କନକ ବ୍ୟୁରୋ : ପଶ୍ଚିମା ବାୟୁ ପ୍ରବାହରେ ଫେବ୍ରୁଆରି ମାସ ଆରମ୍ଭରୁ ପାଗରେ ବାରମ୍ବାର ପରିବର୍ତନ ହେଉଛି। କେତେବେଳେ ପ୍ରବଳ ଖରା ହେଉଛି ତ ଆଉ କେତେବେଳେ କାଳବୈଶଖୀ ବର୍ଷା। ଉପକୂଳରୁ ଉପାନ୍ତ ହେଉ ଅଥବା ମାଲକାନଗିରିରୁ ମୟୂରଭଞ୍ଜ। ସବୁଠି ପ୍ରଭାବ ଦେଖିବାକୁ ମିଳୁଛି। ଏଭଳି ସ୍ଥିତି ଆହୁରି ୧୫ ଦିନ ଯାଏ ଲାଗିରହିବ। ମାର୍ଚ୍ଚ ମାସ ପ୍ରଥମ ସପ୍ତାହରୁ ପାଗ ସ୍ବାଭାବିକ ସ୍ଥିତିକୁ ଫେରିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ପୂର୍ବାନୁମାନ ଅନୁଯାୟୀ ଓଡ଼ିଶା ସାରା ବିକ୍ଷିପ୍ତ ବର୍ଷା ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସୋନପୁରରେ ସର୍ବାଧିକ ୨୨.୬ ମିମି ବର୍ଷା ରେକର୍ଡ କରାଯାଇଛି। କେନ୍ଦୁଝରରେ ୧୬.୫ ମିମି, ବଲାଙ୍ଗୀରରେ ୧୫, ଝାରସୁଗୁଡ଼ାରେ ୧୪.୬, ତାଳଚେରରେ ୧୨, ସମ୍ବଲପୁରରେ ୧୦.୬, ଅନୁଗୁଳରେ ୧୦, ବାରିପଦାରେ ୮ ମିମି ବର୍ଷା ହୋଇଛି। ଭୁବନେଶ୍ବର, କଟକ ସମେତ ଉପକୂଳ ଓଡ଼ିଶାରେ ଭୋର ୪ଟାରୁ ଘଣ୍ଟା ପ୍ରତି ୨୫ରୁ ୩୦ କିମି ବେଗରେ ପବନ ସହ ବର୍ଷା ଲାଗିରହିଥିଲା।
/kanak/media/post_attachments/wp-content/uploads/2019/02/download-26.jpg)
ଓୟୁଏଟି କୁଳପତି ତଥା ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଉଛି ଯେ ରବିବାର ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ କୁହୁଡ଼ି ରହିବ। ୧୯ ତାରିଖ ପର୍ଯ୍ୟନ୍ତ ତାପମାତ୍ରା ଅପରିବର୍ତ୍ତିତ ରହିବ। ୨୦ ତାରିଖଠାରୁ କେନ୍ଦ୍ରୀୟ ଓ ଉପକୂଳ ଓଡ଼ିଶାରେ ତାପମାତ୍ରା ବଢ଼ିବ। ୨୩ ତାରିଖ ସୁଦ୍ଧା ଭୁବନେଶ୍ବରର ସର୍ବାଧିକ ତାପମାତ୍ରା ୩୬ ଡିଗ୍ରିରୁ ଅଧିକ ହୋଇପାରେ। ପାଗ ଶୁଖିଲା ଓ ଖରାଟିଆ ରହିବ। ରବିବାରଠାରୁ ପଶ୍ଚିମ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା କ୍ରମଶଃ ବଢ଼ିବ। ୨୫ ତାରିଖରେ ମେଘୁଆ ପାଗ ଓ ୨୬ ତାରିଖରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇପାରେ।