ବୈଜୟନ୍ତଙ୍କ ବିରୋଧରେ ଲମ୍ବୁଛି ଅଭିଯୋଗର ତାଲିକା ! ମହାକାଳପଡା ବିଜେଡି କର୍ମୀ କହିଲେ, ସାଂସଦ କରୁଛନ୍ତି ଦଳ ବିରୋଧୀ କାମ

26

କନକ ବ୍ୟୁରୋ : ବିଜେଡି-ବୈଜୟନ୍ତ ଲଢେଇର ମହାଅଧ୍ୟାୟରେ ପ୍ରତିଦିନ ନୂଆ ନୂଆ କାହାଣୀ ଯୋଡି ହେବାରେ ଲାଗିଛି । ଆଜି ବୈଜୟନ୍ତଙ୍କ ବିରୋଧରେ ନବୀନଙ୍କ ଆଗରେ ଫେରାଦ ହୋଇଛନ୍ତି ମହାକାଳପଡା ନିର୍ବାଚନମଣ୍ଡଳୀର ବିଜେଡି କର୍ମୀ । ସାଂସଦ ବୈଜୟନ୍ତଙ୍କ ନାଁରେ ଅଧ ଡଜନେ ଅଭିଯୋଗର ଲମ୍ବା ଫର୍ଦ୍ଦ ନେଇ ଦଳର ସୁପ୍ରିମୋଙ୍କ ନିକଟରେ ଫେରାଦ ହୋଇଛନ୍ତି ଦଳୀୟ କର୍ମୀ । ସାଂସଦ ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ପଚାରୁନାହାନ୍ତି ବରଂ ଅପରାଧୀଙ୍କୁ ଧରି ଜନସଭାକୁ ଯାଉଛନ୍ତି ବୋଲି ବୈଜୟନ୍ତଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ମହାକାଳପଡା ନିର୍ବାଚନମଣ୍ଡଳୀର ଦଳୀୟ କର୍ମୀ । ଏହି ଲମ୍ବା ଅଭିଯୋଗର ଫର୍ଦ୍ଦ ଏତିକିରେ ସରିନି ବୈଜୟନ୍ତ ଦଳ ବିରୋଧୀ କାମ କରୁଛନ୍ତି ଏପରିକି ସଂସଦୀୟ କ୍ଷେତ୍ରକୂୁ ଗଲେ ବିଜେପି ଲୋକଙ୍କୁ ସାଙ୍ଗରେ ନେଉଛନ୍ତି ବୋଲି ମହାଭିଯୋଗ ଆସିଛି । ଦଳର ହିତ କରିବା ତ ଦୂରର କଥା ବରଂ ନିର୍ବାଚନମଣ୍ଡଳୀରେ ନିଜ ପ୍ରଚାର ଅଧିକ କରୁଛନ୍ତି । ଏହାସହ ସାଂସଦ ପାଣ୍ଠିର ଦୂରପଯୋଗ ନେଇ ମଧ୍ୟ ବୈଜୟନ୍ତଙ୍କ ବିରୋଧରେ ନବୀନଙ୍କୁ କହିଛନ୍ତି ଦଳୀୟ କର୍ମୀ । ତେଣୁ ଖୁବଶୀଘ୍ର ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ ଦାବି କରିଛନ୍ତି ।

BAIJAYANTAକେବଳ ମହାକାଳପଡା ନୁହେଁ ବରଂ ଯେଉଁଠାରେ ବୈଜୟନ୍ତ ପାଣିଟାଙ୍କି ଉଦଘାଟନ କରି ବିବାଦର ସୁତ୍ରପାତ କରିଥିଲେ ସେହିଠାରୁ ମଧ୍ୟ ଆସିଛି ଅଭିଯୋଗ ଫର୍ଦ୍ଦ । ନିଶ୍ଚିତକୋଇଲି ବ୍ଳକର ଶତାଧିକ ବିଜେଡି ସମର୍ଥକ ବ୍ଳକ ସଭାପତି ରମାକାନ୍ତ ମହାନ୍ତିଙ୍କ ନେତୃ୍ତ୍ୱରେ ଆସି ବୈଜୟନ୍ତଙ୍କ ବିରୋଧରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଗରେ ଫେରାଦ ହୋଇଛନ୍ତି । ସେମାନଙ୍କର ମଧ୍ୟ ସମାନ ଅଭିଯୋଗ ଥିଲା କି ବୈଜୟନ୍ତ ଦଳ ବିରୋଧୀ କାମ କରୁଛନ୍ତି ଓ କର୍ମୀମାନଙ୍କୁ ଅଣଦେଖା କରୁଛନ୍ତି । ବୈଜୟନ୍ତଙ୍କୁ ଏବେ ନିଜ ନିର୍ବାଚନମଣ୍ଡଳୀରେ ବିରୋଧର ସାମ୍ନା କରିବାକୁ ପଡୁଛି । ବାରମ୍ବାର ବୈଜୟନ୍ତଙ୍କ ବିରୋଧରେ ଅଭିଯୋଗ ନେଇ ଦଳର ସୁପ୍ରିମୋଙ୍କ ନିକଟରେ ପହଞ୍ଚୁଛନ୍ତି ବିଜେଡି କର୍ମୀ ।

ତେବେ ଏସବୁ ଭିତରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହି ଚୁପ୍ ବସିଛନ୍ତି ବିଜେଡି ମୁଖିଆ ନବୀନ ପଟ୍ଟନାୟକ । ବୁହାଳୋ ଠାରେ ପାଣି ଟାଙ୍କି ଉଦଘାଟନ ପରେ ଥାର୍ଡ ଫ୍ଲୋରର ଅଫିସରଙ୍କୁ ଟାର୍ଗେଟ କରିବା ବୈଜୟନ୍ତଙ୍କୁ ମହଙ୍ଗା ପଡିଛି । ଥାର୍ଡ ଫ୍ଲୋରର ଅଫିସରଙ୍କୁ ବିଜୁଙ୍କ ମାଡ ତତ୍ତ୍ୱ କଥା ମନେ ପକାଇବା ପରେ ବିଜେଡି-ବୈଜୟନ୍ତ ବିବାଦର ସୁତ୍ରପାତ ଆରମ୍ଭ ହୋଇଥିଲା । କିନ୍ତୁ ଏହି ବିବାଦ ପ୍ରଶମିତ ହେବା ବଦଳରେ ଏବେ ବଢିବାରେ ଲାଗିଛି । ବାରମ୍ବାର ଟ୍ୱିଟ୍ କରି ବିଜେଡିକୁ ଘାଇଲା କରୁଛନ୍ତି ବୈଜୟନ୍ତ । କିନ୍ତୁ ଏତେ ସବୁ ଦେଖିବା ପରେ ମଧ୍ୟ ନବୀନ ଏଯାଏଁ ବୈଜୟନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେଇ ଚୁପ ବସିଛନ୍ତି । କିନ୍ତୁ ବୈଜୟନ୍ତଙ୍କୁ ନେଇ ଏବେ ନିର୍ବାଚନମଣ୍ଡଳୀରେ ଦେଖାଦେଲାଣି ଅସନ୍ତୋଷ । ଖୁବଶୀଘ୍ର ବୈଜୟନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କର୍ମୀ ମାନେ ଦାବି କରୁଛନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନିର୍ବାଚନମଣ୍ଡଳୀରୁ ବୈଜୟନ୍ତଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିବା ପରେ ନବୀନ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବେ ତ ?