ଆଜିଠୁ ଖଣ୍ଡଗିରି କୁମ୍ଭମେଳା ! ନୃତ୍ୟ-ଗୀତ ସହ ଜମିବ ଖାଦ୍ୟମେଳା

99

କନକ ବ୍ୟୁରୋ : ଆଜିଠାରୁ ପବିତ୍ର ମାଘ ସପ୍ତମୀ ଅବସରରେ ଖଣ୍ଡଗିରିରେ ଆରମ୍ଭ ହେଉଛି ମହାପ୍ରସିଦ୍ଧ କୁମ୍ଭମେଳା । ତେଣୁ ତପ ସାଧନ ପାଇଁ ମଙ୍ଗଳବାର ସନ୍ଧ୍ୟାରୁ ଖଣ୍ଡଗିରି ପାହାଡ଼ ଉପରେ ବିଭିନ୍ନ ସ୍ଥାନରେ ଆସ୍ଥାନ ଜମାଇଲେଣି ସାଧୁସନ୍ଥମାନେ । ସେମାନେ ନିଜ ନିଜ ଅସ୍ଥାୟୀ ମଠରେ ହୋମ ଯଜ୍ଞ କରିବା ପାଇଁ ସଜବାଜ ହୋଇ ସାରିଲେଣି । ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ ୩ ଶହରୁ ଅଧିକ ସନ୍ଥ ପହଞ୍ଚି ଗଲେଣି। ଅର୍କ କ୍ଷେତ୍ର କୋଣାର୍କ- ଚନ୍ଦ୍ରଭାଗାରେ ବୁଡ଼ ପକାଇ ବୁଧବାର ଆହୁରି ଅଧିକ ସଂଖ୍ୟାରେ ସାଧୁସନ୍ଥମାନେ ଆସିବେ । ମା’ ବାରଭୂଜା ପୀଠରେ ପ୍ରସିଦ୍ଧ ରାମ ଚରିତ ପାରାୟଣ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ସେଠାରେ ଖଣ୍ଡଖିରି ପ୍ରସାଦ ବ୍ୟଞ୍ଜନ ପ୍ରସ୍ତୁତ ହେବ ଓ ଶ୍ରଦ୍ଧାଳୁମାନଙ୍କୁ ବଣ୍ଟନ କରାଯିବ ।

ରାଣୀ ହଂସପୁରକୁ ଯିବେ ପ୍ରଭୁ ଅନନ୍ତ କେଶରୀ – ସେହିଭଳି ପରମ୍ପରା ଅନୁସାରେ ବୁଧବାର ସନ୍ଧ୍ୟାରେ ଜାଗମରା ନାଗା ମଠରୁ ଉଦୟଗିରି ପାହାଡ଼ ରାଣୀଗୁମ୍ଫାସ୍ଥିତ ରାଣୀ ହଂସପୁରକୁ ଯାତ୍ରା କରିବେ ପ୍ରଭୁ ଅନନ୍ତ କେଶରୀ । ବାଜାବାଣ ଶୋଭାଯାତ୍ରା କରି ପ୍ରଭୁ ଅନନ୍ତ କେଶରୀ ରାଣୀ ହଂସପୁର ଯିବେ ଓ ପୁଣି ରାତିରେ ହିଁ ନାଗା ମଠକୁ ଫେରିବେ । ଏଥିପାଇଁ ଜାଗମରା ଗ୍ରାମ୍ୟ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଯାତ୍ରା ଜଗିବ ସିସି କ୍ୟାମେରା- କମିସନରେଟ୍ ପୁଲିସ ପକ୍ଷରୁ ଏହି ମେଳା ପାଇଁ ବ୍ୟପାକ ପ୍ରସ୍ତୁତି ସରିଛି । ୧୬ଟି ସିସି କ୍ୟାମେରା ମେଳାର ବିଭିନ୍ନ ସ୍ଥାନରେ ଲାଗିବ । ଏକ ଅସ୍ଥାୟୀ ପୁଲିସ ଫାଣ୍ଡି ମଧ୍ୟ ମେଳାରେ ଶାନ୍ତିଶୃଙ୍ଖଳା ରକ୍ଷା କରିବ। ନିୟୋଜିତ ହେବାକୁ ଥିବା ୬ ପ୍ଲାଟୁନ୍ ପୁଲିସ ବଳ ମଧ୍ୟରୁ କେବଳ ଗୋଟିଏ ପ୍ଲାଟୁନ୍ ଖଣ୍ଡଗିରି ଟ୍ରାଫିକ୍ ଛକରେ ଯାନବାହାନ ନିୟନ୍ତ୍ରଣ କରିବେ । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଟ୍ରାଫିକ୍ ପୁଲିସ ସହ ୫୦ ଜଣ ସ୍ୱେଚ୍ଛାସେବୀ ମଧ୍ୟ ନିୟୋଜିତ ହେବେ । ଭୋର୍ ୪ଟାରୁ ରାତି ୧୨ଟା ପର୍ୟ୍ୟନ୍ତ ଟ୍ରାଫିକ୍ ଛକକୁ ପୁଲିସ ଜଗି ରହିବ । ସେହିଭଳି ମେଳା ଭିତରେ କିଛି ପୁଲିସ କର୍ମଚାରୀ ସାଧା ପୋଷାକରେ ବୁଲିବେ । ପକେଟମାର୍ଙ୍କୁ ଜଗିବା ପାଇଁ ଚଳିତ ବର୍ଷ ବିଶେଷ ପ୍ରସ୍ତୁତି ହୋଇଥିବା ସୂଚନା ମିଳିଛି। ଯାତ୍ରାପେଣ୍ଡାଲମାନଙ୍କରେ ବି ସିସି କ୍ୟାମେରା ରହିବ ଓ ଶୃଙ୍ଖଳା ରକ୍ଷା ପାଇଁ ସେଠାରେ ମଧ୍ୟ ପୁଲିସ କର୍ମଚାରୀ ନିୟୋଜିତ ହେବେ ।

