କନକ ବ୍ୟୁରୋ: ଓଡ଼ିଶାର ଅଗଣିତ ଦର୍ଶକଙ୍କୁ ମନଛୁଆଁ ଏବଂ ବହୁ ଉଚ୍ଚମାନର ଚଳଚ୍ଚିତ୍ର ଉପହାର ଦେଇଥିବା ବିଶିଷ୍ଟ ପ୍ରଯୋଜକ-ନିର୍ଦ୍ଦେଶକ ଅମୀୟ ପଟ୍ଟନାକଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ଶନିବାର ଅପରାହ୍ନରେ ପୁରୀ ସ୍ୱର୍ଗଦ୍ୱାର ଠାରେ ଅମୀୟ ପଟ୍ଟନାୟକଙ୍କ ଶେଷ କୃତ୍ୟ ସଂପନ୍ନ ହୋଇଛି । ପଞ୍ଚଭୂତରେ ଲୀନ ହୋଇଛି ତାଙ୍କର ପାର୍ଥିବ ଶରୀର ।
Kanak News is now on WhatsApp
Join and get latest news updates delivered to you via WhatsApp
ଆଜି ଭୁବନେଶ୍ୱରରୁ ଏକ ସୁସଜ୍ଜିତ ଯାନରେ ଅମୀୟ ପଟ୍ଟନାୟକଙ୍କ ମରଶରୀର ସ୍ୱର୍ଗଦ୍ୱାର ଠାରେ ପହଞ୍ଚିବା ପରେ ଦାହ ସଂସ୍କାର ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସ୍ୱର୍ଗତଃ ପଟ୍ଟନାୟକଙ୍କ ପୁଅ ତଥା ଚଳଚ୍ଚିତ୍ର ପ୍ରଯୋଜକ ଅନୁପମ ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ । ଶେଷକୃତ୍ୟ ସମୟରେ ପଟ୍ଟନାୟକ ପରିବାରର ସଦସ୍ୟ ଓ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ। ଏଥିସହ ପୁରୀ ସହରର ବହୁ ବିଶିଷ୍ଟ ବ୍ୟକ୍ତି, ଚଳଚ୍ଚିତ୍ର ଶିଳ୍ପର ସଦସ୍ୟ ଏବଂ କଳାକାର ମଧ୍ୟ ଉପସ୍ଥିତ ଥିଲେ। ସ୍ୱର୍ଗତ ଅମୀୟ ପଟ୍ଟନାୟକଙ୍କ ବଡ଼ ଭାଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ‘ସମ୍ବାଦ’ର ସଂପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ସ୍ୱର୍ଗଦ୍ୱାରରେ ଉପସ୍ଥିତ ଥିଲେ ।
ଆଜି ତାଙ୍କ ମରଶରୀରକୁ ସମ୍ବାଦ ଭବନକୁ ଅଣାଯାଇଥିଲା । ସମ୍ବାଦ ଭବନରେ ତାଙ୍କୁ ବହୁ ସମ୍ବାଦିକ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଗତକାଲି ଦିଲ୍ଲୀର ଏକ ଘରୋଇ ମେଡିକାଲରେ ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କର ମରଶରୀରକୁ ବିମାନ ଯୋଗେ ଦିଲ୍ଲୀରୁ ଭୁବନେଶ୍ୱର ଅଣିବା ପରେ ନୟାପଲ୍ଲୀ ସ୍ଥିତ ବାସଭବନରେ ରଖାଯାଇଥିଲା । ସେଠାରେ ବହୁ ନେତା, ଅଭିନେତା ତାଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଅମୀୟ ପଟ୍ଟନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି ।
ଅମୀୟ ପଟ୍ଟନାୟକଙ୍କ ବିୟୋଗ ଓଡିଆ ଫିଲ୍ମ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ୧୯୮୫ ମସିହାରେ ପ୍ରଥମେ ଫିଲ୍ମ ‘ମମତା ମାଗେ ମୂଲ’ର ପ୍ରଯୋଜନା କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ ଅମୀୟ । ଏହାପରେ ହାକିମ ବାବୁ, ଚକା ଆଖି ସବୁ ଦେଖୁଛି, ପୁଅ ମୋର କଳାଠାକୁର, ରାଜା ରାଣୀ, ଆସୁଛି ମୋ କାଳିଆ ସୁନା, ଚକାଡୋଳା କରୁଛି ଲୀଳା, ପରଦେଶୀ ବାବୁ, ପରୀ ମହଲ, କିଏ ସେ ଡାକୁଛି କୋଉଠି ମତେ ଆଦି ହିଟ୍ ଫିଲ୍ମ ଭେଟିଦେଇଥିଲେ ଅମୀୟ ପଟ୍ଟନାୟକ । ଓଡିଆ ଫିଲ୍ମ ଜଗତରେ ଅନେକ ନୂଆ କଳାକାରଙ୍କୁ ସୃଷ୍ଟି କରିବାରେ ଅମୀୟ ପଟ୍ଟନାୟକଙ୍କର ରହିଛି ବିଶେଷ ଅବଦାନ । ତାଙ୍କ ବିୟୋଗରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି ।