ଦିନକୁ ଦିନ ଘର ପାଖକୁ ମାଡି ଆସୁଛି କୋଇଲା ଖଣି । ଭୟଙ୍କର ବିସ୍ଫୋରଣ କରି କୋଇଲା ଖୋଳି ନେଉଛି କମ୍ପାନୀ, ହେଲେ ଜମି ହରାଇଥିବା ବିସ୍ଥାପିତଙ୍କ ଦୁଃଖ ବୁଝୁନି ଏମସିଏଲ୍ ।

425

କନକ ବ୍ୟୁରୋ : ଦିନକୁ ଦିନ ଜନ ବସତି ଆଡକୁ ମାଡି ଆସୁଛି କୋଇଲା ଖଣି । ଭୟଙ୍କର ବିସ୍ଫୋରଣ କରି କୋଇଲା ଖୋଳି ନେଉଛି ଝାରସୁଗୁଡା ମହାନଦୀ କୋଇଲା କମ୍ପାନୀ । ହେଲେ ଖଣି ପାଇଁ ଜମି ହରାଇଥିବା ବିସ୍ଥାପିତଙ୍କ ଦୁଃଖ ବୁଝୁନି ଏମସିଏଲ୍ । ପ୍ରତିଶ୍ରୁତି ମୁତାବକ ବିସ୍ଥାପିତ ପରିବାର ସଦସ୍ୟଙ୍କୁ ମିଳୁନି ଚାକିରି । ଅତି ଦୟନୀୟ ଅବସ୍ଥାରେ ଜୀବନ ଜିଉଁଛନ୍ତି ଖଣି ଅଂଚଳରେ ଲୋକେ ।

ମାଡୁଛି ଏମ୍.ସି.ଏଲ୍ କୋଇଲା ଖଣି । ବାସ ହରାଉଛନ୍ତି ବସ୍ତି ବାସିନ୍ଦା । କାୟା ବିସ୍ତାର କରୁଛି ଝାରସୁଗୁଡା ଲଖନପୁର ଅଂଚଳରେ ଥିବା ମହାନଦୀ କୋଇଲା କମ୍ପାନୀ । ବିସ୍ଫୋରଣ ଦ୍ୱାରା କୋଇଲା ଖଣି ଖନନ ଯୋଗୁଁ ଲଖନପୁର ଖଣି ନିକଟ ଗାଁ ଗୁଡିକରେ ବିସ୍ଥାପନ ସମସ୍ୟା ଲାଗି ରହିଛି । ଭୟଙ୍କର ବିସ୍ଫୋରଣ ଯୋଗୁଁ ଘରଦ୍ୱାର ଭାଙ୍ଗି ଯାଉଥିବା ବେଳେ ଏମସିଏଲ ନୀୟମ ଅନୁଯାୟୀ କ୍ଷତିପୂରଣ ଦେଉନଥିବା ଅଭିଯୋଗ ହୋଇଛି । କୋଇଲା ଖଣି ପାଇଁ ୧୯୮୬ ମସିହାରୁ ଜମି ଅଧିଗ୍ରହଣ କରିଛି ମହାନଦୀ କୋଇଲା କମ୍ପାନୀ । କୋଇଲା ଖଣି ସଂପ୍ରସାରଣ ମଧ୍ୟ ହେଉଛି । ହେଲେ ଆଜି ଯାଏଁ ଲଖନପୁର ବ୍ଲକର ଟିଙ୍ଗିସମାଲ ଓ ସାହାଜବାହାଲ ଗ୍ରାମବାସୀଙ୍କ ବିସ୍ଥାପନ ସମସ୍ୟାର ସାମାଧନ ହେଉନାହିଁ । ଫଳରେ ଲୋକେ ଭୟଭିତ ଅବସ୍ଥାରେ ଭଙ୍ଗା ଘରେ ଜୀବନ ଅତିବାହିତ କରୁଛନ୍ତି ।

ଖଣି ବଢୁଛି ଘର ଭାଙ୍ଗୁଛି । ବିସ୍ଥାପିତଙ୍କ ଦୁଃଖ ବୁଝୁନି କମ୍ପାନୀ ! ଏମସିଏଲ କମ୍ପାନୀ ଜମି ଅଧିଗ୍ରହଣ ବେଳେ ବିସ୍ଥାପିତଙ୍କ ପରିବାରରୁ ଜଣଙ୍କୁ ଚାକିିରି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲା । ହେଲେ ଏଯାଏଁ ଜଣଙ୍କୁ ବି ଚାକିରି ମିଳିନଥିବା ଅଭିଯୋଗ ହୋଇଛି । ଗ୍ରାମବାସୀଙ୍କ ଅଭିଯୋଗ ସଂପର୍କରେ କମ୍ପାନୀ କର୍ତୃପକ୍ଷଙ୍କ ପ୍ରତିକ୍ରିୟା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା କମ୍ପାନୀ କର୍ତୃପକ୍ଷ ମୁହଁ ଖୋଲିବାକୁ ନାରାଜ । ସେପଟେ ଏ ପ୍ରସଙ୍ଗରେ ଏମସିଏଲ କର୍ତୃପକ୍ଷ ଓ ଜିଲ୍ଲା ପ୍ରଶାସମ ମଧ୍ୟରେ ଆଲୋଚନା ଚାଲିଥିବା କହିଛନ୍ତି ସ୍ଥାନୀୟ ବିଧାୟକ ।