ବର୍ଷ ଶେଷରେ ଓଡ଼ିଶା ଦେଖିବ ହାଇଭୋଲଟେଜ୍ ରାଜନୀତି ଡ୍ରାମା ! ମୋଦି-ରାହୁଲଙ୍କ ମାଷ୍ଟର ଷ୍ଟ୍ରୋକକୁ ଝଟକା ଦେବେ କି ନବୀନ ?

ବର୍ଷ ଶେଷରେ ଓଡ଼ିଶା ଆସିବେ ବିଜେପି ଓ କଂଗ୍ରେସ ଭାଗ୍ୟବିଧାତା ମୋଦି-ରାହୁଲ । ସେପଟେ ବିଜେଡ଼ିର ପ୍ରତିଷ୍ଠା ଦିବସରେ ଉଭୟଙ୍କୁ ଚିତ୍ ପଟାଙ୍ଗ କରିବା ପାଇଁ ରଣନୀତି ପ୍ରସ୍ତୁତ କରିଛି ବିଜେଡ଼ି ବୋଲି ରାଜନୀତି ଅନ୍ଦରମହଲରେ ହଟ ଟପିକ୍ ପାଲଟିଛି । 

460

କନକ ବ୍ୟୁରୋ: ଡିସେମ୍ବର ଶେଷରେ ରାଜ୍ୟ ରାଜନୀତିରେ ହେବ ବଡ଼ ଧମାକା । କାରଣ ୨୦୧୯ ନିର୍ବାଚନକୁ ଆଉ କେଇମାସ ବାକିଥିବାବେଳେ ଶେଷ ବାଜି ଖେଳିବାକୁ ଦିଲ୍ଲୀରୁ ଭୁବନେଶ୍ୱର ଧାଇଁ ଆସିବେ ବିଜେପି ଓ କଂଗ୍ରେର ଭାଗ୍ୟବିଧାତା ମୋଦି ଓ ରାହୁଲ । ଡିସେମ୍ବର ଶେଷ ସପ୍ତାହରେ ରାଜ୍ୟବାସୀ ଦେଖିବେ ନିର୍ବାଚନୀ ପୂର୍ବରୁ ବଡ଼ ପ୍ରଚାର । ଆରୋପ ପ୍ରତ୍ୟାରୋପର ହାଇ ଭୋଲଟେଜ୍ ଡ଼୍ରାମା ରାଜ୍ୟ ରାଜନୀତିକୁ ଥରହର କରିବ ବୋଲି ଏବେଠାରୁ ଗାଁ ଗହଳିର ଗସିପ୍ ଟପିକ୍ ପାଲଟିଛି ।

ଡ଼ିସେମ୍ବର ଶେଷ ସପ୍ତାହରେ ରାଜ୍ୟ ବିଜେପିକୁ ଶେଷ ଗୋଟିଚାଳନା ପାଠ ପଢ଼ାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ମିଶନ୍ ୧୨୦ ସଫଳ ପାଇଁ ରାଜ୍ୟ ବିଜେପି ଯେଉଁ କସରତ କରୁଛି ସେଥିରେ ଶେଷ ସ୍ପର୍ଷ ଦେବେ ମୋଦି ବୋଲି ଚର୍ଚ୍ଚା ଜୋର ଧରିଛି । କାରଣ ଦୀର୍ଘ ୧୮ ବର୍ଷ ଧରି ଓଡ଼ିଶାରେ କେବଳ ବିଜେଡ଼ି କ୍ଷମତା ଡ଼ୋରୀ ସମ୍ଭାଳି ଥିବାବେଳେ ବିଜେପି ଏଥିରେ ପରିବର୍ତ୍ତନ ଆଣିବାକୁ  ଆପ୍ରାଣେ ଉଦ୍ୟମ ଚଳାଇଛନ୍ତି । ତେବେ ୨୦୧୪ କେନ୍ଦ୍ରରେ କ୍ଷମତାକୁ ଆସିଥିବା ବିଜେପି ସରକାର ଅନେକ ରାଜ୍ୟରେ କାୟା ବିସ୍ତାର କରିଥିଲେ ମଧ୍ୟ ଓଡ଼ିଶାରେ ତାହା ସମ୍ଭବ ହୋଇପାରି ନାହିଁ । ତେଣୁ ଆଗାମୀ ନିର୍ବାଚନରେ ବିଜେଡ଼ିକୁ ମାତ୍ ଦେଇ ରାଜ୍ୟରେ ବିଜେପି କେମିତି ସରକାର ଗଢ଼ିବ ସେନେଇ ଲୋକଙ୍କ ମନ ଜିଣିବାକୁ ଆସିବେ ମୋଦି ।

bjd-bjp-congressଅନ୍ୟପଟେ ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ରାଜ୍ୟରେ ସ୍ଥିତି ଖୋଜୁଥିବା କଂଗ୍ରେସ ଦଳ ମଧ୍ୟ ଆଗାମୀ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଛି । ଏହାରି ମଧ୍ୟରେ କଂଗ୍ରେସରେ ହୋଇଛି ଅନେକ ପରିବର୍ତ୍ତନ ଏବଂ କଂଗ୍ରେସର ହାତ ଛାଡ଼ିଛନ୍ତି ଅନେକ ନେତା । ତେଣୁ ଘର ସଜାଡ଼ି ରାଜ୍ୟରେ କଂଗ୍ରେସକୁ ପୁଣି ଛିଡ଼ା କରିବାକୁ ଆସୁଛନ୍ତି କଂଗ୍ରେସ ଯୁବରାଜ ତଥା ଜାତୀୟ କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ୨୦୧୯ ନିର୍ବାଚନ ପୂର୍ବରୁ ସେମିଫାଇନାଲ୍ କୁହାଯାଉଥିବା ଡିସେମ୍ବରରେ ଦେଖିବାକୁ ମିଳିବ ବଡ଼ ଧାମାକା । କାରଣ ସେପଟେ ଡିସେମ୍ବର ୧୧ ତାରିଖରେ ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ଆସିବାକୁ ଥିବାବେଳେ ଓଡ଼ିଶାରେ ଏହାର କି ପ୍ରଭାବ ପଡ଼ିବ ତାକୁ ନେଇ ଏବେଠୁ ବଳ କଷାକଶି ହେଉଛନ୍ତି ଉଭୟ ଶାସକ ଓ ବିରୋଧୀ ।

ତେବେ ଉଭୟ ବିଜେପି ଓ କଂଗ୍ରେସର ଭାଗ୍ୟବିଧାତାଙ୍କ ଆଗମନକୁ ଝଟକା ଦେବ ୧୮ ବର୍ଷ ଧରି ଓଡ଼ିଶାର ଡ଼ୋରୀ ସମ୍ଭାଳିଥିବା ଶାସକ ବିଜେଡ଼ି ବୋଲି ଶୁଣିବାକୁ ମିଳୁଛି । କାରଣ ଆସନ୍ତା ୨୬ ତାରିଖରେ ବିଜେଡ଼ି ତାହାର ୨୧ତମ ପ୍ରତିଷ୍ଠା ଦିବସ ପାଳନ କରିବ । ଆଉ ଏହି ପ୍ରତିଷ୍ଠା ଦିବସରେ ବିଜେଡ଼ିରେ ସାମିଲ ହୋଇପାରନ୍ତି ନିକଟରେ ପଦ୍ମକୁ ବାଏ ବାଏ କହିଥିବା ଦୁଇ ହେଭିୱେଟ୍ ନେତା ବିଜୟ ଓ ଦିଲୀପ । ଏହାସହ ଝାରସୁଗୁଡ଼ା କଂଗ୍ରେସ ବିଧାୟକ ନବ ଦାସ ମଧ୍ୟ ଏହି ଅବସରରେ ଶଙ୍ଖ ଧରିବେ ବୋଲି ଚର୍ଚ୍ଚା ହେଉଛି । ତେବେ ବିଜେଡ଼ିକୁ ମାତ୍ ଦେବା ପାଇଁ ଉଭୟ ବିରୋଧୀ ରଣନୀତି ପ୍ରସ୍ତୁତ କରୁଥିବାବେଳେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଖେଳିବେ ବଡ଼ ବାଜି ବୋଲି ରାଜନୀତି ଅନ୍ଦର ମହଲରେ ଶୁଣିବାକୁ ମିଳୁଛି ।