ବୈତରଣୀ ନଦୀରେ ଭାସୁଛି ୩୦ ଫୁଟର ମଲା ତିମି ! ମୃତ୍ୟୁର କାରଣ ଅସ୍ପଷ୍ଟ, ଏତେବଡ ତିମି ଦେଖି ତାଜୁବ ହେଲେ ସ୍ଥାନୀୟ ବାସିନ୍ଦା

238

କନକ ବ୍ୟୁରୋ : ବୈତରଣୀରେ ଭାସୁଛି ମଲା ତିମି । ଭିତରକନିକା ଜାତୀୟ ଉଦ୍ୟାନ ନିକଟସ୍ଥ ଅହିରାଜପୁର ଗାଁ ପାଖ ବୈତରଣୀ ନଦୀରୁ ତିମିର ମୃତଦେହ ଉଦ୍ଧାର କରାଯାଇଛି । ମୃତ ତିମିଟି ୩୦ ଫୁଟ ଲମ୍ବର ବୋଲି ଅନୁମାନ କରାଯାଉଛି । ତେବେ ଏତେବଡ ତିମିର ମୃତଦେହ ଦେଖି ସ୍ଥାନୀୟ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ତେବେ କେଉଁ କାରଣରୁ ତିମିର ମୃତ୍ୟୁ ହୋଇଛି ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଜୁଆରରେ ସମୁଦ୍ରରୁ ନଦୀକୁ ତିମି ଚାଲିଆସିଥିବା ସନ୍ଦେହ କରାଯାଉଛି । ନଦୀରେ ଏତେବଡ ତିମି ଭାସୁଥିବା ଖବର ପ୍ରଚାର ହେବା ପରେ ଏହି ତିମିକୁ ଦେଖିବା ପାଇଁ ବୈତରଣୀ କୂଳରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଭିଡ ଜମିଛି । ଏପରିକି ମୃତ ତିମି ଉପରେ ସ୍ଥାନୀୟ ଲୋକ ଛିଡା ହୋଇଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ତେବେ ଖବର ପାଇ ବନବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତିମିକୁ ଉଦ୍ଧାର କରିବା ସହ କେଉଁ କାରଣରୁ ଏହାର ମୃତ୍ୟୁ ହୋଇଛି ତାହାର ଯାଞ୍ଚ ଆରମ୍ଭ କରିଛନ୍ତି ।