ଗାଁ ପାଇଁ ଗୌରବ ମାନସ…ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଅକ୍ଷମତା…ଗୋଟିଏ ହାତ ନଥାଇ ବି ମାଟିର ମୂର୍ତ୍ତିକୁ ଦେଉଛନ୍ତି ଜୀବନ୍ତ ରୂପ

405

କନକ ବ୍ୟୁରୋ: ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଅକ୍ଷମତା । ଗୋଟିଏ ହାତ ନଥିବା ଜଣେ ଦିବ୍ୟାଙ୍ଗ ଛାତ୍ର ନିଜ ଭିତରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ହୋଇଛନ୍ତି ସକ୍ଷମ । ଦିବ୍ୟାଙ୍ଗ ହୋଇ ବି ଗୋଟିଏ ହାତରେ ମାଟିରେ ବିଭିନ୍ନ ସାମଗ୍ରୀ ତିଆରି କରି ନିଜ କଳାକୁ ଲୋକ ଲୋଚନକୁ ଆଣିପାରିଛନ୍ତି ନବରଙ୍ଗପୁର ଓଡିଶା ଆଦର୍ଶ ବିଦ୍ୟାଳୟରେ ପାଠପଢୁଥିବା ନବମ ଶ୍ରେଣୀର ଛାତ୍ର ମାନସ ବିଷୋୟୀ ।

ନବରଙ୍ଗପୁର ବ୍ଲକ୍ ବାଘସିଉନି ଗାଁର ଶ୍ୟାମଘନ ବିଷୋୟୀଙ୍କ ବଡ ପୁଅ ମାନସ । ପିଲାଟି ବେଳୁ ସେ ଦିବ୍ୟାଙ୍ଗ । ଜନ୍ମରୁ ମାନସଙ୍କ ଡାହାଣହାତର କହୁଣି ତଳଠୁ ହାତ ନାହିଁ । ହେଲେ ଗୋଟିଏ ହାତରେ ସେ ସଂପୂର୍ଣ୍ଣ ସକ୍ଷମ । ତେବେ ପୁଅର ଏଭଳି ଅବସ୍ଥା ଦେଖି ବାପାମାଆ ସଂପୂର୍ଣ୍ଣ ଭାଙ୍ଗି ପଡିଥିଲେ ମଧ୍ୟ ମାନସଙ୍କଠାରେ ନିହିତ ଥିବା ଅନ୍ୟନ୍ୟ ପ୍ରତିଭା ସେମାନଙ୍କର ମନବୋଳ ବଢାଇଦେଇଛି । ଗାଁ ସ୍କୁଲରେ ମାନସ ପାଠପଢୁଥିବା ସମୟରେ ସୁନ୍ଦର ସୁନ୍ଦର ଚିତ୍ର ଆଙ୍କି ବିଭିନ୍ନ ପ୍ରତିଯୋଗୀତାରେ କୃତକାର୍ଯ୍ୟ ହୋଇ ପୁରସ୍କୃତ ହୋଇଥିବା ବେଳେ ବ୍ଲକ ସ୍ତରୀୟ ବିଭିନ୍ନ ପ୍ରତିଯୋଗୀତାରେ ମଧ୍ୟ ମାନସ ବେଶ୍ ସଫଳତା ହାସଲ କରିଛନ୍ତି । ଏବେ ମାନସ ନବମ ଶ୍ରେଣୀର ଛାତ୍ର । ପାଠପଢାରୁ ଟିକିଏ ଫୁରସତ ପାଇବା କ୍ଷତି ମାନସ ବସି ପଡନ୍ତି ନାଟି ମୂର୍ତ୍ତି ନିର୍ମାଣ କାମରେ । ଗୋଟିଏ ହାତର ଅଙ୍ଗୁଳିରେ ମାଟି ମିଶାଇବା ସହ ଅନ୍ୟ ହାତର କହୁଣି ସାହାଯ୍ୟ ନେଇ ଶୁଖା କାଦୁଅ ମାଟିକୁ ଦେଇ ଦିଅନ୍ତି ଜୀବନ୍ତ ରୂପ । କଣ୍ଡେଇଠାରୁ ଆରମ୍ଭ କରି ପଶୁ, ପକ୍ଷୀ , ଫୁଲ, ଫଳ ଓ ବିଭିନ୍ନ ବସ୍ତୁ ଆଦିର ଜୀବନ୍ତ ପିତୁଳା ବେଶ୍ ସୁନ୍ଦର ଢଙ୍ଗରେ ତିଆରି କରୁଛନ୍ତି ମାନସ ।

ତେବେ ନିଜର ଏହି ନିଆରା ପ୍ରତିଭା ପାଇଁ ଆଦର୍ଶ ବିଦ୍ୟାଳୟ ପାଇଁ ଗୌରବ ପାଲଟି ଯାଇଛନ୍ତି ମାନସ । କେବଳ ମୂର୍ତ୍ତି ତିଆରି କୌଶଳ ନୁହେଁ ମାନସ ଭଲ ଚିତ୍ର ବି ଆଙ୍କୁ ପାରୁଛନ୍ତି । ନିଜକୁ କେବେ ଅକ୍ଷମ ବୋଲି ଭାବି ନାହାନ୍ତି ମାନସ । ବରଂ ଭଲ ପାଠ ପଢିବି ଏବଂ ଜିଲ୍ଲାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବି ବୋଲି ଇଚ୍ଛା ରଖିଛନ୍ତି ମାନସ । ହେଲେ କୁନି ପିଲାଟି ଦେଖୁଥିବା ସ୍ୱପ୍ନରେ ବାଧକ ସାଜିଛି ଅର୍ଥ । କାରଣ ମାନସଙ୍କ ବାପା ଜଣେ କ୍ଷୁଦ୍ର ବ୍ୟବସାୟୀ । ମାନସଙ୍କୁ ପ୍ରତି ବର୍ଷ ବାଣିଶ୍ରୀ ଭିନ୍ନକ୍ଷମ ଛାତ୍ରବୃତ୍ତି ପ୍ରଦାନ କରାଯିବା ସହ ଦିବ୍ୟାଙ୍ଗ ଭତ୍ତା ମିଳୁଥିଲେ ବି ଉଚ୍ଚ ଶିକ୍ଷା ପାଇଁ ଯଦି ସରକାରୀ ସହାୟତା ମିଳିପାରନ୍ତା ତେବେ ମାନସର ସ୍ୱପ୍ନ ପୁରଣ ହୋଇପାରିବ ବୋଲି କହିଛନ୍ତି ବାପା ଶ୍ୟାମଘନ ବିଷୋୟୀ ।