ମାୟାନଗରୀ ଠୁ ଆରମ୍ଭ କରି ଦେଶରେ ଝଡ଼ ସୃଷ୍ଟି କରିଛି  ‘ମି ଠୁ’ ଅଭିଯାନ । ଜାଣନ୍ତୁ କିଏ ଏବଂ କେଉଁଠୁ ଏହାକୁ କରିଥିଲେ ଆରମ୍ଭ…

222

କନକ ବ୍ୟୁରୋ: ସାରା ଦେଶରେ ଝଡ଼ ସୃଷ୍ଟି କରିଛି ‘ମି ଠୁ’ ଅଭିଯାନ । ଯାହାକୁ ନେଇ ରାଜନେତା ଠାରୁ ଆରମ୍ଭ କରି ପ୍ରତିଷ୍ଠିତ ଫିଲ୍ମ କଳାକାର ଓ ନିର୍ଦ୍ଦେଶକ ମାନେ ଏହି ବିବାଦ ଘେରରେ ଛନ୍ଦି ହେବାରେ ଲାଗିଛନ୍ତି । ‘ମି ଠୁ’ ଅଭିଯାନ ଜରିଆରେ ବିଭିନ୍ନ କ୍ଷେତ୍ରରେ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ମହିଳାମାନେ ମୁହଁ ଖୋଲିବାରେ ଲାଗିଛନ୍ତି। ଚଳଚିତ୍ର ଠାରୁ ଆରମ୍ଭ କରି ଗଣମାଧ୍ୟମ ପ୍ରତିନିଧି ଓ ଉଚ୍ଚ ପଦପଦବୀରେ ଥିବା ବ୍ୟକ୍ତିମାନେ କେଉଁଭଳି ଭାବେ ମହିଳାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇବାର ସ୍ଵପ୍ନ ଦେଖାଇ ସେମାନଙ୍କୁ ଯୌନ ଶୋଷଣର ଶିକାର ବନାନ୍ତି, ତା’ର କାହାଣୀ ଏବେ ‘ମି ଠୁ’ ଅଭିଯାନ ଜରିଆରେ ସାମ୍ନାକୁ ଆସୁଛି।

ତେବେ ଏଠି ପ୍ରଶ୍ନ ଉଠିବା ସ୍ୱଭାବିକ ଯେ, ଏହି ଅଭିଯାନର ଉତ୍ପତି ବା ଆରମ୍ଭ କେଉଁଠାରୁ ହୋଇଥିଲା । କିଏ ସେହି ବ୍ୟକ୍ତି ଯିଏ ଏହି ଅଭିଯାନକୁ ଆରମ୍ଭ କରିଥିଲେ ଯାହା ବର୍ତ୍ତମାନ ଅନେକଙ୍କ ନିଦ ହଜାଇବାରେ ଲାଗିଛି । କିଏ , କେଉଁ ମୁହୁର୍ତ୍ତରେ କାହା ନାଁରେ ‘ମି ଠୁ’ ଆରୋପ ଲଗାଇଦେବ ତାକୁ ନେଇ ଅନେକଙ୍କ କର୍ମ କ୍ଷେତ୍ରରେ ଚଡ଼କ ପଡିଛି ।

ତେବେ ଏହି ‘ମି ଠୁ’ ଅଭିଯାନ କିଏ ଏବଂ କେବେ ଆରମ୍ଭ କରିଥିଲେ ଆସନ୍ତୁ ଜାଣିବା ଏହାର ଇତିହାସ ସମ୍ପର୍କରେ କିଛି ବିଶେଷ ତଥ୍ୟ । ଏକ ରିପୋର୍ଟ ଅନୁସାରେ ୨୦୦୬ ମସିହାରେ ନ୍ୟୁୟର୍କରେ ରହୁଥିବା ଆଫ୍ରିକା-ଆମେରିକା ସିଭିଲ୍ ରାଇଟ୍ସ ସାମାଜିକ କର୍ମୀ ତାରନା ବୁରକେ ହିଁ ପ୍ରଥମେ ‘ମି ଠୁ’ ଅଭିଯାନ ଆରମ୍ଭ କରିଥିଲେ । ବିଭିନ୍ନ କର୍ମକ୍ଷେତ୍ରରେ ଏବଂ ସମାଜରେ ଯୌନ ନିର‌୍ୟାତନାର ଶିକାର ହେଉଥିବା ମହିଳାମାନଙ୍କୁ ନ୍ୟାୟ ଓ ସୁରକ୍ଷା ଦେବା ପାଇଁ ସେ ଏଭଳି ‘ମି ଠୁ’ ଅଭିଯାନ ଆରମ୍ଭ କରିଥିଲେ । ୧୩ ବର୍ଷ ତଳେ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ଜଣେ ମହିଳାଙ୍କ ସହ ଆଲୋଚନା କରିବା ପରେ ବୁରକେ ଏପରି ଅଭିଯାନ ଆରମ୍ଭ କରିବେ ବୋଲି ଚିନ୍ତା କରିଥିଲେ ।  ଏବଂ ତାହା ପରଠାରୁ ସେ ମହିଳାମାନଙ୍କୁ ସହଯୋଗ କରି ଆସୁଛନ୍ତି।

ତେବେ ଏଥି ପାଇଁ ତାଙ୍କୁ ୨୦୧୭ରେ “ଟାଇମ୍ସ ପର୍ସନ ଅଫ ଦି ଇୟର” ପୁରସ୍କାର ମଧ୍ୟ ମିଳିଥିଲା । ଯେବେ ଏହି ଅଭିଯାନ ଆରମ୍ଭ ହୋଇଥିଲା ହଲିଉଡର ପ୍ରତିଷ୍ଠିତ ଅଭିନେତ୍ରୀ ଆଲିୟାସ ମିଲାନୋ ଏହି ‘ମି ଠୁ’ ଅଭିଯାନକୁ ସମର୍ଥନ କରି ଟ୍ୱିଟ୍ କରିବା ପରେ ସାରା ବିଶ୍ୱରେ ଚହଳ ସୃଷ୍ଟି ହୋଇଥିଲା। ଏହା ପରଠାରୁ ଅଭିଯାନ ଆରମ୍ଭ କରିବାର କିଛି କ୍ଷଣ ମଧ୍ୟରେ ୫୦୦ ଜଣ ଟ୍ୱିଟର ବ୍ୟବହାରକାରୀ ଏହାକୁ ପ୍ରଚାର କରିବା ଆରମ୍ଭ କରିଥିଲେ। ଏବଂ ‘ମି ଠୁ’ ଅଭିଯାନର ପ୍ରତିଷ୍ଠାତା ତଥା ତରାନା ବୁରକେଙ୍କ ଏହି ଅଭିଯାନ ୨୦୦୬ ମସିହା ପରଠାରୁ ଆରମ୍ଭ ହୋଇଥିଲେ ମଧ୍ୟ ଗତ ୨ ବର୍ଷ ହେବ ଏହାର ପ୍ରଭାବ ନଜର ଆସିଥିଲା । ଏବେ ଏହା ଏକ ଜୁଆର ଭଳି ମାଡ଼ିବାରେ ଲାଗିଛି ।