ମାଟ୍ରିକ ପରୀକ୍ଷା ଆରମ୍ଭରୁ ମହାବିଭ୍ରାଟ : ପରୀକ୍ଷାର ଘଂଟାଏ ଆଗରୁ ହ୍ୱାଟସଆପରେ ଘୁରି ବୁଲିଲା ପ୍ରଶ୍ନ ପତ୍ର

83

କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷା ଆରମ୍ଭରୁ ଦେଖା ଦେଲା ବିଭ୍ରାଟ । ହ୍ୱାଟସଆପରେ ଘୁରି ବୁଲିଲା ମାତୃଭାଷାର ପ୍ରଶ୍ନ ପତ୍ର । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବଜାର ଅଂଚଳରେ ହ୍ୱାଟସଆପରେ ମାତୃଭାଷାର ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ସୂଚନା ରହିଛି । ପରିକ୍ଷାର ଘଂଟାଏ ପୂର୍ବରୁ ଲିକ ହୋଇଥିବା ଜଣାପଡ଼ିଛି । ଏହି ପ୍ରଶ୍ନ ପତ୍ର ଅସଲି କି ନକଲି ତାହା ଜଣା ପଡ଼ିନାହିଁ । କିଏ ପ୍ରଶ୍ନପତ୍ରକୁ ଭାଇରାଲ କରିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।

ସେପଟେ ପ୍ରଶ୍ନ ପତ୍ର ହ୍ୱାଟସ୍ଆପରେ ଘୁରି ବୁଲିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର । ସେ କହିଛନ୍ତି ପ୍ରାଥମିକ ତଦନ୍ତରୁ ଜଣାପଡିଛି ପ୍ରଶ୍ନପତ୍ର ଲିକ୍ ହୋଇନି । ଏହି ଅଭିଯୋଗରେ କୌଣସି ସତ୍ୟତା ନାହିଁ । ଘଟଣାର ଅନୁଧ୍ୟାନ କରାଯିବା ପରେ ଜଣାପଡିଛି ଯେ, ଏଥିରେ ସତ୍ୟତା ନାହିଁ । ଆବଶ୍ୟକ ପଡିଲେ ହ୍ୱାଟସଆପରେ ବୁଲୁଥିବା ପରୀକ୍ଷା ପତ୍ର ସହ ଅସଲି ପ୍ରଶ୍ନ ପତ୍ରର ଯାଂଚ ହେବ ।

ଅନ୍ୟପଟେ ମାଟ୍ରିକ ପରୀକ୍ଷାକୁ ସୁଚାରୂପେ କରିବା ପାଇଁ ସଚିବାଳୟରେ ବସିଲା ଘନଘନ ବୈଠକ । କପି ରୋକିବା ପାଇଁ ୫ ସ୍ତରୀୟ ସ୍ୱାର୍ଡ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ନେଇ ବିଭାଗୀୟ ମନ୍ତ୍ରୀ ଓ ସଚିବ କହିଲେ । ହେଲେ ମାଟ୍ରିକ ପରୀକ୍ଷା ଆରମ୍ଭରୁ ହୋଇଛି ମହାବିଭ୍ରାଟ । ଏ ଚିତ୍ରକୁ ଟିକେ ଦଖନ୍ତୁ ଏ ହେଉଛି ମାଟ୍ରିକ ପରୀକ୍ଷାର ଚିତ୍ର । ଜଗତସିଂହପୁରର ଏକ ସ୍କୁଲ ପାଚେରୀ ଉପରେ ଚଢି ପିଲାଙ୍କୁ କପି ଦେଉଛନ୍ତି ସମ୍ପର୍କୀୟ । ବ୍ୟକ୍ତି ଜଣଙ୍କ ପାଚେରୀ ଉପରେ ଚଢି ଝରକା ପଟେ କପି ଦେଉଛନ୍ତି । ଆଉ କିଛି ବ୍ୟକ୍ତି ତଳେ ଠିଆ ହୋଇ ଏଥିରେ ସହଯୋଗ କରୁଛନ୍ତି । ପରୀକ୍ଷାକୁ ନେଇ କଡା ସୁରକ୍ଷା ଗ୍ରହଣ କରାଯାଇଥିବା କହୁଯାଉଥିବା ବେଳେ ଏ ଦୃଶ୍ୟ କିନ୍ତୁ ଅନ୍ୟ କିଛି କହୁଛି ।
ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା । ଏଥର ରେକର୍ଡ ସଂଖ୍ୟକ ୬ଲକ୍ଷ ୮ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ପ୍ରଥମ ଦିନରେ ଛାତ୍ରଛାତ୍ରୀ ମାତୃଭାଷା ବିଷୟରେ ପରୀକ୍ଷା ଦେଇଛନ୍ତି । ପ୍ରଥମ ଦିନର ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ୧୧.୩୦ରେ ଶେଷ ହୋଇଛି । ମୋଟ ୨ହଜାର ୮୧୮ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । କପି ରୋକିବା ପାଇଁ ୩୦ଟି ଜିଲ୍ଲାରେ ୫୮ଟି ଫ୍ଲାଇଂ ସ୍କ୍ୱାଡ ଓ ପ୍ରତି ଜିଲ୍ଲା ଓ ଜୋନରେ ସ୍କ୍ୱାଡ୍ ବ୍ୟବସ୍ଥା କରାଯାଇଛି । ପରୀକ୍ଷା ଉପରେ ନଜର ରଖିବା ପାଇଁ ୫ସ୍ତରୀୟ ସ୍କ୍ୱାଡ ବ୍ୟବସ୍ଥ୍ା କରାଯାଇଛି ।