ପଞ୍ଚଭୂତରେ ଲୀନ ହେଲେ ପୁଲୱାମା ହିରୋ, ସାହସୀ ପୁଅ ପାଇଁ କାନ୍ଦୁଛି କାମାକ୍ଷାନଗର ।

639

କନକ ବ୍ୟୁରୋ : ଜାମ୍ମୁ କାଶ୍ମୀରର ପୁଲୱାମାରେ ସହିଦ ହୋଇଥିବା ଓଡିଆ ଯବାନ ଅଜିତ କୁମାର ସାହୁଙ୍କ ଆଜି ଅନ୍ତିମ ସଂସ୍କାର କରାଯାଇଛି । ଜନ୍ମମାଟି କାମାକ୍ଷାନଗରର ବଡସୁଆଁଳ ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସହିଦ ଅଜିତଙ୍କୁ ଶେଷ ବିଦାୟ ଦିଆଯାଇଛି । ଭୁବନେଶ୍ୱରରୁ ଜନ୍ମମାଟିକୁ ମରଶରୀର ଯାଉଥିବା ବେଳେ, ଅଜିତଙ୍କ ଶେଷ ଦର୍ଶନ ପାଇଁ ରାସ୍ତା ଉପରେ ଛୁଟିଥିଲା ହଜାର ହଜାର ଲୋକଙ୍କ ଭିଡ ।

କର୍ମଭୂମିରୁ ଜନ୍ମଭୂମିକୁ ଫେରୁଥିଲେ ସହିଦ ଅଜିତ । ସାହସୀ ପୁଅ, ଗାଁକୁ ଫେରୁଥିଲା ସତ, ହେଲେ ତାକୁ ସାମ୍ନା କରିବା ପାଇଁ କାହା ମଧ୍ୟରେ ଯେମିତି ସାହସ ନଥିଲା । ଆଖିରୁ ଲୁହ ବୋହିଯାଉଥିଲା , କିନ୍ତୁ ଗର୍ବରେ ଛାତି ଫୁଲି ଉଠୁଥିଲା । ସମସ୍ତଙ୍କ ମୁହଁରେ ଥିଲା, ଦେଶ ପାଇଁ ଜୀବନ ଦେଇ ଜନ୍ମମାଟିକୁ ଗର୍ବିତ କରିଛି ଅଜିତ , ଦୁଃଖ କରିବୁ କାହିଁକି ।

ଢେଙ୍କାନାଳରେ ଗାର୍ଡ ଅଫ୍ ଅନର ଦିଆଯିବା ପରେ ମରଶରୀର ବାହାରିଥିଲା ଜନ୍ମମାଟି କାମାକ୍ଷାନଗରର ବଡସୁଆଳ ଗାଁ ଅଭିମୁଖେ । ପାର୍ଥିବ ଶରୀର ସହ ଶୋଭାଯାତ୍ରାରେ ଯେପରି ବାହାରିଥିଲା ଜନସମୁଦ୍ର । ଜାତୀୟ ପତାକାରେ ଆଛାଦିତ ସହିଦ ଅଜିତଙ୍କ ଶେଷ ଦର୍ଶନ ପାଇଁ ଲୋକାରଣ୍ୟ ହୋଇପଡିଥିଲା ରାଜରାସ୍ତା । ସହିଦ୍ ଅଜିତ ଅମର ରହେ ନାରାରେ କମ୍ପି ଉଠୁଥିଲା ଚତୁର୍ଦ୍ଦିଗ ।

ହଜାର ହଜାର ଲୋକ, ସମ୍ପର୍କୀୟ ଓ ସହକର୍ମୀଙ୍କ ମଧ୍ୟରେ ସହିଦ ଅଜିତଙ୍କ ମରଶରୀର ଯେତେବେଳେ ଗାଁରେ ପହଁଚିଥିଲା, ସ୍ତବ୍ଧ ହୋଇପଡିଥିଲା ବଡସୁଆଳ ଗାଁ । ପୈତୃକ ଗାଁର ଶ୍ମଶାନରେ ଆରମ୍ଭ ହୋଇଥିଲା ଅନ୍ତିମ ସଂସ୍କାର ପ୍ରକ୍ରିୟା । ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମସ୍ତେ ବିଦାୟ ଦେଇଥିଲେ ବୀର ଯବାନଙ୍କୁ ।  ସମସ୍ତେ କାନ୍ଦୁଥିଲେ, ସମସ୍ତେ ଅଜିତଙ୍କୁ ମନେ ପକାଉଥିଲେ । ଆଉ ତାସହ ସମସ୍ତେ ଗର୍ବ ବି କରୁଥିଲେ । ଗାଁର ପୁଅ ଆଜି ଗାଁକୁ ଗର୍ବିତ କରିଛି ଆଉ ନିଜେ ଅମର ହୋଇଯାଇଛି ।