ବିଧାୟକଙ୍କ ଭିତରେ ବିବାଦ : ତଦନ୍ତ ପାଇଁ କଂଗ୍ରେସ ଗଠନ କଲା କମିଟି

30

କନକ ବ୍ୟୁରୋ : କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଓ ଜୟପୁର ବିଧାୟକ ତାରା ବାହିନୀପତିଙ୍କ ମଧ୍ୟରେ ଚାଲିଥିବା ବିବାଦର ତଦନ୍ତ କରିବ ତିନି ଜଣିଆ କମିଟି । କମିଟିର ରିପୋର୍ଟ ପରେ ଏ ନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ତାରାଙ୍କ ବ୍ୟବହାର ଅସହ୍ୟ ହେଉଛି ବୋଲି ଅଭିଯୋଗ କରି ଏଆଇସିସି ନିକଟକୁ ଚିଠି ଲେଖିଥିଲେ ଶଗରିଆ । ତାଙ୍କ ଅଭିଯୋଗ ଉପରେ ପଦକ୍ଷେପ ନନେଲେ ବିଧାୟକ ପଦରୁ ସେ ଇସ୍ତଫା ଦେବେ ବୋଲି ପୁଣି ଥରେ ଧମକ ଦେଇଛନ୍ତି କୋରାପୁଟ ବିଧାୟକ ।

ଥମୁନାହିଁ କୋରାପୁଟର ଦୁଇ କଂଗ୍ରେସ ନେତା ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଓ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ମଧ୍ୟରେ ଚାଲିଥିବା ବିବାଦ । ଏହି ବିବାଦ ଏବେ ପହଁଚିଛି ଏଆଇସିସି ଇନଚାର୍ଯ ନିକଟରେ । ତାରାଙ୍କ ନାଁରେ ଶଗରିଆ ଯେଉଁ ଅଭିଯୋଗ ଆଣିଛନ୍ତି, ତା’ର ଅନୁସନ୍ଧାନ ପାଇଁ ଗଠନ କରଯାଇଛି ତିନି ଜଣିଆ କମିଟି ।

ସେପଟେ ପୁଣି ଥରେ ବିଧାୟକ ପଦରୁ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି କୋରାପୁଟ ବିଧାୟକ । ତାରାଙ୍କ ଆଚରଣ ତାଙ୍କ ଆତ୍ମସମ୍ମାନକୁ ବାଧିଛି, ତାଙ୍କ ମାନସିକ ଚାପ ବଢାଇଛି ବୋଲି ସେ ଅଭିଯୋଗ କରିଛନ୍ତି । କଂଗ୍ରେସ କର୍ତ୍ତୃପକ୍ଷ ଏ ନେଇ ପଦକ୍ଷେପ ନନେଲେ ବିଧାୟକ ପଦ ଛାଡିଦେବେ ବୋଲି କହିଛନ୍ତି କୃଷ୍ଣଚନ୍ଦ୍ର ଶଗରିଆ । ସେପଟେ ଶଗରିଆ ଅଭିଯୋଗର ଉତ୍ତର ରଖିଛନ୍ତି ତାରା ।

ହିନ୍ଦୁ ଧର୍ମ ଛାଡ଼ି ବୈଦ୍ଧ ଧର୍ମ ଗ୍ରହଣ କରିବା ପରେ କୋରାପୁଟ କଂଗ୍ରେସର ଏହି ଦୁଇ ତୁଙ୍ଗ ନେତାଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଶଗରିଆ ଅଭିଯୋଗ କରିଥିଲେ, ଧର୍ମ ପରିବର୍ତ୍ତନକୁ ନେଇ ଯେଉଁମାନେ ତାଙ୍କ ବିରୋଧରେ ଏତଲା ଦେଇଥିଲେ, ସେମାନଙ୍କ ସହ ତାରା ବାହିନୀପତିଙ୍କ ସଂପର୍କ ରହିଛି । ଏହା ପରେ ଦୁଇ ନେତାଙ୍କ ଭିତରେ କଥା କଟାକଟି ଆରମ୍ଭ ହୋଇଥିଲା ।