ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆଜି ବସୁଛି ଉଚ୍ଚ ସ୍ତରୀୟ ବୈଠକ : ଓଡ଼ିଶାର ଆଭିମୁଖ୍ୟ ସଂପର୍କରେ ହେବ ଆଲୋଚନା

35

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଏକ ଉଚ୍ଚ ସ୍ତରୀୟ ବୈଠକ । ବୈଠକରେ ଜଳ ବିବାଦ ନେଇ ଓଡ଼ିଶାର ଆଭିମୁଖ୍ୟ ସଂପର୍କରେ ଆଲୋଚନା ହେବ । ଛତିଶଗଡ଼ ଯାଇ ସ୍ଥିତି ଅନୁଧ୍ୟାନ କରିଥିବା ବିଜେଡି ଟିମର ରିପୋର୍ଟ ଏବଂ ଛତିଶଗଡ଼ ସରକାର ଦେଇଥିବା ତଥ୍ୟ ଉପରେ ବୈଠକରେ ଆଲୋଚନା ହେବ । ଆସନ୍ତା ୧୭ ତାରିଖରେ ଦିଲ୍ଲୀରେ ବସୁଛି ତ୍ରିପାକ୍ଷିକ ବୈଠକ । ଏଥିରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ ଏବଂ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ଉମା ଭାରତୀ ପ୍ରମୁଖ ଯୋଗ ଦେବେ ।

ବୈଠକରେ ଉଭୟ ରାଜ୍ୟର ସ୍ୱାର୍ଥ ନେଇ ଏକ ନିଷ୍ପତି ହେବାର ସମ୍ଭାବନା ରହିଛି । ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ର ବନ୍ଧ ନିର୍ମାଣକୁ ନେଇ ଓଡ଼ିଶା ବିରୋଧ କରିଆସୁଛି । ଓଡ଼ିଶାର ବିନା ଅନୁମତିରେ ଛତିଶଗଡ଼ ଉପରମୁଣ୍ଡରେ ବନ୍ଧ ନିର୍ମାଣ କରୁଥିବା ଅଭିଯୋଗ କରି ରାଜ୍ୟବ୍ୟାପୀ ଆନ୍ଦୋଳନ କରିଛି ବିଜେଡି। ସେହିପରି ଛତିଶଗଡ଼ ଯାଇ ବିଜେଡିର ଏକ ଫ୍ୟାକ୍ସ ଫାଇଣ୍ଡିଂ ଟିମ୍ ନିର୍ମାଣ ଗୁଡ଼ିକ ଅନୁଧ୍ୟାନ କରିଥିଲା।

ଗତକାଲି ଏହି ଟିମ୍ ମୁଖ୍ୟମନ୍ତ୍ରୀଙ୍କୁ ୨୫ ପୃଷ୍ଟା ସମ୍ବଳିତ ରିପୋର୍ଟ ଦେଇଛି। ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ମନ୍ତ୍ରୀ ଦେବୀ ମିଶ୍ର ଏହି ରିପୋର୍ଟ ଦେଇଛନ୍ତି । ଛତିଶଗଡର ପ୍ରକଳ୍ପ ଦ୍ୱାରା ଓଡିଶାର ବ୍ୟାପକ କ୍ଷତି ହେବ ଏବଂ ଏହା ସଂଘୀୟ ବ୍ୟବସ୍ଥାକୁ ଉଲଙ୍ଘନ କରୁଛି ବୋଲି ଏହି ଟିମ୍ ମତ ଦେଇଛି ।