ମହାନଦୀ ମହାବିବାଦ: ରହସ୍ୟ ଖୋଲିଲା ଓଡ଼ିଶା, ଆବଶ୍ୟକଠାରୁ ଅଧିକ ଜଳ ସଂରକ୍ଷଣ କରିଛି ଛତିଶଗଡ଼, ବର୍ଷା କମିବା ସହିତ ଜଳପ୍ରବାହ ହ୍ରାସର ସଂପର୍କ ନାହିଁ

111

କନକ ବ୍ୟୁରୋ: ୨୦୦୫-୦୬ରୁ ହୀରାକୁଦରେ ଜଳପ୍ରବାହ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ୨୦୦୫-୦୬ରୁ ୨୦୧୫-୧୬ ପର‌୍ୟ୍ୟନ୍ତ ଧାର‌୍ୟ୍ୟ ୨ନିୟୁତ ଏକର ଫୁଟରୁ ଅଣ ମୌସୁମୀ ଋତୁରେ ଜଳପ୍ରବାହ ହାରାହାରି ୧.୨୫୨ ନିୟୁତ ଏକର ଫୁଟକୁ ହ୍ରାସ ପାଇଥିଲା। ସେହିଭଳି ୨୦୧୫-୧୬ ରୁ ୨୦୧୭-୧୮ରେ ଅଣମୌସୁମୀ ସମୟରେ ଜଳପ୍ରବାହ ଯଥାକ୍ରମେ ୦.୭୮୭ ନିୟୁତ ଏକର ଫୁଟ, ୦.୭୦୬ ନିୟୁତ ଏକର ଫୁଟ ଓ ୦.୭୭୬ ନିୟୁତ ଏକର ଫୁଟରେ ପହଞ୍ଚିଛି।

ଛତିଶଗଡ ଉପରମୁଣ୍ଡରେ ବ୍ୟାରେଜ କରିବା ପରେ ମୌସୁମୀ ଓ ଅଣମୌସୁମୀ ସମୟରେ ମହାନଦୀ ଉପରେ ଏହାର କିଭଳି ଭୀଷଣ ପ୍ରଭାବ ପଡୁଛି, ସେ ନେଇ ରାଜ୍ୟ ସରକାର ମହାନଦୀ ଟ୍ରିବ୍ୟୁନାଲ ସାମ୍ନାକୁ ଏଭଳି ସାଂଘାତିକ ତଥ୍ୟ ଆଣିଛନ୍ତି। କେନ୍ଦ୍ରୀୟ ଜଳ ଆୟୋଗର ତଥ୍ୟକୁ ଆଧାର କରି ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ଅତିରିକ୍ତ ସତ୍ୟପାଠରେ ଏଭଳି ଯୁକ୍ତି ରଖାଯାଇଛି। ହୀରାକୁଦ ଡ୍ୟାମରେ ୧୨.୨୮ ନିୟୁତ ଏକର ଫୁଟ୍ ବ୍ୟବହାର କରାଯାଉଥିବା ଜଳରୁ ୫.୮୨ ନିୟୁତ ଏକର ଫୁଟ୍ ଜଳ ଅଣ ମୌସୁମୀ ଋତୁରେ ବ୍ୟବହାର କରାଯାଉଥିବାରୁ ଏହି ପରିମାଣକୁ ସୁରକ୍ଷିତ ରଖାଯାଉ ବୋଲି ସରକାର ସତ୍ୟପାଠରେ ଦାବି କରିଛନ୍ତି। ଗତ ଡିସେମ୍ବର ୧୫ ତାରିଖରେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାରଙ୍କ ଜଳସଂପଦ ବିଭାଗ ଅତିରିକ୍ତ ସତ୍ୟପାଠ ଦାଖଲ କରିଥିବା ଜଣାପଡିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଅଣ ମୌସୁମୀ ଋତୁ (ନଭେମ୍ବରରୁ ମେ’)ରେ ହୀରାକୁଦ ଡ୍ୟାମ୍ ଅନ୍ତର୍ଗତ ୫.୮୨ ନିୟୁତ ଏକର ଫୁଟ୍ ଜଳର ବ୍ୟବହାର କରାଯାଇଥାଏ। ୧୯୭୦-୭୧ରେ ଓଡ଼ିଶାର ତଳମୁଣ୍ଡରେ ବାର୍ଷିକ ୧୦,୦୪୬ ନିୟୁତ ଏକର ଫୁଟ୍ ଓ ଅଣମୌସୁମୀ ଋତୁରେ ୫.୨୨୫ ନିୟୁତ ଏକର ଫୁଟ୍ ବ୍ୟବହାର କରାଯାଉଥିଲା। ୧୯୮୩-୮୪ରେ ବାର୍ଷିକ ୧୧.୭୪୪ ନିୟୁତ ଏକର ଫୁଟରୁ ୫.୧୧୭ ନିୟୁତ ଏକର ଫୁଟ୍ ଓ ୧୯୯୦-୯୧ରେ ବାର୍ଷିକ ୧୩.୧୫୭ ନିୟୁତ ଏକର ଫୁଟ୍ ଏବଂ ଅଣ ମୌସୁମୀ ଋତୁରେ ୬.୩୮୧ ନିୟୁତ ଏକର ଫୁଟ୍ ଜଳ ବ୍ୟବହାର କରାଯାଇଥିଲା। ହୀରାକୁଦ ଡ୍ୟାମ ପର‌୍ୟ୍ୟନ୍ତ ଉପଲବ୍ଧ ହେଉଥିବା ନ୍ୟୁନତମ ୨୦.୬୧ ନିୟୁତ ଏକର ଫୁଟ୍ ଜଳପ୍ରବାହରୁ ଉପରମୁଣ୍ଡ ରାଜ୍ୟ ଛତିଶଗଡ଼କୁ ୮.୩୩ ନିୟୁତ ଏକର ଫୁଟ୍ ଏବଂ ତଳମୁଣ୍ଡ ଓଡ଼ିଶାକୁ ୧୨.୨୮ ବଣ୍ଟନ ନ୍ୟାୟସଙ୍ଗତ ବିଭାଜନ ହେବା କଥା।

ଏହି ସୂତ୍ର ଅନୁସାରେ, ହୀରାକୁଦ ଡ୍ୟାମରେ ୨ନିୟୁତ ଏକର ଫୁଟ ଜଳର ଆବଶ୍ୟକତା ରହିଛି। ତ୍ରିପାକ୍ଷିକ ଚୁକ୍ତି ଦର୍ଶାଉଛି ଯେ ଏଥିରୁ ଛତିଶଗଡ ପଟୁ ୧.୭୪ ନିୟୁତ ଏକର ଫୁଟ ଜଳ ଗ୍ରହଣ କରାଯାଇପାରିବ। ମୁଖ୍ୟ ମହାନଦୀରେ ୧.୬୦ ନିୟୁତ ଏକର ଫୁଟ, ଇବ୍ ଉପତ୍ୟକାରେ ୦.୧୧ ନିୟୁତ ଏକର ଫୁଟ ଓ କେଲୋ ଟ୍ରିବ୍ୟୁଟାରିରେ ୦.୦୩ ନିୟୁତ ଏକର ଫୁଟ ଜଳ ହୀରାକୁଦ ଡ୍ୟାମ୍କୁ ଛଡ଼ାଯିବା ଦରକାର। ୧୯୪୫-୪୭ର ଚୁକ୍ତି ଯାହା କେନ୍ଦ୍ରୀୟ ସଂସ୍ଥା ସେଣ୍ଟ୍ରାଲ୍ ୱାଟରୱେଜ୍ ଇରିଗେସନ୍ ଆଣ୍ଡ ନାଭିଗେସନ୍ କମିସନ୍ ଦ୍ବାରା ହୀରାକୁଦ ଡ୍ୟାମ୍ର ବିସ୍ତୃତ ପ୍ରକଳ୍ପ ରିପୋର୍ଟରେ ଏ ନେଇ ସ୍ପଷ୍ଟ ଉଲ୍ଲେଖ ରହିଛି। ହେଲେ ଦେଖାଯାଉଛି, ଛତିଶଗଡ଼ ଅଣମୌସୁମୀ ଋତୁରେ ୧.୪୧ ନିୟୁତ ଏକର ଫୁଟ ବଦଳରେ ୨.୩୮ ନିୟୁତ ଏକର ଫୁଟ ଜଳର ବ୍ୟବହାର କରୁଛନ୍ତି। ଛତିଶଗଡ ଦ୍ବାରା ମହାନଦୀ ଉପରମୁଣ୍ଡରେ ନିର୍ମାଣ କରାଯାଉଥିବା ୬ଟି ବ୍ୟାରେଜ ଦ୍ବାରା ପରିଣାମରେ ଏଭଳି ପରିସ୍ଥିତି ସୃଷ୍ଟି େହାଇଛି। ଏହି କାରଣରୁ ହୀରାକୁଦ ଜଳାଶୟରେ ଡିସେମ୍ବର ୨୦୧୬ରୁ ଜଳ ପ୍ରବାହ ହ୍ରାସ ପାଇଥିବା ନେଇ ଓଡ଼ିଶା ଛତିଶଗଡ ନିକଟରେ ଅଭିଯୋଗ କରିଥିବା ସତ୍ୟପାଠରେ ଜଳସଂପଦ ବିଭାଗ ଦର୍ଶାଇଛି। ସତ୍ୟପାଠରେ ଓଡ଼ିଶା ଆହୁରି ଦର୍ଶାଇଛି, ୨୦୧୭-୧୮ରେ ହୀରାକୁଦ ଡ୍ୟାମରେ ଅଣମୌସୁମୀ ସମୟରେ ୦.୭୭୭ ନିୟୁତ ଏକର ଫୁଟ ଜଳ ପ୍ରବାହ େହାଇଛି। ତେବେ ଅଣମୌସୁମୀ ସମୟରେ ଜଳପ୍ରବାହ ହ୍ରାସ ପାଇବା ଏବଂ ବର୍ଷାର କୌଣସି ସିଧାସଳଖ ସଂପର୍କ ନାହିଁ। ପରିସଂଖ୍ୟାନ େଦଇ ଏହାକୁ ଓଡ଼ିଶା ସରକାର ବୁଝାଇଛନ୍ତି।

