ଭାରତୀୟ ଦଳକୁ ଶକ୍ତ ଝଟକା । ସସପେଣ୍ଡ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ କେ.ଏଲ ରାହୁଲ । କେବଳ ମ୍ୟାଚ୍ ନୁହେଁ ବରଂ ଯାଞ୍ଚ ପର୍ଯ୍ୟନ୍ତ କ୍ରିକେଟ ଖେଳିପାରିବେ ନାହିଁ ଏହି ଦୁଇ ଖେଳାଳି । ଯେଉଁଥିପାଇଁ ଆସନ୍ତାକାଲି ଠାରୁ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିନିକଆ ସିରିଜରୁ ବାଦ୍ ପଡିବେ । ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁଇଙ୍କ ବିରୋଧରେ ଯାଞ୍ଚ ଆରମ୍ଭ ହେବ । ତେବେ କିଏ ଏହାର ତଦନ୍ତ କରିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଏସବୁ ବାଦ୍ ସେମାନଙ୍କୁ ଅଷ୍ଟ୍ରେଲିଆରୁ ଭାରତକୁ ଅଣାଯିବ କି ନାହିଁ ସେ ବାବଦରେ ମଧ୍ୟ ତର୍ଜମା ଚାଲିଛି । ଯଦି ଏହି ଦୁହେଁ ସ୍ୱଦେଶ ଫେରି ଆସନ୍ତି ତେବେ ଏମାନଙ୍କ ସ୍ଥାନରେ କାହାକୁ ଅଷ୍ଟ୍ରେଲିଆ ପଠାଯିବ ତାହା ଉପରେ ସମସ୍ତଙ୍କର ଦୃଷ୍ଟି ରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏକ ଘରୋଇ ଚ୍ୟାନେଲର ଟିଭି ସୋ, ‘କଫି ୱିଥ୍ କରନ’ରେ ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଯୁବ କ୍ରିକେଟ୍ ତାରକା ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ୍ ରାହୁଲଙ୍କ ପାଇଁ ମହଙ୍ଗା ପଡିଛି । ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିଲେ ପାଣ୍ଡ୍ୟା ଓ ରାହୁଲ । ଯେଉଁଥିପାଇଁ ଏହି ଦୁଇ ତାରକା ଖେଳାଳୀଙ୍କୁ ବିସିସିଆଇ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଥିଲା । ୨୪ ଘଣ୍ଟା ମଧ୍ୟରେ ଉତ୍ତର ରଖିବାକୁ ଏହି ଦୁଇ ଖେଳାଳୀଙ୍କୁ ବିସିସିଆଇ ନିର୍ଦ୍ଦେଶ ଦେଇଥିଲା ।
ଆସନ୍ତୁ ଜାଣିବା କ’ଣ କହିଥିଲେ ପାଣ୍ଡ୍ୟା?
କରନ ଜୋହରଙ୍କ ସହ ଏହି ଟକ୍ ସୋ’ରେ ସାମିଲ ହୋଇଥିବା ପାଣ୍ଡ୍ୟାଙ୍କ ଠାରୁ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କିଛି ପ୍ରଶ୍ନ କରିଥିଲେ କରନ୍ । ଏହି ସମୟରେ ନିଜ ରିଲେସନସିପ୍, ଡେଟିଂ ଓ ମହିଳାଙ୍କ ବିଷୟରେ ଟିପ୍ପଣୀ କରି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଥିଲେ ସେ । କ୍ଲବକୁ ଗଲେ ମହିଳାଙ୍କ ନାଁ ପଚାରନ୍ତି ନାହିଁ ଏବଂ ଗୋଟିଏ ମ୍ୟାସେଜକୁ ସେ ସବୁ ମହିଳାଙ୍କ ନିକଟକୁ ପଠାନ୍ତି ବୋଲି କହିଥିଲେ ହାର୍ଦ୍ଦିକ । ଏପରିକି ଯେତେବେଳେ ଜଣେ ମହିଳାଙ୍କ ସହ ସେ ଶାରିରୀକ ସମ୍ପର୍କ ରଖିଥିଲେ ସେତେବେଳେ ସେ ଆସି ନିଜ ପରିବାର ସଦସ୍ୟଙ୍କୁ ମଧ୍ୟ ଏକଥା ଜଣାଇଥିଲେ ବୋଲି କହିଥିଲେ ପାଣ୍ଡ୍ୟା । ପରେ ନିଜର ଏହି ଟିପ୍ପଣୀ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ ଅଲରାଉଣ୍ଡର ପାଣ୍ଡ୍ୟା ।