ଆହାର କେନ୍ଦ୍ରରେ ଖାଦ୍ୟ ଲୁଟ । ବିଜେପିର ଛାନଭିନ ପରେ ସାମନାକୁ ଆସିଲା ଘୋଟାଲା । ସନ୍ଦେହ ଘେରରେ ବ୍ରହ୍ମପୁର ମହାନଗର ନିଗମ

39

କନକ ବ୍ୟୁରୋ : ବ୍ରହ୍ମପୁର ମହାନଗର ନିଗମରେ ଥିବା ୬ଟି ଆହାର କେନ୍ଦ୍ରରେ ଖାଦ୍ୟ ନାଁରେ ଚାଲିଛି ଲୁଟ । ବିଜେପି ଯୁବ ମୋର୍ଚ୍ଚାର ତଦାରଖ ପରେ ଏଭଳି ଅଭିଯୋଗ ଏବେ ସାମନାକୁ ଆସିଛି । ପ୍ରତିଦିନ ଯେତିକି ଲୋକ ଖାଉଛନ୍ତି ତାଠୁ ଦୁଇ ଗୁଣା ଅଧିକ ଲୋକ ଖାଦ୍ୟ ଖାଉଥିବା ଆରଟିଆଇ ତଥ୍ୟରେ ଉଲ୍ଲେଖ ରହିଛି । ବିଜେପିର ଛାନଭିନ ପରେ ଏଭଳି ଘଟଣା ଏବେ ସାମନାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ଆରଟିଆଇର ତଥ୍ୟ ଅନୁଯାୟୀ ବ୍ରହ୍ମପୁର ସହରରେ ପ୍ରତିଦିନ ଆହାର କେନ୍ଦ୍ରରେ ୫୪୦୦ ଲୋକ ପ୍ରତିଦିନ ଖାଦ୍ୟ ଖାଉଛନ୍ତି । କିନ୍ତୁ ବିଜେିପିର ଅନୁସନ୍ଧାନ ପରେ ୨୯୧୪ ଲୋକ ପ୍ରତିଦିନ ଖାଦ୍ୟ ଖାଉଥିବା ଜଣାପଡିଛି । ଭୂଲ ତଥ୍ୟ ଦେଇ ପ୍ରତିଦିନ ଲକ୍ଷାଧିକ ଟଙ୍କା ହରିଲୁଟ ହେଉଥିବା ଅଭିଯୋଗ କରିଛି ବିଜେପି । ପୁଣି ସରକାରଙ୍କ ନିୟମ ରହିଛି ଜଣେ ବ୍ୟକ୍ତିି କେବଳ ଗୋଟିଏ ଟୋକନ ନେଇ ପାରିବ । କ଼ିନ୍ତୁ ଜଣଙ୍କୁ ୨ ରୁ ୩ଟି ଟୋକନ ନେବାକୁ ପଡ଼ୁଛି । କାରଣ ସରକାରଙ୍କ ନିୟମ ଅନୁଯାୟୀ ଖାଉଟିଙ୍କୁ ସେହି ପରିମାଣରେ ଖାଦ୍ୟ ଦିଆଯାଉ ନାହିଁ । ଯାହା ଫଳରେ ଲୋକେ ଅଧିକ ଟୋକନ ନେବାକୁ ବାଧ୍ୟ ହେଉଛନ୍ତି ।

ବ୍ରହ୍ମପୁର ସହରରେ ଥିବା ଆହାର କେନ୍ଦ୍ରରେ ପ୍ରତିଦିନ ଏଭଳି ଲୁଟ ଚାଲିଛି । ଲୋକେ ପୂର୍ବରୁ ୨ଟି ଟୋକନ କିଣିଲେ ପେଟପୁରା ଖାଦ୍ୟ ମିଳୁଥିବା କହିଥିବା ବେଳେ ତଦାରଖ ପରେ ଗୋଟିଏ ଟୋକନରେ ଭରପୁର ଖାଦ୍ୟ ମିଳୁଥିବା କହିଛନ୍ତି ।ବ୍ରହ୍ମପୁର ସହରରେ ଆହାର କେନ୍ଦ୍ରରେ ପ୍ରତିଦିନ ଏହିଭଳି ହରିଲୁଟ ହେଉଛି କିନ୍ତୁ ମହା ନଗର ନିଗମର କର୍ତ୍ତୃପକ୍ଷ କିଭଳି ତଦାରଖ କରୁଛନ୍ତି ଏହା ଏବେ ସନ୍ଦେହ ଘେରରେ ।