ନକ୍ସଲ ବ୍ୟବହାର କରୁଛନ୍ତି ‘ପେନ ଗନ୍’ : ନିଜସ୍ୱ ଜ୍ଞାନ ଓ କୌଶଳରେ ତିଆରି ହୋଇଥିବା ଅନୁମାନ

20

କନକ ବ୍ୟୁରୋ : ନକ୍ସଲ ସଂଗଠନ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର ସମ୍ପର୍କରେ କାହାରିକୁ ଅଛପା ନାହିଁ । ଏବେ କିନ୍ତୁ ଏକ ନୂଆ ଧରଣର ପିସ୍ତଲ ବ୍ୟବହାର କରୁଛନ୍ତି, ଯାହାକୁ କି ‘ପେନ୍ ଗନ୍‌’ ବୋଲି କୁହାଯାଉଛି । ସାଧାରଣତଃ, ଚଳଚ୍ଚିତ୍ରରେ ଏହିଭଳି ପିସ୍ତଲ ଦେଖିବାକୁ ମିଳିଥାଏ । ଗତକାଲି ଏନ୍‌କାଉଣ୍ଟର୍‌ ପରେ ସୁରକ୍ଷା ବଳଙ୍କୁ ଏ ସମ୍ପର୍କିତ ନୂଆ ତଥ୍ୟ ମିଳିଛି ।

ଗତକାଲି, ମାଲଗାନଗିରି ସୀମାରେ ସୁରକ୍ଷା ଯବାନ୍‌ ଏନ୍‌କାଉଣ୍ଟର ପରେ ନକ୍ସଲଙ୍କ ବହୁ ଅସ୍ତ୍ରଶସ୍ତ୍ର ଜବତ କରିଥିଲେ । ସେଥିମଧ୍ୟରୁ ‘ପେନ୍‌ଗନ୍‌’ ମିଳିଥିଲା । କଲମ ଭଳି ଆକାର ହୋଇଥିବାରୁ ତାହାକୁ ଲୁଚାଇବାକୁ ବି ବିଶେଷ କଷ୍ଟ ହୋଇ ନଥାଏ । ଏହାର ଓଜନ ୧୦୦ ଗ୍ରାମ ମଧ୍ୟରେ । ୯ ଏମ୍‌ଏମ୍‌ ବୁଲେଟ୍‌ ଗୋଟିଏ ରାଉଣ୍ଡ ପାଇଁ ବ୍ୟବହାର ହୋଇଥାଏ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଯଦି ୧୦ ମିଟର ଭିତରେ ଏହାକୁ ବ୍ୟବହାର କରାଯାଏ ତେବେ ବଂଚିବାର ସମ୍ଭାବନା ଖୁବ୍‌ କମ । ବିଶେଷ କରି ଭିଡ଼ ମଧ୍ୟରେ ଅତି ନିକଟରୁ ଟ୍ରିଗର ଚିପି ଗହଳିରେ ନିଜକୁ ହଜାଇ ଦେବାକୁ ନକ୍ସଲ ଏହି ହତିଆର ନିର୍ମାଣ କରିଥିବା କୁହାଯାଉଛି । ଏହି ପିସ୍ତଲର ନିର୍ମାଣ ଶୈଳୀକୁ ଦେଖିଲେ ତାହାକୁ ନିଜସ୍ୱ ଜ୍ଞାନ ଓ କୌଶଳରେ ତିଆରି କରାଯାଇଥିବା ଅନୁମାନ କରାଯାଉଛି ବୋଲି ଜଣେ ସୁରକ୍ଷା ଅଧିକାରୀ କହିଛନ୍ତି ।