାହାନ୍ତି ବୋଲି ଯେଉଁ ଧାରଣ ତିଆରି ହେଲା ସେନେଇ ଅନ୍ୟ କୈାଣସି ରାଜ୍ୟ ଯେ ଓଡିଶାକୁ ବାଘ ଆଣିବାକୁ ଦେବେ, ଏହା କଳ୍ପନାର ବାହାରେ । ଏଭଳି କ୍ଷେତ୍ରରେ ରାଜ୍ୟ ସରକାରଙ୍କର ଯୁକ୍ତି କଣ ରହିବ, ତାହା ଗୁରୁତ୍ୱପୂର୍ଣ୍ଣ ।

odisha government to bring tiger
୩ ବର୍ଷର ମହାବଳ ମହାବୀର ଭାବିନଥିବ, ଯେଉଁ ନୂଆ ଅଂଚଳକୁ ସେ ଆସିଛି ସେଠାରେ ଅତିଥି ଦେବୋ ଭବଃର ନାରାକୁ କେହି ବୁଝନ୍ତିନି । ୫ ମାସ ଭିତରେ କେବେବି ମହାବୀର ନାଁରେ ଅପବାଦ ଆସିନଥିଲା, ଯେତିକି ସୁନ୍ଦରୀ ନାଁରେ ଆସିଥିଲା । ତଥାପି ମହାବଳକୁ ନେଇ ଥିବା ଧାରଣ ଆଉ ଲୋକେ ଦେଖାଇଥିବା ନାଲିଆଖି ହିଁ ବାଜି ମାରିନେଲା ।


ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବା ଲୋକ ପ୍ରଥମରୁ ହିଁ ସ୍ପଷ୍ଟ କରିଥିଲେ, ବନ ବିଭାଗ ସେମାନଙ୍କ ସହ ବିନା କୈାଣସି ଆଲୋଚନାରେ ବାଘ ଛାଡିବା ନେଇ ନିଷ୍ପତ୍ତି ନେଛି । ଯଦିଓ ପିସିସିଏଫ ଏହାକୁ ଖଣ୍ଡନ କରିଥିଲେ କିନ୍ତୁ ବଢୁଥିବା ଅସନ୍ତୋଷକୁ ଦେଖି ପ୍ରୋଜେକ୍ଟ ଟାଇଗରକୁ ଅଟକାଇ ଦେଇଥିଲେ ମଧ୍ୟପ୍ରଦେଶ ସରକାର ।


୨୦୦୪ରେ ବାଘ ଗଣନା ଅନୁସାରେ ରାଜ୍ୟରେ ୧୯୨ ବଘ ଥିବା କଥା କୁହାଯାଉଥିବା ବେଳେ ୨୦୧୬ରେ ଏହା ଖସି ଆସିଲା ୪୦କୁ । ଯଦିଓ ସଂଖ୍ୟାକୁ ନେଇ ବିବାଦ ଏତେ ଅଧିକ ରହିଛି ଯେ, ଏନଟିସିଏ ଭିନ୍ନ ତଥ୍ୟ ଦେଉଛି ଆଉ ରାଜ୍ୟ ସରକାର ଅଲଗା କଥା କହୁଛନ୍ତି ।


ମହାବୀରକୁ ସୁରକ୍ଷା ଦେବା ପାଇଁ କନ ଉଦ୍ୟମ କରିଥିଲା ଜଙ୍ଗଲ ବିଭାଗ । ବେକରେ ରେଡିଓ କଲାର ଲଗାଇ ଗତିବିଧି ଉପରେ ନଜର ରଖିଥିଲା । ପ୍ରଶ୍ନ ଉଠିବା ସ୍ୱାଭାବିକ, ରେଡିଓ କଲାର ସଠିକ ଢଙ୍ଗରେ କାର୍ଯ୍ୟ କରୁଥିଲା କି ନାହିଁ । କାରଣ ସୁନ୍ଦରୀ ବେକରେ ଲାଗିଥିବା ରେଡିଓ କଲାର ଜରିଆରେ ତାକୁ ଠାବ କରିବାକୁ ପାଖାପାଖି ମାସେ ସମୟ ଲାଗିଗଲା । ଆଉ ମହାବୀର କ୍ଷେତ୍ରରେ ତ ବନ ବିଭାଗ କୈାଣସି ଖବର ରଖୁଥିଲା କି ନାହିଁ, ତାହା ବି ସନ୍ଦେହ ଘେରରେ ।


