ରାଜ୍ୟରେ ବଢୁଛି ମଦ ରାଜସ୍ୱ । ୩ ବର୍ଷରେ ମିଳିଛି ୮ ହଜାର କୋଟି ରାଜସ୍ୱ ।

64

କନକ ବ୍ୟୁରୋ: ରାଜ୍ୟରେ ବଢିଛି ଅବକାରୀ ରାଜସ୍ୱ । ଏନେଇ ବିଧାନସଭାରେ ଲିଖିତ ଉିତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା । ଗତ ୩ ବର୍ଷରେ ଅବକାରୀ ସାମଗ୍ରୀ ଉପରେ ରାଜ୍ୟ କେତେ ରାଜସ୍ୱ ପାଇଛି ତାହାକୁ ନେଇ ବିଧାସଭାରେ ପ୍ରଶ୍ନ କରିଥିଲେ କଂଗ୍ରେସ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା । ଏନେଇ ଉତ୍ତରରେ ଅବକାରୀ ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଗତ ତିନିବର୍ଷ ମଧ୍ୟରେ ଅବକାରୀ ରାଜସ୍ୱ ବଢ଼ୁଛି । ୨୦୧୫-୧୬ ବର୍ଷରେ ମୋଟ୍ ୨,୫୬୮ କୋଟି ୬୮ ଲକ୍ଷ ଟଙ୍କା ରାଜସ୍ୱ ମିଳିଥିବାବେଳେ ୨୦୧୬-୧୭ ବର୍ଷରେ ୨,୭୮୩ କୋଟି ୬୯ ଲକ୍ଷ ଟଙ୍କା ଏବଂ ୨୦୧୭-୧୮ ବର୍ଷରେ ୩,୨୨୧ କୋଟି ୩ ଲକ୍ଷ ଟଙ୍କା ଅବକାରୀ ରାଜସ୍ୱ ପାଇଛନ୍ତି ରାଜ୍ୟ ସରକାର ବୋଲି କହିଛନ୍ତି ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା । ବିଶେଷ କରି ବିଗତ ୩ ବର୍ଷ ମଧ୍ୟରେ ବିଦେଶୀ ମଦରୁ ଅଧିକ ରାଜସ୍ୱ ଆସୁଥିବା କହିଛନ୍ତି ଅବକାରୀ ମନ୍ତ୍ରୀ ।

ଅନ୍ୟପଟେ ରାଜ୍ୟରେ ମହିଳାମାନେ ଅନେକ ମଦ ବିରୋଧୀ ଆନ୍ଦୋଳନ କରିଛନ୍ତି । ଯାହାଦ୍ୱାରା ଗତ ୩ ବର୍ଷ ମଧ୍ୟରେ ମୋଟ୍ ୪୫ଟି ମଦ ଦୋକାନ ଭାଙ୍ଗି ଦିଆଯାଇଥିବାବେଳେ ମୋଟ୍ ୨୨ଟି ମଦ ଦୋକାନକୁ ସମ୍ପୂର୍ଣ୍ଣ ବନ୍ଦ କରିଥିବା ରିପୋର୍ଟ ଦେଇଛନ୍ତି ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା । ଅନ୍ୟପଟେ ଗତ ତିନି ବର୍ଷରେ ଯେତିକି ମଦ ଦୋକାନ ଭଙ୍ଗାଯାଇଛି ତାହାର ଦେଢ଼ଗୁଣ ଅଧିକ ନୂତନ ମଦ ଦୋକାନ ନିର୍ମାଣ କରିବା ପାଇଁ ଲାଇସେନ୍ସ ପ୍ରଦାନ କରାଯାଇଛି । ୨୦୧୫ ବର୍ଷ ଠାରୁ ରାଜ୍ୟରେ ମୋଟ୍୍ ୭୫ଟି ନୂତନ ମଦ ଦୋକାନ କରିବା ପାଇଁ ଲାଇସେନ୍ସ ପ୍ରଦାନ କରାଯାଇଛି ବୋଲି ଅବକାରୀ ମନ୍ତ୍ରୀଙ୍କ ତଥ୍ୟ କହୁଛି ।

protest against liquorତେବେ ବିଗତ ୩ ବର୍ଷରେ ମୟୁରଭଞ୍ଜରେ ସର୍ବାଧିକ ୩୧ଟି ମଦ ଦୋକାନ ଭଙ୍ଗା ଯାଇଥିବାବେଳେ ୪ଟି ଜିଲ୍ଲାରେ ସର୍ବନିମ୍ନ ମଦ ଦୋକାନ ଭାଙ୍ଗିଛନ୍ତି ମହିଳା । କିନ୍ତୁ ତଥ୍ୟ କହୁଛି ଯେ ଯେଉଁ ପରିମାଣରେ ମଦବିରୋଧୀ ଆନ୍ଦୋଳନ ହୋଇ ମଦ ଦୋକାନକୁ ଭଙ୍ଗା ଯାଇଛି ତାହାର ଦେଢ ଗୁଣ ଅଧିକ ନୂତନ ମଦ ଦୋକାନକୁ ଲାଇସେନ୍ସ ପ୍ରଦାନ କରାଯାଇଛି । ଅନ୍ୟପଟେ ଅବକାରୀ ରାଜସ୍ୱ ମଧ୍ୟରେ ଗୁଟଖା ଏକ ଅବକାରୀ ମାଦକ ଦ୍ରବ୍ୟ ଭାବେ କଣାଯାଏ ନାହିଁ । ତେଣୁ ଏଥିରୁ କେତେ ରାଜସ୍ୱ ଆସେ ତାହାର ଉତ୍ତର ସ୍ପଷ୍ଟ କରି ନାହାନ୍ତି ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା ।