ପାରାଦ୍ୱୀପବାସୀଙ୍କ ଲାଗି ଖୁସି ଖବର । ଜନସାଧାରଣଙ୍କ ଦାବି ଅନୁସାରେ ଆଗାମୀ ୮ତାରିଖରୁ ଗଡିବ ମେମୁ ଟ୍ରେନ

59
କନକ ବ୍ୟୁରୋ : ଆଗାମୀ ସାଧାରଣ ନିର୍ବାଚନକୁ ଆଉ ମାତ୍ର ଅଳ୍ପ ଦିନ ବାକି ଥିବାରୁ ବିଭିନ୍ନ ରାଜନୈତିକ ଦଳମାନଙ୍କ ପକ୍ଷରୁ ଲୋକମାନଙ୍କ ପାଇଁ ଅନେକ ଯୋଜନା ଘୋଷଣା କରାଯାଉଛି । ତେବେ ମିଳିଥିବା ସୂଚନା ଅନୁସାରେ ପାରାଦ୍ୱୀପକୁ ଏକ ନୂଆ ମେମୁ ଟ୍ରେନ ଚାଲିବ । ଏଣିକି କଟକରୁ ପାରାଦୀପକୁ ଗଡ଼ିବ ‘ମେମୁ’( ମେନ ଲାଇନ ଇଜିଂନ ମଲଟିପୁଲ ୟୁନିଟ) ଟ୍ରେନ୍। ଅକ୍ଟୋବର ୮ ତାରିଖଠାରୁ ଏହି ଟ୍ରେନ୍ ଚାଲିବା ନେଇ ପୂର୍ବତଟ ରେଳପଥ ପକ୍ଷରୁ ଗତକାଲି ସୂଚନା ଦିଆଯାଇଛି।
ମେମୁ ଟ୍ରେନ୍ ଆରମ୍ଭ ହେବା ପରେ କଟକ-ପାରାଦ୍ୱୀପ-କଟକ ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନ୍ ସେବା(୫୮୫୩୫/୫୮୫୩୬)କୁ ବାତିଲ୍ କରାଯିବ। ବ୍ରହ୍ମପୁର-କଟକ-ବ୍ରହ୍ମପୁରକୁ ଗଡ଼ୁଥିିବା ମେମୁ ଟ୍ରେନ୍(୬୮୪୩୪/୬୮୪୩୩) ସେବାକୁ ପାରାଦ୍ୱୀପ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ବ୍ରହ୍ମପୁର-ପାରାଦ୍ୱୀପ-ବ୍ରହ୍ମପୁର ନାମରେ ଏହା ନାମିତ ହେବ। ଟ୍ରେନରେ ଉଭୟ ପାର୍ଶ୍ୱରେ ଇଞ୍ଜିନ୍ ରହିଛି। ତେଣୁ ଇଞ୍ଜିନ୍ ବଦଳାଇବାକୁ ପଡ଼ିବ ନାହିଁ। ଦ୍ରୁତ ଗତିରେ ଚାଲୁଥିବା ଏହି ଟ୍ରେନ୍ ଦ୍ୱାରା ଯାତ୍ରୀମାନେ କମ୍ ସମୟରେ ପାରାଦୀପରେ ପହଞ୍ଚିପାରିବେ। ସୂଚନାଯୋଗ୍ୟ ଓଡ଼ିଶାରେ ପ୍ରଥମ ଥର ପାଇଁ ଗତ ଏପ୍ରିଲ୍ ମାସରେ ଭଦ୍ରକ ଓ ବ୍ରହ୍ମପୁର ମଧ୍ୟରେ ଏହି ଟ୍ରେନ୍ ଗଡ଼ିଥିଲା। ତେବେ ଅନେକ ସମୟରେ ଅଭିଯୋଗ ହୋଇ ଆସୁଥିଲା ପାରାଦ୍ୱୀପକୁ ଯାଉଥିବା ଟ୍ରେନ ନିର୍ଦ୍ଧାରିତ ସମୟଠାରୁ ଅନେକ ସମୟରେ ବିଳମ୍ବରେ ପହଞ୍ଚୁଛି ତେଣୁ ଏହି ଟ୍ରେନ ଚାଲିଲେ ଅନେକ ସ୍ଥାନୀୟ ଲୋକ ଉପକୃତ ହେବେ ବୋଲି ସୂଚନା ମିଳିଛି ।