ଯେଉଁ ମଧ୍ୟପ୍ରଦେଶରୁ ବାଘ ଆଣି, ବାଘ ବଂଶ ବଢାଇବାକୁ ରାଜ୍ୟ ସରକାର ଯୋଜନା କଲେ, ସେଠାରୁ କିଛି ବି ଶିଖିଲେ ନାହିଁ । କିଭଳି ବ୍ୟାଘ୍ର ପର୍ଯ୍ୟଟନ ଜରିଆରେ ସ୍ଥାନୀୟ ଅଂଚଳର ସ୍ଥିତିରେ ଉନ୍ନତି ଆସିଲା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଏହା ବେଶ ଉପଯୋଗୀ ସାବ୍ୟସ୍ତ ହେଲା, ଏହା ବୁଝିବାରେ ବୋଧହୁଏ ରାଜ୍ୟ ବନ ବିଭାଗର ଘୋର ତ୍ରୁଟି ରହିଗଲା ।


୧୨ ବର୍ଷ ଭିତରେ ବାଘ ସଂଖ୍ୟା ଯେତେବେଳେ ୧୫୦ କମୁଛି, ଠିକ ସେତିକି ବେଳେ ବୁଝିବାର ମଧ୍ୟ ଆବଶ୍ୟକତା ରହୁଛି, ରାଜ୍ୟରେ ବାଘ ସଂଖ୍ୟା ବଢାଇବାକୁ ଜଙ୍ଗଲ ବିଭାଗ କେତେ ସଚେତନତାର ସହ କାର୍ଯ୍ୟ କରୁଛି । ମୂଳ କଥାକୁ ମଧ୍ୟ ଭୁଲିବା ଅନୁଚିତ, ମହାବୀରର ହତ୍ୟାକାରୀ କିଏ?

tiger
କାହ୍ନା ଅଭୟାରଣ୍ୟରେ ଥିଲେ ହୁଏତ ମହାବଳୀ ଭଳି ମହାବୀର ନିଶ ଫୁଲାଇ ବୁଲୁଥାନ୍ତା, ନିଜ ସାଙ୍ଗ ସାଥୀ ଆଉ ପ୍ରିୟଜନଙ୍କ ସହ । ମାତ୍ର ମଧ୍ୟପ୍ରଦେଶରୁ ନେଇଆସି ଏକାକୀ କରି ତାକୁ ସାତକୋଶିଆରେ ଛାଡିଥିବା ରାଜ୍ୟ ସରକାର ତାକୁ ବଂଚାଇ ପାରିଲେ ନାହିଁ । ମହାବଳ ଯଦି ମଣିଷ ହୋଇଥାନ୍ତା, ଆଜି ତାର ହତ୍ୟାକାରୀ କିଏ ତାକୁ ଖୋଜା ପଡିଥାନ୍ତା । ହେଲେ ସେ’ତ ବାଘଟିଏ, ନା ସେ କିଛି କାହିପାରୁଥିଲା, ନା ତାର କିଛି କ୍ଷୋଭ ଥିଲା । ତା ମୃତ୍ୟୁରେ ଏତେ ହଲାପଟା ବି ଜଙ୍ଗଲ ବିଭାଗ କରିବ, ଏଥିରେ ଢେର ସନ୍ଦେହ ରହିଛି ।