ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହେଲା ବୀର ଓଡିଆ ସହିଦ ଯବାନ ମନୋଜ ବେହେରାଙ୍କ ଶେଷକୃତ୍ୟ ! କାନ୍ଦୁଛି ରତନପୁର, କାନ୍ଦୁଛି ସାରା ଓଡିଶା । 

268

କନକ ବ୍ୟୁରୋ : ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହୋଇଛି ବୀର ଓଡିଆ ସହିଦ ଯବାନଙ୍କ ଶେଷକୃତ୍ୟ । ପଞ୍ଚଭୂତରେ ଲୀନ ହେଲେ ସହିଦ ଯବାନ ମନୋଜ ବେହେରା । ନିଆଳି ଗାଁ ରତନପୁରରେ ଶୋକର ଛାୟା ।  ରତନପୁର ଶଶ୍ମାନରେ ହଜାର ହଜାର ଲୋକଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ଯବାନଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି । ସହିଦ ଯବାନଙ୍କୁ ଜିଲ୍ଲା ପୋଲିସ ପକ୍ଷରୁ ତୋପ ସଲାମି ଦିଆଯାଇଛି । କାନ୍ଦବୋବାଳିରେ ଫାଟି ପଡୁଛି ରତନପୁର ଗାଁ  । ଗୋଟିଏ ପଟେ ସମସ୍ତଙ୍କ ମନରେ ରହିଛି ମନୋଜଙ୍କୁ ହରାଇବାର ଦୁଃଖ ଅନ୍ୟପଟେ ଦେଶ ପାଇଁ ଜୀବନ ଦେଇଥିବାରୁ ସମସ୍ତେ ମନୋଜଙ୍କ ପାଇଁ ଗର୍ବ ମଧ୍ୟ ଅନୁଭବ କରୁଛନ୍ତି । ସହିଦ ଯବାନଙ୍କୁ ମୁଖାଗ୍ନି ଦେଇଛନ୍ତି ତାଙ୍କ ସାନ ଭାଇ । ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଜନ୍ମମାଟିରେ ସହିଦ ଯବାନଙ୍କୁ ଶେଷ ସଲାମ ଦିଆଯାଇଛି । ବୀର ଓଡିଆ ସହିଦ ଯବାନ ମନୋଜ ବେହେରାଙ୍କୁ ଶେଷ ବିଦାୟ ଦେବାକୁ ହଜାର ହଜାର ଲୋକଙ୍କ ସୁଅ ଛୁଟିଥିଲା । ଇତିହାସ ପାଲଟିଛି ଯବାନଙ୍କ ଶେଷଯାତ୍ରା । ଏଭଳି ଦୃଶ୍ୟ କେବେ ଦେଖିବାକୁ ମିଳିନଥିଲା । ରାଜରାସ୍ତାକୁ ଛୁଟିଆସିଥିଲେ ହଜାର ହଜାର ଲୋକ । କଟକ ଜିଲ୍ଲା ନିଆଳି ଥାନା ରତନପୁର ଗାଁରେ ସହିଦ ଯବାନ ମନୋଜ ବେହେରାଙ୍କ ମରଶରୀରକୁ ଶେଷ ଶ୍ରଦ୍ଧାଂଜଳି ଦିଆଯାଇଛି । ଜାତୀୟ ପତାକାରେ ଆଛାଦିତ ସହିଦ ଯବାନଙ୍କ ଜନ୍ମମାଟିରେ ଶେଷ ଦର୍ଶନ ପରେ ଅନ୍ତିମ ସଂସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଯବାନଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବା ପରେ ତୋପ ସଲାମୀ ଦିଆଯାଇଥିଲା । ଏହାପରେ ଯବାନଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ଶରୀର ଜଳିଯାଇଛି, ହେଲେ ସହିଦ ମନୋଜ ଅମର ହୋଇରହିଛନ୍ତି । ଦେଶପାଇଁ ଜୀବନ ଉତ୍ସର୍ଗ କରିଥିବା ବୀର ଯବାନଙ୍କ ପାଇଁ କାନ୍ଦୁଛି ରତନପୁର, କାନ୍ଦୁଛି ସାରା ଓଡିଶା । ଆଜି ସାରା ଦେଶ ତାଙ୍କୁ ମନେ ରଖିଛି ଏବଂ ଆଗକୁ ବି ମନେ ରଖିବ ।