ବନ୍ଧା ହେଲେ ବୋହୂ ୪୨୦ ! ଘର ଓ ଜମି ହଡପ ପାଇଁ ଯୋଗାଡ କରିଥିଲା ବଂଚିଥିବା ଶାଶୁଙ୍କ ଡେଥ୍ ସାର୍ଟିଫିକେଟ

37

କନକ ବ୍ୟୁରୋ : ସ୍ମାର୍ଟ ସିଟିର ସ୍ମାର୍ଟ ବୋହୂ ! ଏହି ବୋହୂଙ୍କ କାରନାମା ଶୁଣିଲେ ଆପଣଙ୍କ ପାଦତଳୁ ମାଟି ଖସିଯିବ । ବୋହୂ ଅର୍ଚ୍ଚନା ମିଶ୍ର । ରାଜଧାନୀରେ ଥିବା ଶାଶୁଙ୍କ ସଂପତ୍ତି ହଡପ ପାଇଁ ନିଜ ବଂଚିଥିବା ଶାଶୁଙ୍କୁ ମାରି ଦେଇଛନ୍ତି । ୧୦ ଡିସେମ୍ବର ୨୦୧୬ ମସିହାରୁ ନିଜ ଶାଶୁ ସୁଲଚନା ମିଶ୍ରଙ୍କୁ ମୃତ ଘୋଷଣା କରି ସରକାରୀ ଖାତାରେ ମାରି ଦେଇଛନ୍ତି । ୭ ମାର୍ଚ୍ଚ ୨୦୧୭ରୁ ଏହି ସାର୍ଟିଫିକେଟ ହାସଲ କରିବା ପରେ, ଜମି ହଡପ ପକ୍ରିୟା ଆରମ୍ଭ କରିଥିଲେ ଏହି ୪୨୦ ବୋହୂ । ହେଲେ ଠିକ ସମୟରେ ଥାନାରେ ହାଜର ହୋଇଯାଇଥିଲେ ସରକାରୀ ଖାତାରେ ମରି ଯାଇଥିବା ଶାଶୁ ।

ଖାଲି ସେତିକି ନୁହେଁ ୧୨ ଅଗଷ୍ଟ ୨୦୧୬ରେ ନିଜ ଜୀବନ୍ତ ଶ୍ୱଶୁରଙ୍କୁ ବି ମାରି ଦେଇଥିଲେ ଏହି ବୋହୂ । ଯାହାର ନକଲ ଆପଣଙ୍କ ସାମନାରେ । ବଂଚିଥିବା ଶ୍ୱଶୁର ବିଦ୍ୟାଧର ମିଶ୍ରଙ୍କୁ ବି ଏହି ବୋହୁ ସରକାରୀ ଖାତାରେ ମାରି ଦେଇଥିଲେ । କିନ୍ତୁ ତାଙ୍କୁ ଶ୍ୱଶୁର ଏହାର ୪ ଦିନ ପରେ, ଦେହତ୍ୟାଗ କରିଥିଲେ । ଜମି ପାଇଁ ଡେଥ୍ ସାର୍ଟିଫିକେଟ ଦାଖଲ କରିବା ପରେ, ଥାନାରେ ଏହି ୪୨୦ ବୋହୁଙ୍କ ନାମରେ ଏତଲା ଦେଇଥିଲେ ତାଙ୍କ ଦେଢଶୁର ଦୀନବନ୍ଧୁ ମିଶ୍ର । ଆଉ ତାପରେ ପୁଲିସ ହାତରେ ଲାଗିଥିଲା ଏହି ଚାଲବାଜ ମହିଳା ।

ଦଫା ୪୨୦,୪୬୭, ୪୬୮, ୪୭୧ରେ ବୋହୂକୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରିଛି । ହେଲେ ପ୍ରଶ୍ନ ଉଠୁଛି – ବି.ଏମ.ସିର ହେଲଥ୍ ଡିପାର୍ଟମେଂଟ କେମିତି ଏହି ଡେଥ୍ ସାର୍ଟିଫିକେଟ ଇସ୍ୟୁ କଲା । ସରକାରୀ ଖାତାରେ କେମିତି ଜୀବନ୍ତ ଲୋକଙ୍କୁ ମାରି ଦିଆଗଲା ?