ମହାନଦୀ ଜଳ ବିବାଦ ପ୍ରସଙ୍ଗ : ଉଚ୍ଚସ୍ତରୀୟ ବୈଠକରେ ଯୋଗଦେବା ପାଇଁ ଆଜି ଦିଲ୍ଲୀ ଯାଉଛନ୍ତି ମୁଖ୍ୟମନ୍ତ୍ରୀ

23

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆସନ୍ତାକାଲି ଦିଲ୍ଲୀରେ ବସୁଥିବା ଉଚ୍ଚ ସ୍ତରୀୟ ବୈଠକରେ ସାମିଲ ହେବା ପାଇଁ ଆଜି ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଜି ବିଜେଡି ପକ୍ଷରୁ ଭୁବନେଶ୍ୱରରେ ଏବ ବିରାଟ ଶୋଭାଯାତ୍ରାର ଆୟୋଜନ କରାଯାଉଛି । ଏଥିରେ ରାଜ୍ୟର ବିଭିନ୍ନ ଅଂଚଳରୁ ୧୫ ହଜାର ନେତା ଓ କର୍ମୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱରର ବିଭିନ୍ନ ଛକରୁ ଏହି ରାଲି ବାହାରି ନବୀନ ନିବାସ ଅଭିମୁଖେ ଯିବେ । ଏହି କାର୍ଯ୍ୟକ୍ରମ ସାରିବା ପରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରିବେ ।

ଆସନ୍ତାକାଲି ଦିଲ୍ଲୀରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ରମଣ ସିଂହ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ଉମା ଭାରତୀଙ୍କ ଉପସ୍ଥିତିରେ ଏକ ତ୍ରିପାକ୍ଷିକ ଆଲୋଚନା ହେବ। ଏହି ବୈଠକରେ ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଉଭୟ ରାଜ୍ୟର ସ୍ୱାର୍ଥକୁ ନେଇ ସମାଧାନର ପନ୍ଥା ବାହାରିବ ବୋଲି ଆଶା କରାଯାଉଛି । ତେବେ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ସଂଗଠନ ଏବଂ ବ୍ୟକ୍ତିଙ୍କ ଠାରୁ ମହାନଦୀ ଜଳ ବିବାଦ ନେଇ ପରାମର୍ଶ ନେଇଛନ୍ତି ।

ଦୁଇ ଦିନ ଧରି ଚାଲିଥିବା ଏହି ପରାମର୍ଶ ଗ୍ରହଣ କାର୍ଯ୍ୟକ୍ରମ ପାଇଁ ସଚିବାଳୟ ତୃତୀୟ ମହଲା ସାଧାରଣ ଲୋକଙ୍କ ପାଇଁ ଖୋଲା ରହିଥିଲା। ସେହିପରି ଏହା ପୂର୍ବରୁ ଛତିଶଗଡ଼ର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ ବିଜେଡ଼ିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ମୁଖ୍ୟମନ୍ତ୍ରୀଙ୍କୁ ତାର ରିପୋର୍ଟ ଦେଇଥିଲା। ଏଥିରେ କୁହାଯାଇଥିଲା ଯେ, ଛତିଶଗଡ଼ ମହାନଦୀର ଉପରମୁଣ୍ଡରେ ନିର୍ମାଣ କରୁଥିବା ପ୍ରକଳ୍ପ ଦ୍ୱାରା ଓଡ଼ିଶା କ୍ଷତିଗ୍ରସ୍ତ ହେବ।