ସୁନା ଝିଅ ହାତରେ ସବୁଜ ଫସଲ ! ପାଠପଢା ବଦଳରେ ଚାଷ କାମ କରି ମହିଳାଙ୍କ ପାଇଁ ଆଦର୍ଶ ପାଲଟିଲେ ରୋଜିନା

41

କନକ ବ୍ୟୁରୋ: ସୁନା ଝିଅ ହାତରେ ସବୁଜ ଫସଲ । ଡହ ଡହ ଖରାରେ ଜମିରେ ଫସଲ କରୁଛନ୍ତି କଟକ ନିଆଳିର ମହିଳା ଚାଷୀ ରୋଜିନା ନାୟକ । ପାରିବାରିକ ବୋଝ ଯୋଗୁଁ ଜମିରେ ନିଜ ହାତରେ ଫସଲ କରି ନିଜ ଅଂଚଳ ଓ ମହିଳା ସମାଜ ପାଇଁ ଆଦର୍ଶ ପାଲଟିଛନ୍ତି ରୋଜିନା ।

ରୋଜିନା ନାୟକ । କଟକ ନିଆଳି ସରାକୁଳର ଏହି ଝିଅଟି ଅନ୍ୟ ମାନଙ୍କ ପାଇଁ ଏବେ ପାଲଟିଛନ୍ତି ଆଦର୍ଶ । ଯେଉଁ ବୟସରେ ଖାତା କଲମ ଧରି ପାଠ ପଢିବା କଥା ସେହି ବୟସରେ ହାତରେ ଧରିଛନ୍ତି ହଳ ଲଙ୍ଗଳ । ବାପା ମାଆ ଆରପାରିକୁ ଗଲା ପରେ ଘରର ପୁଅ ପରି ସେ ବି ଚାଷ କରିବାକୁ ଆଗେଇ ଆସିଥିଲେ । ଦିନ ରାତି ପରିଶ୍ରମ କରି ସେ ଜମିରେ ଭଲ ଫସଲ କରିଥିଲେ । ଆଉ ସେଥିରୁ ଯାହା ରୋଜଗାର ହୋଇଥିଲା ରୋଜିନା ନିଜର ଦୁଇ ବଡ ଭଉଣୀଙ୍କୁ ମଧ୍ୟ ବିବାହ କରିଥିଲେ । ଏବେ ୨୧ ବର୍ଷ ବୟସରେ ଜଣେ ସଫଳ ଚାଷୀ ଭାବେ ସେ ନିଜକୁ ପରିଚିତ କରାଇପାରିଛନ୍ତି ।

ଦୁଇ ଭଉଣୀ ବାହା ହେବା ପରେ ରୋଜିନା ଏବେ ଏକାକୀ ହେଇଯାଇଛନ୍ତି ସତ । କିନ୍ତୁ ତଥାପି ଜୀବନରେ ସେ ହାର ମାନିନାହାନ୍ତି । ଏବେ ରୋଜିନା ଜମିରେ ନିଜ ହାତରେ ଭଲ ଫସଲ କରି ବିଭିନ୍ନ ହାଟରେ ବିକ୍ରି କରି ଚଳୁଛନ୍ତି । ରୋଜିନାଙ୍କର ଏଭଳି ଉଦ୍ୟମକୁ ସର୍ବ ଗ୍ରହଣରେ ପ୍ରଶଂସା କରାଯାଉଛି ।