ପଦ୍ମ ଝଡୁଛି, ମୋଦି-ଶାହାଙ୍କର ଚିନ୍ତା ବଢୁଛି । ଗେରୁଆମୟ ଭାରତ ଏବେ ଫିକା ଦିଶୁଛି ।

1,386

କନକ ବ୍ୟୁରୋ : ଝାଡଖଣ୍ଡରେ ଝଡିଗଲା ପଦ୍ମ । ଭୋଟ ଗଣତି ଶେଷ ହୋଇନଥିଲେ ମଧ୍ୟ ଝାଡଖଣ୍ଡରେ ବିଜେପି ବଡ ବିପର୍ଯ୍ୟୟର ସାମ୍ନା କରିଛି । ଝାଡଖଣ୍ଡ ଋଣଭୂମିରେ ରଘୁବର ସରକାର ମାତ୍ ଖାଇଥିବା ବେଳେ ଜଲୱା ଦେଖାଇଛି ଜେଏମଏମ-କଂଗ୍ରେସ-ଆରଜେଡି ମେଣ୍ଟ । ଆଉ ଏହାସହ ବିଜେପିର କଂଗ୍ରେସ ମୁକ୍ତ ଭାରତ ସ୍ୱପ୍ନକୁ ଆଉ ଏକ ଝଟକା ଲାଗିଛି । ୨୦୧୮ ମେ ମାସ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରେ ଗେରୁଆ ବାନା ଉଡାଇ ଆସୁଥିବା ବିଜେପି ହାତରୁ ଗୋଟିଏ ପରେ ଗୋଟିଏ ଗଡ ଖସି ଚାଲିଛି । ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ ଓ ମହାରାଷ୍ଟ୍ର ପରେ ଝାଡଖଣ୍ଡରେ ମଧ୍ୟ ଝଡିଛି ପଦ୍ମ । ଦୁଇ ବର୍ଷ ପୂର୍ବେ ଦେଶର ମାନଚିତ୍ର ଗେରୁଆମୟ ହୋଇଯାଇଥିବା ବେଳେ ଏବେ ଧୀରେ ଧୀରେ ଫିକା ପଡି ଆସୁଛି । ଆଉ ଏଭଳି ଫଳାଫଳ ଏବେ ବିଜେପି ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

୨୦୧୪ରେ ମାତ୍ର ୪ଟି ରାଜ୍ୟରେ ବିଜେପି ସରକାର ଥିବା ବେଳେ ୨୦୧୮ରେ ଏହା ୧୯କୁ ବୃଦ୍ଧି ପାଇଥିଲା । ବିଜେପି ଓ ସହଯୋଗୀ ଦଳ ଗୁଡିକ ମିଳିତ ଭାବେ ଏହି ୧୯ ରାଜ୍ୟରେ ଶାସନର ଡୋରି ଧରିଥିଲେ । ଆଗକୁ ଆଗ ଗଡି ଚାଲିଥିଲା ବିଜେପିର ବିଜୟ ରଥ । ତେବେ ଏହି ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ ବାଜି ଜିତି ବିଜେପିର ବିଜୟ ରଥରେ ବ୍ରେକ ଲଗାଇଥିଲା କଂଗ୍ରେସ ।

ସେହିଭଳି ୨୦୧୪ ସାଧାରଣ ନିର୍ବାଚନ ପରେ ହରିୟାଣା, ମହାରାଷ୍ଟ୍ର ଓ ଝାଡଖଣ୍ଡରେ ବିଜେପି ଗେରୁଆ ବାନା ଉଡାଇଥିଲା ତେବେ ୨୦୧୯ରେ କେବଳ ହରିୟାଣାକୁ ଛାଡିଦେଲେ ମହାରାଷ୍ଟ୍ର ଓ ଝାଡଖଣ୍ଡରେ ବିଜେପିକୁ ପରାଜୟର ସାମ୍ନା କରିବାକୁ ପଡିଛି । ସେହିଭଳି ବିଜେପିର ଗଡ ଥିବା ଛତିଶଗଡ ଓ ମଧ୍ୟପ୍ରଦେଶରେ ମଧ୍ୟ ଦଳକୁ ସମଦଶା ଭୋଗିବାକୁ ପଡିଛି । ଦୀର୍ଘ ୧୫ ବର୍ଷର ବିଜେପି ଶାସନାଧୀନ ରହିଥିବା ଏହି ରାଜ୍ୟରେ କଂଗ୍ରେସ ହାତ ଟେକିଛି । ଅନ୍ୟପଟେ ରାଜସ୍ଥାନରେ ମଧ୍ୟ ବିଜେପିକୁ ପ୍ରତ୍ୟାଖାନ କରିଛନ୍ତି ଜନତା ।

ଏସବୁ ଭିତରେ ବିଜେପି ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ ଭାବେ ଉଭା ହେବାକୁ ଯାଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ମମତା ଓ ମୋଦି ସରକାର ମଧ୍ୟରେ ଯେଉଁଭଳି ବିବାଦ ଉଗ୍ର ରୂପ ଧାରଣ କରିଛି ତାହାକୁ ନଜରରେ ରଖିଲେ ବିଜେପି ପାଇଁ ପଶ୍ଚିମବଙ୍ଗ ଲଢେଇ ସମ୍ମାନର ଲଢେଇ ହେବାକୁ ଯାଉଛି । କିନ୍ତୁ ୨୦୧୭ ପରେ ଦଳର ପ୍ରଦର୍ଶନ ଜନତାଙ୍କ ମଧ୍ୟରେ ବିଜେପିର ଗ୍ରହଣୀୟତାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।