ବିମାନ ଚୋରି କରିନେଉଥିଲେ ଯୁବକ ! ଉଡ଼ାଣ ଦକ୍ଷତା ନଥିବାରୁ ଅଳ୍ପ ସମୟ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ

32

କନକ ବ୍ୟୁରୋ : ଆମେରିକାରେ ବିମାନ ଚୋରି । କାର, ବାଇକ୍ ଚୋରି ହେବା କଥା ଆପଣ ଶୁଣିଥିବେ ତେବେ ବିମାନବନ୍ଦରରୁ ବିମାନ ଚୋରି ହେବା ବିଶ୍ୱାସଯୋଗ୍ୟ ନହେଲେ ବି ସତ । ଆଜି ଆମେରିକା ସିଆଟଲ୍ ଟାକୋମା ଅନ୍ତର୍ଜାତୀୟ ବିମାନବନ୍ଦରରେ ଏନେଇ ଦେଖିବାକୁ ମିଳିଛି ହାଇଭୋଲଟେଜ୍ ଡ୍ରାମା । ବିମାନବନ୍ଦରରେ ଏୟାରଲାଇନ୍ ମେକାନିକ୍ ଭାବେ କାମ କରୁଥିବା ଜଣେ ବ୍ୟକ୍ତି ଏକ ବିମାନକୁ ଚୋରି କରିବା ପରେ ଏହାକୁ କିଛି ସମୟ ମଧ୍ୟରେ ଦୁର୍ଘଟଣାଗ୍ରସ୍ଥ କରାଇଥିଲେ । ବିମାନଟି ଅନଧିକାର ଭାବେ ଉଡ଼ାଣ ଭରିବାରୁ ଚୋରି ହେବା ସନ୍ଦେହ କରିଥିଲେ କର୍ତ୍ତୃପକ୍ଷ ଓ ସଙ୍ଗେ ସଙ୍ଗେ ସାମରିକ ଅଧିକାରୀଙ୍କୁ ସୂଚନା ଦେଇଥିଲେ । ଏହାପରେ ଏହା ପଛରେ ଦୁଇଟି ଏଫ୍-୧୫ ଫାଇଟର୍ ଜେଟକୁ ଲଗାଯାଇଥିଲା ତେବେ ଚୋରି ବିମାନଟି ଦୁର୍ଘଟଣାଗ୍ରସ୍ଥ ହୋଇଥିଲା । ଟ୍ୱିଟ୍ ଜରିଆରେ ବିମାନବନ୍ଦର କର୍ତ୍ତୃପକ୍ଷ ଏନେଇ ସୂଚନା ଦେଇଛନ୍ତି । ପ୍ରଥମେ ଚୋରି ଓ ପରେ ଦୁର୍ଘଟଣାଗ୍ରସ୍ଥ ହୋଇଥିବା ଏହି ବିମାନଟି ହରିଜନ୍ ଏୟାରଲାଇନ୍ସର ବୋଲି ଜଣାପଡ଼ିଛି ।

ଏୟାର ଲାଇନ୍ସ ପକ୍ଷରୁ କୁହାଯାଇଛି ଯେ ବିମାନଟି ହେଉଛି ହରିଜନ କ୍ୟୁ ୪୦୦ ବିମାନ ଓ ଏଥିରେ କୌଣସି ଯାତ୍ରୀ ନ ଥିଲେ । ତେବେ ଶନିବାର ଦିନ ଜଣେ ୨୯ ବର୍ଷୀୟ ଯୁବକ ଯିଏ ଏହି ବିମାନବନ୍ଦରରେ ଜଣେ ମେକାନିକ ଭାବେ କାର୍ୟ୍ୟ କରୁଥିଲେ ବୋଲି କୁହାଯାଉଛି ସେ ବିମାନଙ୍କୁ ନିଜ ଇଛାରେ ଉଡ଼ାଣ ଭରିଥିଲେ । ଏଥିପାଇଁ ବିମାନବନ୍ଦର କର୍ତ୍ତୃପକ୍ଷ କିମ୍ବା ଏୟାର ଟ୍ରାଫିକ ପକ୍ଷରୁ କୌଣସି ଅନୁମତି ଦିଆଯାଇ ନ ଥିଲା । ତେବେ ଏହା ପଛରେ କୌଣସି ଆତଙ୍କବାଦୀ ସମ୍ପୃକ୍ତି ନେଇ କୌଣସି ତଥ୍ୟ ମିଳିନାହିଁ । ତେବେ କୁହାଯାଇଛି ଯେ ଏହି ୨୯ ବର୍ଷୀୟ ବିମାନ ଚୋର ଜଣକ ବିମାନକୁ ଉଡ଼ାଇବା ସହିତ ଏଥିରେ ଷ୍ଟଣ୍ଟ କରିବାକୁ ଚେଷ୍ଟା କରିଥିଲେ । ମାତ୍ର ଉଡାଣ ଦକ୍ଷତା ନ ଥିବାରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି।ଘଟଣାର ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଥିବା ଏୟାାଲାଇନ୍ସ ପକ୍ଷରୁ କୁହାଯାଇଛି ।