କହିଛନ୍ତି, ୧୯୯୧-୯୨ ଏବଂ ୨୦୦୪-୦୫ରେ ମୌସୁମୀ ବର୍ଷା ୧୧୬୦ ମିଲିମିଟର ଏବଂ ୨୦୦୫-୦୬ରୁ ୨୦୧୫-୧୬ ମଧ୍ୟରେ ଏହାର ପରିମାଣ ୧୧୭୦ ମିଲିମିଟର ଥିଲା। ଅନ୍ୟପକ୍ଷରେ ଅଣ ମୌସୁମୀ ସମୟରେ ୧୯୯୧-୯୨ରୁ ୨୦୦୪-୦୫ ମଧ୍ୟରେ ବର୍ଷାର ପରିମାଣ ୮୩ ମିଲିମିଟର ଥିବା େବଳେ ୨୦୦୫-୦୬ ଓ ୨୦୧୫-୧୬ ମଧ୍ୟରେ ଏହାର ପରିମାଣ ୭୨ ମିଲିମିଟର ଥିଲା। ଏଣୁ ଛତିଶଗଡ଼ ସରକାର ଏ ନେଇ ଯେଉଁ ବିତଣ୍ଡା ଯୁକ୍ତି ରଖୁଛନ୍ତି, ତାହା ଗ୍ରହଣୀୟ ନୁହେଁ ବୋଲି ଓଡ଼ିଶା ଜଣାଇଛି। ସତ୍ୟପାଠରେ ଓଡ଼ିଶା ପକ୍ଷରୁ କୁହାଯାଇଛି, ଛତିଶଗଡ ଦ୍ବାରା ଓଡ଼ିଶାର ତଳମୁଣ୍ଡ ପାଇଁ ପ୍ରବାହିତ ହେବାକୁ ଥିବା ଜଳକୁ ବୃହତ ପ୍ରକଳ୍ପରେ ସଂରକ୍ଷଣ କରି ରଖାଯାଇଛି। ୨୦୧୯ ଜାନୁଆରି ୧ ସୁଦ୍ଧା ଛତିଶଗଡ ସରକାର ୨.୬୭ ନିୟୁତ ଏକର ଫୁଟ ଜଳ ସଂରକ୍ଷଣ କରି ରଖିଛନ୍ତି। ତିନିଟି ଆନ୍ତଃରାଜ୍ୟ ଚୁକ୍ତି ଆଧାରରେ ୧.୬୦ ନିୟୁତ ଏକର ଫୁଟ ଜଳ ଛାଡିବା ଲାଗି ଛତିଶଗଡକୁ ନିର୍ଦେଶ ଦେବା ଲାଗି ସତ୍ୟପାଠରେ ଓଡ଼ିଶା ଦାବି କରିଛି।

Comments are closed.