କେନ୍ଦୁଝର : ୫ ଟଙ୍କିଆ କଏନ୍ ଗିଳି ୫ ବର୍ଷୀୟ ଶିଶୁ ଗୁରୁତର

18

କନକ ବ୍ୟୁରୋ : ଛୋଟ ଛୋଟ ପିଲାଙ୍କୁ ଟଙ୍କା ଦେବାବେଳେ ବାପାମା’ ତଥା ପରିବାର ଲୋକ ସାବଧାନ ରହିବା ଉଚିତ୍ । କାରଣ ସାମାନ୍ୟ ଟିକିଏ ଅସୁବିଧା ପାଇଁ ଜୀବନ ଚାଲିଯିବା ପରି ଅସୁବିଧା ସୃଷ୍ଟି ହୋଇପାରେ । ନିକଟରେ ଏପରି ଏକ ଅଘଟଣ ଘଟିଛି । ଏକ ପାଞ୍ଚଟଙ୍କିଆ କଏନ୍ ଗିଳି ଜଣେ ଶିଶୁ ଗୁରୁତର ହୋଇଛି । ତାକୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଂକଟାପନ୍ନ ହେବାରୁ କଟକ ସ୍ଥାନାନ୍ତର କରାଯାଇଛି । ଝୁମ୍ପୁରା ବ୍ଲକ ବଡ଼ନେଉଳି ଗ୍ରାମର ଗଣେଶ୍ୱର ମୁଣ୍ଡାଙ୍କ ୫ ବର୍ଷର ପୁଅ ବିଜୟ ଗତକାଲି ସନ୍ଧ୍ୟାରେ ଘର ପାଖ ଦୋକାନକୁ ଚକୋଲେଟ୍ କିଣିବା ପାଇଁ ଏକ ପାଞ୍ଚଟଙ୍କିଆ କଏନ୍ ନେଇ ଯାଇଥିଲା । ରାସ୍ତାରେ ସେ କଏନ୍ଟିକୁ ପାଟିରେ ପୁରାଇଥିଲା । ଅସାବଧାନତା ଯୋଗୁ କଏନ୍ଟି ତଣ୍ଟିରେ ଲାଗିଯାଇଥିଲା। ଫଳରେ ବିଜୟ ପ୍ରବଳ କାନ୍ଦିଥିଲା । ତାର କାନ୍ଦ ଶୁଣି ଲୋକେ ଠୁଳ ହୋଇଯାଇଥିଲେ। କଏନକୁ ବାହାର କରିବା ପାଇଁ ବହୁତ ଚେଷ୍ଟା କରାଯାଇଥିଲା । ହେଲେ ବାହାରିନଥିଲା ।

ଶିଶୁଟିର ଅବସ୍ଥା ଗୁରୁତର ହେବାରୁ ତାକୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ଡାକ୍ତର ବହୁ ଚେଷ୍ଟା କରିବା ପରେ ମଧ୍ୟ କାଏନକୁ ବାହାର କରିବାରେ ବିଫଳ ହୋଇଥିଲେ । ଶିଶୁଟିକୁ କଟକ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଗଣେଶ୍ୱରଙ୍କ ପାଖରେ ଟଙ୍କା ନଥିବାରୁ ପୁଅକୁ କଟକ ନେଇପାରିନଥିଲେ । ପୁଅର ଅବସ୍ଥା ବିଗିଡି ଯାଉଥିବା ଦେଖି ବାପାମାଆ ବିକଳ ହେଉଥିବା ବେଳେ ପୂର୍ବତନ କାଉନସିଲର ଭୂବନ ନାଏକ ସାହାଯ୍ୟର ହାତ ବଢ଼େଇଥିଲେ । ମାଗଣାରେ ଆମ୍ବୁଲାନ୍ସ ଯୋଗାଇ ଦେଇଥିଲେ । ଆମ୍ବୁଲାନ୍ସରେ ବିଜୟକୁ କଟକ ବଡ଼ ଡାକ୍ତରଖାନା ନିଆଯାଇଛି ।