ରାଜଧାନୀ ରାଜରାସ୍ତାରେ ମୃତ୍ୟୁର ଗାତ ! ମ୍ୟାନହୋଲରେ ପଡ଼ି ଗଲା ବୃଦ୍ଧଙ୍କ ଜୀବନ

41

କନକ ବ୍ୟୁରୋ : ନନ୍ଦିଆ ନାୟକଙ୍କର ମୃତ୍ୟୁ ଏପରି ଆସିବ ବୋଲି ହୁଏତ କେହି ଅନ୍ଦାଜ ଲଗାଇ ପାରିନଥିବେ । ଭୁବନେଶ୍ୱରରେ ଏକ ମୁକୁଲା ଡ୍ରେନ ନେଇଛି ତାଙ୍କ ଜୀବନ । ଗୁରୁବାର ଭୋରରୁ ନିତ୍ୟ କର୍ମ ପାଇଁ ଆସିଥିବା ନନ୍ଦିଆଙ୍କ ଗୋଡ ଖସିଯିବାରୁ ଡ୍ରେନରେ ପଡି ପ୍ରାଣ ହରାଇଲେ । ବଡ଼ଭାଇର ଶୁଦ୍ଧ କ୍ରିୟାରେ ଯୋଗ ଦେବା ପାଇଁ ଗଂଜାମ ଦିଗପହଣ୍ଡିର ନାରାୟଣପୁରରୁ ଭୁବନେଶ୍ୱର ଆସିଥିଲେ ନନ୍ଦିଆ । ହେଲେ ମୃତ୍ୟୁ ଯେପରି ତାଙ୍କୁ ଏଠାରେ ଅପେକ୍ଷା କରିରହିଥିଲା । ବଡ଼ଭାଇର ଶୁଦ୍ଧ କ୍ରିୟା ତ ସରିଗଲା, ମାତ୍ର ପରିବାରରେ ଆଉ ଏକ ମୃତ୍ୟୁ ପରେ ଘରେ ପଡିଥିଲା କାନ୍ଦବୋବାଳି ।

କିଛି ଦିନ ତଳେ ୭୦ ବର୍ଷୀୟା ବୃଦ୍ଧା ଖୋଲା ମ୍ୟାନହୋଲରେ ପଡି ସାରା ରାତି ଜୀବନ ସହ ସଂଘର୍ଷ କରିଥିଲେ । ପରଦିନ ସକାଳୁ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ଘଟଣାକୁ ୧୦ ଦିନ ବି ବିତିନି, ରାଜଧାନୀର ମୁକୁଲା ପଡିଥିବା ମୃତ୍ୟୁର ଗାତ ପୁଣି ନେଇଥିଲା ଆଉ ଏକ ମୁଣ୍ଡ । ବାରମ୍ବାର ଲୋକ ମୃତାହତ ହେଉଥିଲେ ସତେ ଯେପରି କାହାର ପରୱା ନାହିଁ । ନା, ଏହି ସମସ୍ୟାର ସମାଧାନ ପାଇଁ କେହି ଆଗକୁ ଆସୁଛନ୍ତି, ନା ଉତ୍ତରଦାୟିତ୍ୱ ନେବାକୁ କେହି ରାଜି ହେଉଛନ୍ତି । ବିଏମସି ଓ ସ୍ୱିରେଜ୍ ବୋର୍ଡ ପରସ୍ପର ଉପରେ ଦୋଷ ଲଦୁଛନ୍ତି ।

ତେବେ ସବୁଠୁ ବିଡମ୍ବନାର ବିଷୟ ହେଉଛି ସ୍ୱିରେଜ ବୋର୍ଡ କର୍ମକର୍ତାଙ୍କ ବେପରୁଆ ମନବୃତ୍ତି । ମୂଲ୍ୟବାନ ଜୀବନ ଅକାଳରେ ଝଡିପଡୁଥିବା ବେଳେ କୌଣସି ତତ୍ପରତା ଦେଖାଉନାହାନ୍ତି ଅଧିକାରୀ । ପ୍ରତିକ୍ରିୟା ଦେବେ କଣ, ଗଣମାଧ୍ୟମକୁ ଧରାଛୁଆଁ ଦେଉନାହାନ୍ତି ବାବୁ । ରାଜଧାନୀରେ ବର୍ଷ ବର୍ଷ ଧରି ମୁକୁଲା ପଡୁଛି ଡ୍ରେନ ଓ ମ୍ୟାନହୋଲ । ସ୍ମାର୍ଟ ସିଟିର ଏହି ମରଣ ଯନ୍ତା ଏବେ ସମସ୍ତଙ୍କ ଚିନ୍ତା ବଢାଇଛି ।