କନକ ବ୍ୟୁରୋ : ମହାନଦୀ ଶୁଖୁଛି, ସଙ୍କଟ ବଢୁଛି । ପାଇପ୍ ପାଣି ପାଇବା ପାଇଁ ମହାନଦୀ ଉପରେ ନିର୍ଭର କରୁଥିବା ରାଜ୍ୟର ୪୦ଟି ଛୋଟ ବଡ ସହରରେ ଭବିଷ୍ୟତରେ ପାନୀୟ ଜଳ ପାଇଁ ଭୂତଳ ଜଳ ଉପରେ ନିର୍ଭର କରିବାକୁ ପଡିବ । ମହାନଦୀରେ ଅଧିକ ସଂଖ୍ୟାରେ ବ୍ୟାରେଜ୍ ନିର୍ମାଣ କରାନଗଲେ ଆଗକୁ କଟକ, ଭୁବନେଶ୍ୱର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଝାରସୁଗୁଡ଼ା, ବୌଦ୍ଧ ଓ ନୂଆପଡ଼ା ଭଳି ସହରକୁ ପାଣି ମିଳିବା କଷ୍ଟକର ହୋଇପାରେ ବୋଲି ଓଡିଶା ସରକାରଙ୍କ ଜନସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଦେଇଛି ।

ପାଇପ୍ ପାଣି ପାଇବା ପାଇଁ ମହାନଦୀ ଉପରେ ନିର୍ଭର କରୁଛନ୍ତି ରାଜ୍ୟର ୪୦ଟି ସହର । ଖରାଦିନେ ନଈପଠା ଶୁଖିଲା ପଡ଼ିଲାଣି । ମହାନଦୀ ଅବବାହିକାରେ ଅଧିକ ସଂଖ୍ୟାରେ ବ୍ୟାରେଜ୍ ନିର୍ମାଣ କରାନଗଲେ ଆଗକୁ କଟକ, ଭୁବନେଶ୍ୱର, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ଝାରସୁଗୁଡ଼ା, ବୌଦ୍ଧ ଓ ନୂଆପଡ଼ା ଭଳି ସହରକୁ ପାଣି ମିଳିବା କଷ୍ଟକର ହୋଇପାରେ । ଏବେ କୁଆଖାଇର ନଦୀ ପଠାରୁ ଭୁବନେଶ୍ୱର ସହର ପାଇଁ ପିଇବା ପାଣି ପାଇବା କଷ୍ଟକର ହୋଇପଡ଼ିଛି । ସେହିଭଳି ଦୟାନଦୀର ପଠାରେ ବି ପାଣି ନଥିବାରୁ ଦୟା କେନାଲ ଦେଇ ପାଣି ଅଣାଯାଉଛି । ଖରାଦିନେ ଶୁଖିଲା ପଡ଼ିଯାଉଛି ଅଧିକାଂଶ ନଦୀର ପଠା । ମାତ୍ର ମୁଣ୍ଡଳୀ ଭଳି କିଛି ବ୍ୟାରେଜ୍ରେ ମହାନଦୀର ପାଣି ଅଟକାଯାଇଥିବାରୁ ଭୁବନେଶ୍ୱର ସହରକୁ ମିଳିଯାଉଛି ଆବଶ୍ୟକ ପିଇବା ପାଣି ।

ଜନସ୍ୱାସ୍ଥ୍ୟ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ହିସାବ ଅନୁଯାୟୀ ମହାନଦୀ ଓ ତାର ଶାଖା ନଦୀରୁ ମିଳୁଥିବା ପାଣିରୁ ରାଜ୍ୟର ୪୦ଟି ସହରକୁ ପାଇପ୍ ପାଣି ଯୋଗାଇ ଦିଆଯାଉଛି । (ସ୍କାନ୍ କପି) ମହାନଦୀ ଓ ତାର ଶାଖା ନଦୀରୁ କଟକ, ଭୁବନେଶ୍ୱର, କେନ୍ଦ୍ରାପଡ଼ା, ପାରାଦୀପ, ଖୋର୍ଦ୍ଧା, ଢ଼େଙ୍କାନାଳ, ଝାରସୁଗୁଡ଼ା, ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି, ସୁବର୍ଣ୍ଣପୁର ଓ କନ୍ଧମାଳ ଭଳି ୪୦ଟି ପୌରାଂଚଳକୁ ପିଇବା ପାଣି ଯୋଗାଇ ଦିଆଯାଉଛି । ରାଜ୍ୟର ୧୧୪ଟି ପୌରାଞ୍ଚଳ ମଧ୍ୟରୁ କେବଳ ୪୦ଟି ପୌରାଂଚଳ ପିଇବା ପାଣି ପାଇଁ ମହାନଦୀ ଓ ତାର ଶାଖା ନଦୀ ଉପରେ ନିର୍ଭର କରୁଛନ୍ତି । ବର୍ତମାନ ଏହି ସହରଗୁଡ଼ିକ ପାଇଁ ପାଣିର ଆବଶ୍ୟକତା ବର୍ଷକୁ ୨୨୪.୬୯ ମିଲିୟନ୍ କ୍ୟୁବିକ୍ ମିଟର ଥିବା ବେଳେ ୨୦୫୧ ସୁଦ୍ଧା ଏହି ଆବଶ୍ୟକତା ୫୦୨.୨୨ ମିଲିୟନ୍ ଟନରେ ପହଂଚିଥିବ ।

ମହାନଦୀର ଉପରମୁଣ୍ଡରେ ବନ୍ଧ ବାନ୍ଧି ୨୨୬୮ଟି ପ୍ରକଳ୍ପ ନିର୍ମାଣ କରିସାରିଛି ଛତିଶଗଡ଼ । ସେଥିରେ ରହିଛି ୮ଟି ବଡ଼, ୨୯ଟି ମଧ୍ୟମ, ୧୮୬୦ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଏବଂ ୩୭୧ଟି ଆନିକଟ । ଆଗକୁ ଆହୁରି ଛୋଟ ବଡ଼ ପ୍ରକଳ୍ପ ପାଇଁ ବି ପ୍ରସ୍ତୁତି ଚଳାଇଛି । ଏପରିସ୍ଥଳେ ଓଡ଼ିଶା ଅଧିକ ବ୍ୟାରେଜ୍ ନିର୍ମାଣ କଲେ ଯାଇ ସହରଗୁଡ଼ିକ ପାଇଁ ପାନୀୟ ଜଳ ସମସ୍ୟା ରହିବ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି ।