ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟରେ ବାଜିଲା ନିର୍ବାଚନୀ ବିଗୁଲ! ସଭାପତି ପଦ ପାଇଁ ପ୍ରାର୍ଥୀ ଘୋଷଣା କଲା ଏବିଭିପି

51

କନକ ବ୍ୟୁରୋ : ଛାତ୍ର ସଂସଦ ନିର୍ବାଚନ ପାଇଁ ବିଭିନ୍ନ କଲେଜ କ୍ୟାମ୍ପସ ଏବେ ସରଗରମ । ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁ କଲେଜରେ ଏବେ ନିର୍ବାଚନୀ ଉଷ୍ମତା ଦେଖିବାକୁ ମିଳୁଛି । ଏସବୁ ଭିତରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ନିର୍ବାଚନୀ ବିଗୁଲ ବାଜିଛି । ପୂର୍ବରୁ ଛାତ୍ର ବିଜେଡି ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ ଏବେ ଋଣାଙ୍ଗନକୁ ଓହ୍ଲାଇଛି ଏବିଭିପି । ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପାଇଁ ସଭାପତି ଓ ସଂପାଦିକା ପଦ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ସଭାପତି ପ୍ରାର୍ଥୀ ଭାବେ ପିଜି ଛାତ୍ରୀ ତନ୍ମୟୀ ହୋତା ଓ ସାଧାରଣ ସଂପାଦକ ପଦ ପାଇଁ ସ୍ୱପ୍ନା ସମର୍ଥାଙ୍କୁ ପ୍ରାର୍ଥୀ କରିଛି ଏବିଭିପି ।

ତେବେ ପ୍ରାର୍ଥୀ ଘୋଷଣା କ୍ଷେତ୍ରରେ ବିଜେଡି ଏଠାରେ ଆଗୁଆ ରହିଛି । ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବାର କିଛିଦିନ ମଧ୍ୟରେ ବିଜେଡି ଏଠାରେ ପିଜି ଛାତ୍ରୀ ସୋଭାଗ୍ୟ ସୋମ୍ୟାଶ୍ରୀ ସାମଲଙ୍କୁ ସଭାପତି ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ପ୍ରାର୍ଥୀ ଘୋଷଣା ସଙ୍ଗେ ସଙ୍ଗେ ଆରମ୍ଭ ହୋଇଥିଲା କ୍ୟାମ୍ପେନ । ତେବେ ଆଜି ଏବିଭିପି ପ୍ରାର୍ଥୀ ଘୋଷଣା କରିବା ପରେ ରମାଦେବୀରେ ଜୋର ଧରିଛି ନିର୍ବାଚନୀ ପ୍ରଚାର ।

ପୂର୍ବରୁ ତନ୍ମୟୀ ଛାତ୍ର ବିଜେଡି ସହ ଜଡିତ ଥିଲେ ମାତ୍ର ଗତବର୍ଷ ନିର୍ବାଚନରେ ବଦଳି ଯାଇଥିଲା ଚିତ୍ର । ସଭାପତି ପଦ ପାଇଁ ଆଶାୟୀ ଥିବା ତନ୍ମୟୀଙ୍କୁ ବିଜେଡି ପ୍ରାର୍ଥୀ କରିବା ବଦଳରେ ଅନ୍ୟ ଜଣଙ୍କୁ ପ୍ରାର୍ଥୀ କରିଥିଲା । ବାସ ଏଇଠୁ ବିଜେଡି ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଥିଲେ ତନ୍ମୟୀ । ଜନ୍ମ ନେଇଥିଲା ଷ୍ଟୁଡେଣ୍ଟ ଭଏସ ଭଳି ଏକ ଛାତ୍ର ସଂଗଠନ । ହେଲେ କ୍ଲାସରେ ଉପସ୍ଥାନ କମ୍ ଥିବା ଯୋଗୁଁ ପ୍ରାର୍ଥୀ ହୋଇ ପାରିନଥିଲେ ତନ୍ମୟୀ । କିନ୍ତୁ ନିଜ ପସନ୍ଦର ପ୍ରାର୍ଥୀ ଠିଆ କରାଇ ବିଜେଡି ଗଡକୁ ଭାଙ୍ଗିଥିଲେ । ପ୍ରଥମ ନିର୍ବାଚନ ଲଢୁଥିବା ଷ୍ଟୁଡେଣ୍ଟ ଭଏସ ବିପୁଳ ଭୋଟରେ ବିଜୟୀ ହୋଇ ବିଜେଡିକୁ ଦେଇଥିଲା ଚକମା ।

କିନ୍ତୁ ଏଥର ପଟ ପରିବର୍ତ୍ତନ କରିଛନ୍ତି ତନ୍ମୟୀ । ଷ୍ଟୁଡେଣ୍ଟ ଭଏସର ହାତ ଛାଡି ଏବିଭିପିରୁ ପ୍ରାର୍ଥୀ ହୋଇଛନ୍ତି । ତନ୍ମୟୀ ଏବିଭିପିରୁ ପ୍ରାର୍ଥୀ ହେବା ପରେ ଷ୍ଟୁଡେଣ୍ଟ ଭଏସ କିଛି ଜଣ ପୁଣିଥରେ ପୁରୁଣା କ୍ୟାମ୍ପକୁ ଫେରି ଆସିଛନ୍ତି । ତେବେ ଷ୍ଟୁଡେଣ୍ଟ ଭଏସରୁ ଗତଥର ସଭାପତି ଓ ସାଧାରଣ ସଂପାଦକ ଜିତିଥିବା ଛାତ୍ରୀ ଏଥର ଛାତ୍ର ରାଜନୀତିରୁ ନିଜକୁ ଦୂରେଇ ରଖିଛନ୍ତି । ଭୋଟରଙ୍କୁ ନିଜ ଆଡକୁ ଆଣିବା ପାଇଁ କ୍ୟାମ୍ପସ ଭିତରେ ଏବେଠୁ ଭୋଜି ଭାତର ଆସର ଦେଖିବାକୁ ମିଳିଲାଣି ।

ନିବାର୍ଚନକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ କଂଗ୍ରେସର ଏପର୍ଯ୍ୟନ୍ତ ପ୍ରାର୍ଥୀ ଖୋଜା ସରିନି । ତେବେ ଆଜି ଏବିଭିପି ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ରମାଦେବୀରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ପୋଷ୍ଟର ଚିରା ଯାଇଛି । ଏହି ଘଟଣା ପାଇଁ ଏବିଭିପିକୁ ସିଧାସଳଖ ଦାୟୀ କରିଛି ବିଜେଡି । ଚଳିତବର୍ଷ ନିର୍ବାଚନରେ ରମାଦେବୀରେ ଦ୍ୱିମୁଖୀ ଲଢେଇ ଦେଖିବାକୁ ମିଳିବ । ତେଣୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଉପରେ ଏବେ ସମସ୍ତଙ୍କ ନଜର ।