ଖଣ୍ଡଗିରି ଓ ଉଦୟଗିରିର ଐତିହାସିକ ଗୌରବଗାଥାକୁ ପ୍ରସାରିତ କରିବା ଉଦ୍ଦେଶ୍ୟ ନେଇ ଚଳିତ ବର୍ଷଠାରୁ ଖଣ୍ଡଗିରି କୁମ୍ଭମେଳା ପରିପ୍ରେକ୍ଷୀରେ ଅନୁଷ୍ଠିତ ହେବ ଖଣ୍ଡଗିରି-ଉଦୟଗିରି ମହୋତ୍ସବ । ଉଦୟଗିରି ପଛ ପାର୍ଶ୍ୱରେ ଥିବା ବ୍ୟାଖ୍ୟାନ କେନ୍ଦ୍ର ପରିସରରେ ୨୫ରୁ ୨୮ ତାରିଖ ପର୍ୟ୍ୟନ୍ତ ଏହା ଅନୁଷ୍ଠିତ ହେବ । ଆଜି ପାନ୍ଥ ନିବାସରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ଯେ, ମହୋତ୍ସବରେ ପଦ୍ମଶ୍ରୀ ଅରୁଣା ମହାନ୍ତି, କଣ୍ଠଶିଳ୍ପୀ ଶ୍ରୀତମ ନନ୍ଦ, ସବ୍ୟସାଚୀ, ଅଭିଜିତ ମଜୁମଦାର ପ୍ରମୁଖ ନୃତ୍ୟ ସଂଗୀତ ପରିବେଷଣ କରିବେ । ଏଥିସହିତ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ର ନୃତ୍ୟ, ପାଇକ ନୃତ୍ୟ, ସାହି ନାଚ, ଗୋଟିପୁଅ ଏବଂ ଅନ୍ୟାନ୍ୟ ପାରମ୍ପରିକ ନୃତ୍ୟ ପରିବେଷିତ ହେବ। ନାଚ ଗୀତ ସମେତ ବ୍ୟାଖ୍ୟାନ କେନ୍ଦ୍ର ପରିସରରେ ଖାଦ୍ୟମେଳା, ହସ୍ତଶିଳ୍ପ ପ୍ରଦର୍ଶନୀ, ବାଲୁକା କଳା ଏବଂ ଖଦି ବୋର୍ଡର ଏକ ପ୍ରଦର୍ଶନୀ ଦେଖିବାକୁ ମିଳିବ । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମେୟର ଅନନ୍ତ ନାରାୟଣ ଜେନା, ପର୍ୟ୍ୟଟନ ବିଭାଗ ନିର୍ଦେଶକ ନିତିନ ଭାନୁଦାସ ଜଓ୍ଵାଲେ ଏବଂ ସଂସ୍କୃତି ବିଭାଗର ନିର୍ଦେଶକ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।