ମାଳଦ୍ୱୀପରେ ଜରୁରୀକାଳିନ ପରିସ୍ଥିତି ! ସୁପ୍ରିମକୋର୍ଟ ଓ ସରକାରଙ୍କ ମଧ୍ୟରେ ଚାଲିଛି ଟକ୍କର, ପୂର୍ବ ରାଷ୍ଟ୍ରପତି ଗିରଫ

26

କନକ ବ୍ୟୁରୋ : ମାଳଦ୍ୱୀପ ଗମ୍ଭୀର ରାଜନୈତିକ ସଙ୍କଟ ଦେଇ ଗତି କରୁଥିବା ବେଳେ ଦେଶରେ ୧୫ଦିନ ପାଇଁ ଜରୁରୀକାଳିନ ପରିସ୍ଥିତି ଜାରି କରିଛନ୍ତି ରାଷ୍ଟ୍ରପତି ଅବଦୁଲା ୟାମୀନ । ମାଳଦ୍ୱୀପରେ ସୁପ୍ରିମକୋର୍ଟ ଓ ସରକାରଙ୍କ ମଧ୍ୟରେ ଟକ୍କର ଚାଲିଥିବା ବେଳେ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଛନ୍ତି ରାଷ୍ଟ୍ରପତିଙ୍କ ସହଯୋଗୀ ଅଜୀମା ସୁକୁର । ମାଳଦ୍ୱୀପ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଅବଦୁଲା ସଇଦ, ବିଚାରପତି ଅଲି ହମିଦ ଓ ପୂର୍ବତନ ରାଷ୍ଟ୍ରପତି ଅବଦୁଲ ଗୟୁମଙ୍କୁ ଗିରଫ କରାଯାଇଛି । ନ୍ୟୁଜ ଏଜେନ୍ସି ରଏଟର୍ସର ଖବର ମୁତାବକ ମାଳଦ୍ୱୀପରେ ୧୫ଦିନ ଯାଏଁ ଜରୁରୀ ପରିସ୍ଥିତି ବଳବତ୍ତର ରହିବ । ଏହାରି ମଧ୍ୟରେ ଭାରତ ପକ୍ଷରୁ ଭାରତୀୟ ନାଗରିକଙ୍କୁ ମାଳଦ୍ୱୀପ ଗସ୍ତରେ ଯିବା ପାଇଁ ସତର୍କ କରାଯାଇଛି ।

ପୂର୍ବରୁ ମଧ୍ୟ ୨୦୧୫ରେ ମାଳଦ୍ୱୀପରେ ଏମରଜେନ୍ସି ଘୋଷଣା କରିଥିଲେ ଅବଦୁଲ୍ଲା ୟାମୀନ । ମାଳଦ୍ୱୀପ ସୁପ୍ରିମକୋର୍ଟ, ରାଷ୍ଟ୍ରପତି ଅବଦୁଲ୍ଲା ୟାମୀନଙ୍କ ଗିରଫ ନିର୍ଦ୍ଦେଶ ଦେଇଥିଲେ । ଏହାସହ ସମସ୍ତ ରାଜନୈତିକ ବନ୍ଦିଙ୍କୁ ମୁକ୍ତ କରିବା ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ କୋର୍ଟଙ୍କ ନିର୍ଦ୍ଦେଶକୁ ମାନିନାହାନ୍ତି ଅବଦୁଲ୍ଲା । ମାଳଦ୍ୱୀପର ପୂର୍ବତନ ରାଷ୍ଟ୍ରପତି ଅବଦୁଲ ଗୟୁମ, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଅବଦୁଲା ସଇଦ ଓ ବିଚାରପତି ଅଲି ହମିଦଙ୍କୁ ଗିରଫ କରାଯିବା ସହ ସଂସଦକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ କରାଯାଇଛି ।