ପ୍ରତିବର୍ଷ ୧୦ ଲକ୍ଷ ଯୁବକ ଓ ଯୁବତୀଙ୍କୁ ସୈନ୍ୟ ପ୍ରଶିକ୍ଷଣ ଦେବେ ମୋଦି ସରକାର । ମିଳିବ ଷ୍ଟାଇପେଣ୍ଡ, ସୈନ୍ୟବାହିନୀରେ ଚାକିରି ପାଇଁ ମିଳିବ ସୁବିଧା

57

ଏଣିକି ପ୍ରତିବର୍ଷ ଏକାଥରକେ ୧୦ ଲକ୍ଷ ଯୁବକ ଓ ଯୁବତୀଙ୍କୁ ସୈନ୍ୟ ପ୍ରଶିକ୍ଷଣ ଦେବେ ମୋଦି ସରକାର । ଯୁବକ ଓ ଯୁବତୀଙ୍କ ମଧ୍ୟରେ ରାଷ୍ଟ୍ରପ୍ରେମ ଓ ଅନୁଶାସନ ବୃଦ୍ଧି କରିବା ଲକ୍ଷ୍ୟରେ ଏହା ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି ମୋଦି ସରକାର । ଭାରତରେ ବଢି ଚାଲିଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ନ୍ୟାସନାଲ ୟୁଥ୍ ଇମ୍ପପାୱାରମେଣ୍ଟ ସ୍କିମ ବା N-YES ଅନୁଯାୟୀ ଯୁବଗୋଷ୍ଠୀଙ୍କୁ ସୈନ୍ୟ ପ୍ରଶିକ୍ଷଣ ଦେବାକୁ ଚିନ୍ତା କରୁଛନ୍ତି ସରକାର ।

ଏହି ସ୍କିମ ଅନୁଯାୟୀ, ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଏହି ପ୍ରଶିକ୍ଷଣ ଦିଆଯିବ । ୧ ବର୍ଷ ପର୍ଯ୍ୟନ୍ତ ଏହି ପ୍ରଶିକ୍ଷଣ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି ।ଏହି ସମୟ ମଧ୍ୟରେ ଯୁବକ ଓ ଯୁବତୀ ମାନଙ୍କୁ ୧୨ ମାସର ଷ୍ଟାଇପେଣ୍ଡ ଦେବାର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହାଛଡା ଆଗାମୀ ଦିନରେ ଡିଫେନ୍ସ, ପାରାମିଲିଟାରୀ ଓ ପୋଲିସରେ ଭର୍ତ୍ତି ହେବା ପାଇଁ ଏହି ପ୍ରଶିକ୍ଷଣ ଅନିବାର୍ଯ୍ୟ କରାଯିବ ବୋଲି ଜଣାପଡିଛି । ତେଣୁ ପୋଲିସ ଓ ସୈନ୍ୟ ବିଭାଗରେ ଚାକିରି କରିବାକୁ ଇଚ୍ଛୁକ ଥିବା ଯୁବକ ଓ ଯୁବତୀ ମାନଙ୍କ ପାଇଁ ଏହି ପ୍ରଶିକ୍ଷଣ ନେବା ବାଧ୍ୟତାମୂଳକ ରହିବ ।

ଇଣ୍ଡିଆନ ଏକ୍ସପ୍ରେସ ମୁତାବିକ, ଏହି ପ୍ରସ୍ତାବିତ ଯୋଜନା ଉପରେ ବିଚାର କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବୈଠକ ମଧ୍ୟ ବସିଥିଲା । ଯେଉଁଥିରେ ପ୍ରତିରକ୍ଷା ମନ୍ତ୍ରାଳୟ, ମାନବ ସମ୍ବଳ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ମାନେ ସାମିଲ ହୋଇଥିଲେ । ଏହି ବୈଠକରେ ସାମିଲ ହୋଇଥିବା କିଛି ଅଧିକାରୀ ଏହି ଯୋଜନା ବଦଳରେ ଏନସିସିକୁ ବିସ୍ତାର କରିବାକୁ ମତ ଦେଇଥିଲେ । ଏହି ଯୋଜନା ଜରିଆରେ ଯୁବଗୋଷ୍ଠୀଙ୍କ ମନରେ ରାଷ୍ଟ୍ରବାଦ, ଅନୁଶାସନ ଓ ଆତ୍ମସମ୍ମାନ ବୃଦ୍ଧି କରାଯିବ । ଏହାଛଡା ମୋଦିଙ୍କ ନ୍ୟୁ-ଇଣ୍ଡିଆ ୨୦୨୨ ଭିଜନରେ ମଧ୍ୟ ସହାୟକ ହେବ ।