ବନ୍ୟାରେ କଲବଲ ହେଉଛି କେରଳ : ୫୦ ବର୍ଷରେ ପ୍ରକୃତିର ତାଣ୍ଡବ ଆଣିଲା ପ୍ରଳୟ, ରେକର୍ଡ ବର୍ଷା ନେଲାଣି ୨୯ ଜୀବନ

75

କନକ ବ୍ୟୁରୋ : କେରଳରେ ବନ୍ୟା ସ୍ଥିତି ସଂଗୀନ ହେବାରେ ଲାଗିଛି । ପ୍ରଳଙ୍କରୀ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ୨୯ ଜଣଙ୍କ ଜୀବନ ଯାଇଛି । ୨୫ ଜଣଙ୍କ ମୃତ୍ୟୁ ଭୁସ୍ଖଳନରେ ହୋଇଥିବା ବେଳେ ୪ ଜଣ ବନ୍ୟା ଜଳରେ ଭାସିଯାଇ ପ୍ରାଣ ହରାଇଛନ୍ତି । ଅନ୍ୟପଟେ ବନ୍ୟା ଯୋଗୁଁ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ରାଜ୍ୟର ୮ଟି ଜିଲ୍ଲାରେ ହାଇଅଲର୍ଟ ଜାରି କରାଯାଇଛି । ନେକ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ ହୋଇପଡ଼ିଛି ।

ବନ୍ୟା ସ୍ଥିତି କ୍ରମେ ଅଣାୟତ ହେଉଥିବାରୁ ପ୍ରଥମ ଥର ପାଇଁ କେରଳର ୨୪ଟି ଡ୍ୟାମର ଗେଟ ଖୋଲାଯାଇଛି । ଲଗାଣ ବର୍ଷା ଯୋଗୁ ଭାଲାପଟ୍ଟନମ୍ ଓ କୂପମ୍ ନଦୀର ଜଳସ୍ତର ବିପଦସଙ୍କେତ ଉପରେ ପ୍ରବାହିତ ହେଉଛି । ଅଲାପୁଝା, କନ୍ନୁର ଆଦି ଅଂଚଳରେ ସଙ୍ଗିନ୍ ହୋଇଛି ବନ୍ୟା ପରିସ୍ଥିତି । ସେପଟେ କେରଳ ଉଦ୍ଧାରକାର୍ଯ୍ୟପାଇଁ ସେନା ଓ ଏନଡିଆରଏଫକୁ ମୁତୟନ କରାଯାଇଛି । ସ୍ଥିତିକୁ ଦୃଷ୍ଟିରେ ରଖି ଏନଡିଆରଏଫର ୬ଟି ଦଳକୁ ମୁତୟନ କରାଯାଇଛି । ରାଜ୍ୟରେ ୪୩୯ଟି ରିଲିଫ କ୍ୟାମ୍ପ ଚାଲିଥିବା ବେଳେ ୫୩ ହଜାର ୫୦୨ ଜଣ ଲୋକଙ୍କୁ ଜଳବନ୍ଦୀରୁ ଉଦ୍ଧାର କରାଯାଇ ବନ୍ୟା ଆଶ୍ରୟସ୍ଥଳରେ ରଖାଯାଇଛି । କେରଳର ବନ୍ୟା ବିତ୍ପାତରେ ୫୭ଜଣ ପର୍ଯ୍ୟଟକ ଫଶି ରହିଥିବା ଜଣାପଡିଛି । ମୁନାରରେ ୨୨ଜଣ ବିଦେଶୀ ପର୍ଯ୍ୟଟକଙ୍କ ସହ ମୋଟ ୫୭ଜଣ ଫଶିରହିଥିବା ସୂଚନା ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ଆଜି କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନଙ୍କ ସହ ଆଲୋଚନା କରି  ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ଆଶ୍ୱସ୍ତି ପ୍ରଦାନ କରିଛନ୍ତି ।  କର୍ଣ୍ଣାଟକ ସରକାର ମଧ୍ୟ କେରଳ ପାଇଁ ୧୦ କୋଟି ଟଙ୍କାର ବନ୍ୟା ସହାୟତା ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ କେରଳର ସବୁ ଦଳର ସାଂସଦମାନେ ଆଜି ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟି କେରଳକୁ ଏକ ସ୍ୱତନ୍ତ୍ର ରିଲିଫ୍‌ ପ୍ୟାକେଜ୍‌ ଦେବାପାଇଁ ଅନୁରୋଧ କରିଛନ୍ତି ।  ଇଡୁକ୍କି, ଓ୍ଵାୟନଡ଼, ଏର୍ନାକୁଲମରେ ସମସ୍ତ ସ୍କୁଲ୍‌ କଲେଜ୍‌  ବନ୍ଦ କରି ଦିଆଯାଇଛି । ଆସନ୍ତା  ୧୪ ତାରିଖ ପର୍ଯ୍ୟନ୍ତ ସମ୍ପୃକ୍ତ ଅଞ୍ଚଳରେ ରେଡ୍‌ ଆଲର୍ଟ ଜାରି କରାଯାଇଛି ।