ଲାଲବାହିନୀର ଟାର୍ଗେଟରେ ରାଜନେତା । ପୁଲିସକୁ ମାଓସଂଗଠନର ଖୋଲା ଚ୍ୟାଲେଞ୍ଜ । ୩ ବିଧାୟକ ସମେତ ଇନଫର୍ମରକୁ ନକ୍ସଲଙ୍କ ହତ୍ୟା ଧମକ

ଗଂଜାମ ଜିଲ୍ଲାର ୨ ଓ କନ୍ଧମାଳର ଜଣେ ବିଧାୟକ ଏବଂ ପୁଲିସ ଇନଫର୍ମରଙ୍କୁ ହତ୍ୟା ଧମକ

114

କନକ ବ୍ୟୁରୋ: ଗଂଜାମ ଜିଲ୍ଲା ଭଂଜନଗର ବ୍ଲକ୍ ଦଦରାଲୁଣ୍ତା ଗ୍ରାମ ଉପକଣ୍ଠରେ ଗତକାଲି ମାଓ ପୋଷ୍ଟର ଦେଖିବାକୁ ମିଳିଛି। ସିପିଆଇ (ମାଓବାଦୀ) ନାମରେ ମରାଯାଇଥିବା ଏହି ପୋଷ୍ଟରରେ ଗଂଜାମ ଜିଲ୍ଲାର ୨ ଓ କନ୍ଧମାଳର ଜଣେ ବିଧାୟକ ଏବଂ ପୁଲିସ ଇନଫର୍ମରଙ୍କୁ ହତ୍ୟା ଧମକ ଦିଆଯାଇଛି। ଫଳରେ ପୁଲିସ ପ୍ରଶାସନ ପାଇଁ ଏହା ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଗାଁରେ ପ୍ରଥମଥର ଏଭଳି ଏକ ଘଟଣା ଲୋକଙ୍କ ମନରେ କୋକୁଆ ଭୟ ଖେଳାଇ ଦେଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଏଥିସହିତ, ପୋଷ୍ଟରରେ ୩ ବିଧାୟକଙ୍କ ନାମ ଏବଂ ନିର୍ବାଚନମଣ୍ଡଳୀ ବିଷୟରେ ସ୍ପଷ୍ଟ ଉଲ୍ଲେଖ କରାଯାଇ ନଥିଲେ ବି ରାଜନେତାଙ୍କ ସୁରକ୍ଷାକୁ ନେଇ ପୁଲିସ ପ୍ରଶାସନ ତତ୍ପରତା ଦେଖାଇଥିବା ଜଣାପଡ଼ିଛି।

ଭ˚ଜନଗର ଠାରୁ ପ୍ରାୟ ୧୮ କିଲୋମିଟର ଦୂରରେ ଥିବା ଦଦରାଲୁଣ୍ତା ଗ୍ରାମ ଶେଷରେ ତଥା ଫୁଲବାଣୀ- ଭ˚ଜନଗର ରାସ୍ତା କଡ଼ରେ ଏହି ଲାଲ ର˚ଗର ପୋଷ୍ଟରକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଫଳକରେ ଲଗାଯାଇଥିଲା। ଶୁକ୍ରବାର ଦିନ ସଂଧ୍ୟାରେ ଉକ୍ତ ସ୍ଥାନରେ ପୋଷ୍ଟର ଲାଗି ନଥିବା ବେଳେ ଗତକାଲି ଭୋରରୁ ଗ୍ରାମବାସୀ ଏହାକୁ ଦେଖିବାକୁ ପାଇଥିଲେ। ‘ପୋଷ୍ଟରରେ ପୁଲିସ୍ ଇନଫର୍ମର୍ ଏବଂ ଗଂଜାମ ଜିଲ୍ଲାର ଦୁଇଗୋଟି ଏମଳ ଓ କନ୍ଧମାଳ ଜିଲ୍ଲାର ଜଣକୁ ମୃତ୍ୟୁଦଣ୍ଡ ଦିଆଯିବ’ ବୋଲି ଉଲ୍ଲେଖ କରାଯାଇଥିଲା। ଏମଏଲଏ ବଦଳରେ ଏମଳ ଲେଖାଯାଇଥିବାରୁ ଏହାର ଅର୍ଥ ବିଧାୟକଙ୍କୁ ହିଁ ସୂଚାଉଥିବା କୁହାଯାଉଛି। ଏଥିରେ କୌଣସି ସ˚ଗଠନରେ ନାମ ଲେଖାଯାଇ ନଥିବାବେଳେ କେବଳ ସିପିଆଇ ମାଓବାଦୀ ହିଁ ଲେଖାଯାଇଛି।

ତେବେ ପୋଷ୍ଟରକୁ ପ୍ରକୃତରେ କୌଣସି ମାଓବାଦୀ ସଂଗଠନ ଲଗାଇଛି ନା’ କୌଣସି ବ୍ୟକ୍ତି ବିଶେଷ ଏଭଳି କାର‌୍ୟ୍ୟକଳାପ ଘଟାଇଛନ୍ତି ଏହା ବର୍ତ୍ତମାନ ସନ୍ଦେହଘେରରେ ରହିଛି। ଭ˚ଜନଗର ଏସ୍ଡିପିଓ ଉତ୍କଳ କେଶରୀ ଦାସ କହିଛନ୍ତି ଯେ, ଆଜି ପୂର୍ବାହ୍ନରେ ଉକ୍ତ ପୋଷ୍ଟରକୁ ଜବତ କରାଯିବା ସହ ସ୍ଥାନୀୟ ଅଞ୍ଚଳର ଲୋକଙ୍କଠୁ ତଥ୍ୟ ସଂଗ୍ରହ କରାଯାଇଛି। ବିଗତ ଦିନରେ ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ହମଲା, ଗତିବିଧି ସମେତ ବିଭିନ୍ନ ଦିଗରୁ ପୁଲିସ ତଦନ୍ତକୁ ତ୍ବରାନ୍ବିତ କରିଥିବା ଜଣାପଡ଼ିଛି।