ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ : ଆଜି ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

35

କନକ ବ୍ୟୁରୋ : ପବିତ୍ର ଭାଦ୍ରବ ଶୁକ୍ଳ ସପ୍ତମୀ ତିଥିରୁ ଶ୍ରୀମନ୍ଦିରରେ କୃଷ୍ଣଲୀଳା ଆରମ୍ଭ ହେଉଛି । ଏହି ପରିପ୍ରେକ୍ଷୀରେ ମହାପ୍ରଭୁଙ୍କୁ ରବିବାର ଯେଉଡ଼ ଭୋଗ ଲାଗି ହୋଇଛି। ଆସନ୍ତା ୩୧ ତାରିଖ ପର୍ୟ୍ୟନ୍ତ ପ୍ରତ୍ୟେକ ଦିନ ଏଭଳି ନୀତି ରହିଛି । ତେବେ ସୋମବାର ସର୍ବାଧିକ ନୀତି ରହିଥିବାରୁ ଅପରାହ୍ଣ ୪ଟା ୩୦ରୁ ରାତି ୧୦ଟା ୩୦ ପର୍ୟ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ମହାପ୍ରଭୁ ସ୍ୱୟଂ ନିଜ ପେଟରୁ ଜନ୍ମ ନେବେ। ସେ ଗର୍ଭଧାରଣ କରିଥିବାରୁ ତାଙ୍କୁ ଖଟା ଫଳ(ଯେଉଡ଼) ତରକାରୀ ଭୋଗ ଲାଗି କରାଯାଇଛି । ସନ୍ଧ୍ୟା ଆଳତି ବେଶରେ ମହାପ୍ରଭୁଙ୍କୁ ସୁନା ଅଳଙ୍କାର ଲାଗି ହେବା ପରେ ଜୟବିଜୟ ଦ୍ଵାର ବନ୍ଦ କରି ଅଣସର ପିଣ୍ଡି ଠାରେ ଏହି ଭୋଗ ରଖାଯାଇଥିଲା । ମୁଦିରସ୍ତ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରିଥିବା ବେଳେ ପୂଜାପଣ୍ଡା ପଞ୍ଚୋପଚାରରେ ପୂଜା କରିଥିଲେ । ଏହି ନୀତି ପାଇଁ ତିନିବାଡ଼ରେ ଗୋଟିଏ ଅଧିକ ବନ୍ଦାପନା ହୋଇଥିଲା । ତାହା ହେଉଛି ଗର୍ଭଉଦକ ବନ୍ଦାପନା। ଆସନ୍ତାକାଲି ଶ୍ରୀକୃଷ୍ଣ ଜନ୍ମ ନେବେ। ଗର୍ଭକଷ୍ଟରୁ ମୁକ୍ତି ଦେବା ପାଇଁ ଏହି ଭୋଗ ଲାଗି କରାଯିବା ସହ ବନ୍ଦାପନା ହୋଇଛି ।