ମାୟାବତୀ ମାନିଲେ ମଧ୍ୟପ୍ରଦେଶରେ ବନିବ ସରକାର! ଟ୍ରେଣ୍ଡରେ କାହାକୁ ମିଳୁନି ମ୍ୟାଜିକ ନମ୍ବର, ବିଏସପି ସୁପ୍ରିମୋଙ୍କ ସହ ଯୋଗାଯୋଗରେ ଉଭୟ କଂଗ୍ରେସ ଓ ବିଜେପି

734

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ରୋଚକ ସ୍ଥିତିରେ ପହଞ୍ଚିଛି ନିର୍ବାଚନ ଫଳାଫଳ । ଏଯାଏଁ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳିନାହିଁ । ଟ୍ରେଣ୍ଡ ଅନୁଯାୟୀ, କେତେବେଳେ କଂଗ୍ରେସ ତ ପୁଣି କେତେବେଳେ ବିଜେପି ଆଗୁଆ ରହୁଛି । ସରକାର ଗଢିବା ପାଇଁ କୌଣସି ଦଳ ପାଖରେ ମ୍ୟାଜିକ ନମ୍ବର ନାହିଁ । ଚାଲୁଥିବା ଟ୍ରେଣ୍ଡ ଅନୁଯାୟୀ, ଏବେ କଂଗ୍ରେସ ୧୧୦ ସିଟରେ ଆଗୁଆ ଥିବା ବେଳେ ବିଜେପି ୧୦୯ ସିଟରେ ଆଗୁଆ ରହିଛି । ଆଉ ଏଭଳି ସ୍ଥିତିରେ କିଙ୍ଗମେକର ଭାବେ ଉଭା ହୋଇଛି ମାୟାବତୀଙ୍କ ବିଏସପି । କେବଳ ମାୟାବତୀ ନୁହଁନ୍ତି ବରଂ ଅନ୍ୟାନ୍ୟ ଦଳ ଓ ସ୍ୱାଧୀନ ପ୍ରାର୍ଥୀଙ୍କ ଉପରେ ଉଭୟ ବିଜେପି ଓ କଂଗ୍ରେସର ନଜର ରହିଛି ।

ମଧ୍ୟପ୍ରଦେଶରେ କଂଗ୍ରେସ କିମ୍ବା ବିଜେପି ନୁହେଁ ବରଂ ମାୟାବତୀଙ୍କ ବିଏସପି ଓ ଅନ୍ୟାନ୍ୟ ଦଳ ହାତରେ ସରକାର ଗଢିବାର ଚାବିକାଠି ରହିଛି । ଟ୍ରେଣ୍ଡ ଅନୁଯାୟୀ କୌଣସି ଦଳକୁ ସ୍ପଷ୍ଟ ବହୁମତ ମିଳୁନଥିବାରୁ ଏବେ ଉଭୟ କଂଗ୍ରେସ ଓ ବିଜେପି ପକ୍ଷରୁ ବିଏସପିକୁ ନିଜ ପକ୍ଷକୁ ଆଣିବାକୁ ଆରମ୍ଭ ହୋଇଛି ଅଙ୍କକଷା । କାରଣ ବିଏସପିର ୫ ଜଣ ବିଧାୟକ ଏବେ ଟ୍ରେଣ୍ଡରେ ଆଗୁଆ ଚାଲିଛନ୍ତି । ତେଣୁ ବିଏସପି ହିଁ ସରକାର ଗଢିବାରେ ଟ୍ରମ୍ପକାର୍ଡ ସାଜିବ ବୋଲି ଦୁଇ ଦଳ ଜାଣି ସାରିଲେଣି । ଆଉ ଏସବୁ ଭିତରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଏସପି ସୁପ୍ରିମୋ ମାୟାବତୀଙ୍କ ସହ ଫୋନ ଯୋଗେ ଆଲୋଚନା ଆରମ୍ଭ କରିଛନ୍ତି । ମଧ୍ୟପ୍ରଦେଶରେ ସରକାର ଗଢିବା ପାଇଁ ମାୟାବତୀଙ୍କ ହାତ ଧରିବାକୁ ଅଣ୍ଟା ଭିଡିଛି ବିଜେପି ।

ଆଉ ମଧ୍ୟପ୍ରଦେଶରେ ସରକାର ଗଢିବାକୁ କଂଗ୍ରେସ ଦଳ ମଧ୍ୟ ଜୋର ଲଗାଇ ଦେଇଛି । କଂଗ୍ରେସ ପକ୍ଷରୁ ମଧ୍ୟ ବିଏସପି ଓ ଅନ୍ୟାନ୍ୟ ଦଳ ଆଲୋଚନା ଆରମ୍ଭ ହୋଇଛି । ଏପରିକି ବିଜେପି ବିରୋଧୀ ଭାବେ ଜଣାଶୁଣା ବିଏସପିକୁ କଂଗ୍ରେସ ନିଜ ପକ୍ଷକୁ ଟାଣିବାକୁ ଜୋରଦାର ଉଦ୍ୟମ କରୁଛି । ଏସବୁ ଭିତରେ ବିଏସପି ସୁପ୍ରିମୋ ମାୟାବତୀ ନୂଆ କରି ଜିତିଥିବା ନିଜର ଦଳୀୟ ବିଧାୟକ ମାନଙ୍କୁ ଦିଲ୍ଲୀ ଡକାଇଥିବା ସୂଚନା ମିଳିଛି । ତେଣୁ ମାୟାବତୀଙ୍କ ଆଗାମୀ ନିଷ୍ପତି କଣ ହେବ ଏବେ ତାହା ଉପରେ ସମସ୍ତଙ୍କର ନଜର ରହିଛି ।

କଣ କହୁଛି ମଧ୍ୟପ୍ରଦେଶ ଗଣିତ :
ମୋଟ ସିଟ୍ ୨୩୦
ମ୍ୟାଜିକ ନମ୍ବର : ୧୧୬
କଂଗ୍ରେସ (୧୧୦) ଆଗୁଆ
ବିଜେପି (୧୦୯) ଆଗୁଆ
ବିଏସପି (୫) ଆଗୁଆ
ଅନ୍ୟାନ୍ୟ ଦଳ (୬) ଆଗୁଆ
ଆଉ ଏହି ଗଣିତ ହିଁ ସୂଚାଉଛି ଯେ ମଧ୍ୟପ୍ରଦେଶରେ ସରକାର ଗଢିବାରେ ବିଏସପି ସାଜିପାରେ କିଙ୍ଗମେକର ।