ଆଗୁଆ ହୋଇପାରେ ଲୋକସଭା ନିର୍ବାଚନ : ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

30

କନକ ବ୍ୟୁରୋ : ଏଥର ଶୀଘ୍ର ହୋଇପାରେ କି ଲୋକସଭା ନିର୍ବାଚନ । ୨୦୧୯ ଏପ୍ରିଲ ବଦଳରେ ୨୦୧୮ ଶେଷ ଭାଗରେ ହୋଇପାରେ କି ଆଗୁଆ ନିର୍ବାଚନ । ଏଭଳି ଚର୍ଚ୍ଚା ଏବେ ଜାତୀୟ ଗଣମାଧ୍ୟମରେ ଚାଲିଛି । ୨୦୧୮ ନଭେମ୍ବର-ଡିସେମ୍ବରରେ  ଲୋକସଭା ନିର୍ବାଚନ ସମେତ ଓଡିଶା, ଆନ୍ଧ୍ର ଓ ତେଲଙ୍ଗାନାର ରାଜ୍ୟର ବିଧାନସଭା ନିର୍ବାଚନ ହୋଇପାରେ ।

ମୋଦି ସରକାରର ଆଭ୍ୟନ୍ତରୀଣ ମହଲରେ ମଧ୍ୟ ଏ ନେଇ ଜୋରଦାର ଚର୍ଚ୍ଚା ଚାଲିଥିବା ଦୈନିକ ଇଂରାଜୀ ଖବରକାଗଜ ଟାଇମସ ଅଫ ଇଣ୍ଡିଆ ପ୍ରକାଶ କରିଛି । ଏ ବାବଦରେ ସମ୍ବିଧାନ ବିଶେଷଜ୍ଞଙ୍କ ମଧ୍ୟ ମତ ଲୋଡାଯାଇଛି । ପ୍ରକୃତ ପକ୍ଷେ ଲୋକସଭା ନିର୍ବାଚନ ୨୦୧୯ ମଧ୍ୟଭାଗରେ ହେବାର ଅଛି । କିନ୍ତୁ ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତ ଦେଇସାରିଛନ୍ତି ଯେ, ଅଲଗା ଅଲଗା ନିର୍ବାଚନ ସରକାରଙ୍କ କାର୍ଯ୍ୟକ୍ରମକୁ ପ୍ରଭାବିତ କରିବା ସହ ଆର୍ଥିକ ବୋଝ ସୃଷ୍ଟି କରୁଛି । ତେଣୁ ୨୦୧୮  ନଭେମ୍ବର-ଡିସେମ୍ବରରେ ଲୋକସଭା ସହ ଓଡିଶା , ଆନ୍ଧ୍ର ଓ ତେଲେଙ୍ଗାନାର ନିର୍ବାଚନ କରିବାକୁ ଚିନ୍ତା କରାଯାଉଥିବା ଜାତୀୟ ଗଣମାଧ୍ୟମ ପ୍ରକାଶ କରିଛି ।

ତେବେ ଏଥିପାଇଁ ସଂପୃକ୍ତ ରାଜ୍ୟଗୁଡିକର ସହମତି ଆବଶ୍ୟକ । ଓଡିଶା ଓ ତେଲେଙ୍ଗାନାରେ ଅଣ ବିଜେପି ଦଳ କ୍ଷମତାସୀନ ଥିବାବେଳେ  ଆନ୍ଧ୍ରରେ ବିଜେପିର ସହଯୋଗୀ ତେଲୁଗୁଦେଶମ ପାର୍ଟି ଶାସନ କରୁଛି । ନିୟମ ଅନୁସାରେ, ନିର୍ଧାରିତ ସମୟର ୬ ମାସ ପୂର୍ବରୁ ଯେ କୌଣସି ସ୍ଥାନରେ ନିର୍ବାଚନ ହୋଇପାରିବ । ଏଥିପାଇଁ ସେଭଳି ଜଟିଳ ପ୍ରକ୍ରିୟାର ଆବଶ୍ୟକତା ନାହିଁ । ଏଭଳି ସ୍ଥଳେ ସଂପୃକ୍ତ ରାଜ୍ୟର ସହମତି ମୋଦି ସରକାରଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇପାରେ ।